Latest Odisha News

ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ନଥିଲା କୌଣସି ଲକ୍ଷଣ; କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି

ଭୁୁବନେଶ୍ୱର: ଦୁବାଇରୁ ଫେରିଥିବା ଭଦ୍ରକର ୨୯ ବର୍ଷୀୟ ଯୁବକ ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ସୂଚନା ଅନୁଯାୟୀ, ଚତୁର୍ଥ କରୋନା ପଜିଟିଭ ବ୍ୟକ୍ତିଙ୍କଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନଥିଲା ।

ଏହା ଆଧାରରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିକଟରେ ବିଦେଶ ଯାତ୍ରା ଇତିହାସ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ କଡାକଡି ଭାବେ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ ନିୟମ ମାନିବା ପାଇଁ ସତର୍କ କରାଯାଇଛି । ସେମାନେ ୧୪ ଦିନର ହୋମକ୍ୱାରେଣ୍ଟାଇନ ପରେ ପରବର୍ତ୍ତୀ ଦୁଇ ସପ୍ତାହ ଯାଏଁ ନିଜ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଚତୁର୍ଥ କରୋନା ପଜିଟିଭଙ୍କୁ ଯଥାଶୀଘ୍ର କଟକ ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବା ପାଇଁ ସ୍ୱାସ୍ଥ୍ୟ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଅଲଗା କରି ପରୀକ୍ଷା କରାଇବା ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ରହିଛି ।

ମଙ୍ଗଳବାର ଦିନ ପରୀକ୍ଷା କରାଯାଇଥିବା ୧୩୭ ସନ୍ଦିଗ୍ଧଙ୍କ ନମୁନା ମଧ୍ୟରୁ କେବଳ ଏହି ଜଣଙ୍କର କରୋନା ପଜିଟିଭ୍ ଆସିଥିବା ଜଣାପଡିଛି । ଏହି ନମୁନାଟି ଭୁବନେଶ୍ୱର ଏମ୍ସରେ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି । ଏଥି ପୂର୍ବରୁ ଭୁବନେଶ୍ୱରରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

 

Leave A Reply

Your email address will not be published.