ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୯
ପରିକଳ୍ପନା ଅନୁସାରେ ଲଣ୍ଡନର ଏକ ଶବାଗାରରୁ ଗୋଟିଏ ଶବକୁ ଆଗ ଚିହ୍ନଟ କରାଯାଇଥିଲା । ଶବକୁ ବାଛିବା ପାଇଁ ଅନେକ ସମୟ ନିଆଯାଇଥିଲା । ବେଶ୍ କେତୋଟି ଶବାଗାରକୁ ଭଲ ଭାବରେ ଦେଖାଯାଇଥିଲା । ଶବକୁ ବାଛିବା ବେଳେ ଦୁଇଟି କଥା ଉପରେ ଗୁରୁତ୍ୱ ଦିଆଯାଇଥିଲା, ପ୍ରଥମରେ ସେହି ଶବ ଦେହରେ ଯେମିତି ସାମାନ୍ୟତମ ଆଘାତ ର ଚିହ୍ନ କେଉଁଠି ନଥାଏ ଆଉ ଶବକୁ ଦେଖିଲେ ପ୍ରାଥମିକ ଭାବରେ ଯେମିତି ଜଣେ ମନେ କରିବ ଯେ, ସେହି ଶବଟି ହଠାତ୍ ପାଣିରେ ବୁଡି ପ୍ରାଣତ୍ୟାଗ କରିଛି । ତେଣୁ ପାଣିରେ ବୁଡି ପ୍ରାଣତ୍ୟାଗ କରିଥିବା ଶବ ଟିଏ ହିଁ ସେତେବେଳେ ଶବାଗାରରୁ ଶବବାଛିବା ବେଳର ପ୍ରଧାନ ଏବଂ ପ୍ରାଥମିକ ଆବଶ୍ୟକତା ଥିଲା । ଆଉ ଆର ଯେଉଁ କଥାଟି ଶବ ବାଛିବା ବେଳର ପ୍ରାଥମିକତା ଥିଲା ତାହା ହେଉଛି ସେହି ଶବରୁ ଯେମିତି ଜଣାପଡିବ ଯେ ତାହା ସୈନ୍ୟବାହିନୀରେ କାମ କରୁଥିବା କୌଣସି ଅଧିକାରୀର ଶବ । ଏହା ସହିତ ଏକଥାକୁ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯେ ସେ ଶବଟି ଆଉ ଯାହା ହେଉ ପଛକେ ଗଳିତ ହୋଇ ନଥିବ,ଏକ ପ୍ରକାରେ ସତେଜ ଥିବା ଦରକାର ।
ଶବ ବାଛିବା ବେଳେ ସମସ୍ତଙ୍କ ନିକଟରେ ଗୋଟିଏ ଛୋଟ କଳାଧଳା ଫଟୋଗ୍ରାଫ୍ ଉପଲବ୍ଧ ରହିଥିଲା । ସେହି ଫଟୋଗ୍ରାଫ୍ ଟି ସେହି ବ୍ୟକ୍ତି ବିଶେଷ ର ଥିଲା,ଏହି ବିଶେଷ ପରିକଳ୍ପନାରେ ଯାହାର ଅବିକଳ ଦିଶୁଥିବା ଭଳି ଗୋଟିଏ ଶବ କୁ ଲଣ୍ଡନର ଶବାଗାର ବା ମର୍ଗ ମାନଙ୍କରୁ ଖୋଜି ବାହାର କରାଯିବାର ଥିଲା ପ୍ରସ୍ତାବନା।
ସେହି କଳାଧଳା ଫଟୋଗ୍ରାଫରେ ଥିବା ଲୋକ ଜଣକ ଭଳି ଦିଶୁଥିବା ଶବଟିଏ ଖୋଜିଲା ବେଳେ ସ୍ୱତଃ ଆମର ମନକୁ ପ୍ରଶ୍ନ ଆସିବ ଯେ ସେଇ ଲୋକ ଯାହା ଭଳି ଦିଶୁଥିବା ଶବଟିଏ ଆମେ ଖୋଜୁଛୁ ଏବେ, ସେଇ ଲୋକଟିର ପ୍ରକୃତ ଅବସ୍ଥାନ କ’ଣ ? ସେ ଜୀବିତ ନା ମୃତ ? ଯଦି ମୃତ ,ତାହାହେଲେ ତାହାର ଶବକୁ ଅନ୍ତତଃ ଏହି ପରିକଳ୍ପନାରେ ବ୍ୟବହାର କରିବାରେ ଅସୁବିଧା ଥିଲା କେଉଁଠି ? ଅସୁବିଧାର କଥା ରହିଥିଲା ଏଇଠି ଯେ,ସେ ବ୍ୟକ୍ତି ବିଶେଷଙ୍କ ଅସଲ ମୃତ୍ୟୁ ଅଳ୍ପ କେତେଦିନ ଆଗରୁ ଘଟିଅଛି ଏବଂ ତାଙ୍କର ଶବକୁ କବର ଭିତରୁ ବାହାର କରି ସେଇ ଶବକୁ ଏଠାରେ ଏହି ପ୍ରସ୍ତାବିତ ପରିକଳ୍ପନା ରେ ଉପଯୋଗ କରିବା ସମ୍ପୂର୍ଣ୍ଣ ଅମର୍ଯ୍ୟାଦିତ ଥିଲା । ତେଣୁ ଏକ ବିକଳ୍ପ ଶବ ଖୋଜା ଯାଉଥିଲା ।
ଲଣ୍ଡନର ଶବାଗାର ନଙ୍କୁ ଉପଯୁକ୍ତ ଶବ ବାଛିବା କାର୍ଯ୍ୟକୁ ନିର୍ଦ୍ଦେଶଅନୁଯାୟୀ ସମାହିତ କରିବା ପାଇଁ ଏକ ବିଶେଷଜ୍ଞ ମଣ୍ଡଳୀ ଗଠନ କରାଯାଇଥିଲା,ଯେଉଁଥିରେ ଏକ ଡାକ୍ତର ଦଳ ବିଶେଷତଃ ଆନାଟୋମି,ପାଥୋଲୋଜି ଏବଂ ଫୋରେନସିକ୍ ବିଭାଗର କିଛି ବିଶେଷଜ୍ଞ ଏବଂ କିଛି ସେନା ବିଭାଗର ମଧ୍ୟମସ୍ତରର କର୍ମଚାରୀ ନିୟୋଜିତ ଥିଲେ । ସେମାନେ ସମସ୍ତେ ଏହି ଶବ ବାଛିବା କାମର ସମସ୍ତ ଟିକିନିଖି ବିବରଣୀକୁ ଉପରିସ୍ଥ ଜଣେ ସେନାନାୟକଙ୍କ ନିକଟକୁ ପ୍ରେରଣ କରିବା ବାଧ୍ୟତାମୂଳକ
ଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ। ସେହି ବିଶେଷ ସମୟର ଇଏ ଏକ ବିଶେଷ ଗୁପ୍ତଚର କାହାଣୀ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତଚର କାହାଣୀର ମୁଖ୍ୟ ନାୟକ ଯିଏ ସାଜିଥିଲେ ତାଙ୍କର କିନ୍ତୁ କିଛି ଦିନ ଆଗରୁ ଅପଘାତ ମୃତ୍ୟୁ ହୋଇଥିଲା । ତାଙ୍କର ନାଆଁ ମେଜର ଉଇଲିଅମ୍ ମାର୍ଟିନ । ବ୍ରିଟିଶ ସୈନ୍ୟବାହିନୀର ସେ ଥିଲେ ଜଣେ ଆଗଧାଡିର ରଣକୌଶଳବିତ୍ । ବିଶେଷତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ମିତ୍ରଶକ୍ତି ପକ୍ଷରୁ ତାଙ୍କର ଉପସ୍ଥିତି ଏବଂ ସୈନ୍ୟପରିଚାଳନାକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଥିଲେ । ତାଙ୍କର ଅକସ୍ମାତ୍ ନିଧନରେ ମିତ୍ରପକ୍ଷ ଅଧିକ ପରିମାଣରେ ଦୁଃଖୀ ହୋଇଥିଲେ ।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଗୋଟିଏ ନାମକରଣ କରାଯାଇ ଥିଲା ,ଅପରେସନ୍ ମିନ୍ସମିଟ୍ ।
ପରିକଳ୍ପନା ଅନୁସାରେ ଲଣ୍ଡନର ଶବାଗାରମାନଙ୍କରୁ ବାଛି ବାଛି ଶେଷରେ ଯେଉଁ ଉପଯୁକ୍ତ ଶବକୁ ଚିହ୍ନଟ କରାଯାଇଥିଲା ସେ ବୃତ୍ତିରେ ଥିଲା ଜଣେ ଶ୍ରମଜୀବୀ, ମାସନ୍ । କିଛି ଦିନ ଆଗରୁ ସେ ଟେମସ୍ ନଈକୁ ଝାଂପ ଦେଇ ଆତ୍ମହତ୍ୟା କରିଥିଲା । ଏକ ସୌଖିନ ନାଟ୍ୟଦଳରେ ଉପଯୁକ୍ତ ବିଦୂଷକର ଭୂମିକା ନପାଇବା ଯୋଗୁ ଆତ୍ମହନନର ପଥ ବାଛିନେବା ସମ୍ଭବତଃ ପୃଥିବୀର ଅନ୍ୟତମ ବିରଳ ଘଟଣା । ଏହି ଭଳି ଶବ କୁ ନିଜର ଆତ୍ମୀୟ କରିପାରିବା ଲୋକ ବି ଏ ପୃଥିବୀରେ ବିରଳ । ସେ ଯାହାହେଉ ,ଶବ ପାଲଟି ଗଲା ପରେ ବି ତାହାକୁ ସେଇ ଅଭିନୟ ଆଉ ଛାଡିଚାଲିଯାଇ ନାହିଁ । ଏବଂ ଏକ ଶବ ଆକାରରେ ଏକ ଜୀବନ୍ତ ର ଅତ୍ୟନ୍ତ କଷ୍ଟସାଧ୍ୟ ଆଉ ସଫଳ ଅଭିନୟରେ କାଳକ୍ରମରେ ତାହାର ସମାପ୍ତି । ତାହାର ଶବଦେହକୁ ତାହାପରେ ଶବାଗାରରୁ ନେଇ ପରିଷ୍କାର କରାଗଲା । ଦେହରେ ପିନ୍ଧାଇ ଦିଆଗଲା ବ୍ରିଟିଶ ସେନାବାହିନୀର ସାମରିକ ପୋଷାକ,ପୋଷାକ ଉପରେ ଝୁଲାଇ ଦିଆଗଲା କେତେଗୁଡିଏ ଅସଲ ସାମରିକ ପଦକ । ତାହାର ପ୍ୟାଣ୍ଟ ପକେଟ୍ ରେ ଭର୍ତ୍ତି କରି ଦିଆଗଲା କେତୋଟି ପ୍ରେମପତ୍ର । ଏବଂ ନିର୍ଦ୍ଦିଷ୍ଟ ଭାବରେ ଦୃଷ୍ଟି ଦିଆଯାଇଥିଲା ଯେ,ସେହି ପ୍ରେମପତ୍ର କେତୋଟିରେ ଯେମିତି ଭାଷା ମଧ୍ୟଯୁଗୀୟ ହୋଇ ଥାଏ,ଲେଖାରେ ଯେମିତି ଯଥେଷ୍ଟ ବନାନ ଭୂଲ ଥାଏ ଏବଂ ବିଶେଷ ଭାବରେ ସେଥିରେ ଯେମିତି ତାରିଖ ଆଉ ଘଟଣାର ଏମିତି ଉଲ୍ଲେଖ ରହିଥାଏ ଯେ ସେଥିରୁ ତାହା ଯେମିତି ସେତେ ପୁରୁଣା ବୋଲି ମନେ ହେବ ନାହିଁ । ପର୍ସରେ ତାହାର ରଖାଯାଇଥିଲା ଗୋଟିଏ ମିଛ ଗାର୍ଲଫ୍ରେଣ୍ଡର ଛବି ଏବଂ ଛାତି ପକେଟ୍ ରେ ରଖାଯାଇଥିଲା ଜଣେ ସେନାନାୟକ ର ମିଛ ସାମରିକ ପରିଚିତିର କାଗଜ । ସେହି ସବୁରେ ଥିଲା କେବଳ ଗୋଟିଏ ନାଆଁ,ମେଜର ଉଇଲିଅମ୍ ମାର୍ଟିନ୍ ।
ସବୁଠୁ ବଡ କଥା ହେଲା ଏହି ମେଜର ଉଇଲିଅମ ମାର୍ଟିନ୍ ର ଶବଦେହକୁ ନିର୍ମାଣ ବେଳେ ଆଉ ଯେଉଁ କଥା ପ୍ରତି ଯଥେଷ୍ଟ ପରିଶ୍ରମ କରାଯାଇଥିଲା ତାହା ହେଉଛି ଏକ ସାମରିକ ଦସ୍ତାବେଜର ନିର୍ମାଣ । ଏହି ଦସ୍ତାବେଜ ଉପରେ “ଟପ୍ ସିକ୍ରେଟ୍” ଲେଖାଥିଲା ଏବଂ ସେତେବେଳେ ଚାଲିଥିବା ବିଶ୍ୱଯୁଦ୍ଧରେ ଗ୍ରୀସ୍ କୁ କେଉଁ ଭଳି ଆକ୍ରମଣ କରାଯିବ ତାହାର ଏକ ବିସ୍ତୃତ ମିଛର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ସେହି ଶବ ର ବ୍ୟାକ୍ ସାକ୍ ରେ ରଖାଯାଇଥିଲା ।
ଶବକୁ ଯେହେତୁ ଏହାପରଠାରୁ ଶବର ପୋଷାକରେ ଥିବା ନାଆଁ ରୁ ଚିହ୍ନଟ କରାଯିବ ତେଣୁ ଆମେ ଏହାକୁ ଏବେ ମାର୍ଟିନର ଶବ ଆକାର ଚିହ୍ନିବା ।
ମାର୍ଟିନର ଶବ ଏହାପରେ ଜାହାଜରେ ସ୍ପେନୀୟ ଦକ୍ଷିଣ ଉପକୂଳକୁ ଯାତ୍ରା କରିଥିଲା, ଠିକ୍ ସେଇଠି କୁ ଯେଉଁଠାରୁ ସ୍ପଷ୍ଟ ଅନୁମାନ କରାଯାଉଥିଲା ଯେ ସମୁଦ୍ରର ଲହରୀ ଏହାପରେ ତାହାକୁ ଠିକ୍ ଭସାଇନେବ ସେହି ଇପସିତ ଅଞ୍ଚଳକୁ ଅର୍ଥାତ୍ ସେଇ ସାମୁଦ୍ରିକ ଅଞ୍ଚଳକୁ ଯାହା ନାଜିମାନଙ୍କ ଅଧିକାରରେ ରହିଛି ।
ଆଗରୁ ଜୀବନ୍ତ ଥିବାବେଳେ ସେକଥା ଘଟିଛି ମାତ୍ର ଏବେ ଗୋଟିଏ ଶବ ଆକାରରେ, ବିଶେଷତଃ ମେଜର ମାର୍ଟିନ ଙ୍କ ଶବ ଆକାରରେ, ପ୍ରଥମ ଥର ତାହାକୁ ଝାଂପ ଦେବାକୁ ପଡିଲା ଜଳକୁ । ଏଥର ଅଥଳ ସମୁଦ୍ର,ଏଥର ଥିଲା ସାଥିରେ ଲାଇଫ୍ ଜାକେଟ୍।
ସେଦିନ ଥିଲା ଏପ୍ରିଲ ମାସର ତିରିଶ ତାରିଖ।୧୯୪୩ ସାଲ । ପୃଥିବୀ ସାରା ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା । ପୁଣ୍ଟା ଅମ୍ବ୍ରିଆ ଭଳି ଗୋଟିଏ ଗାଆଁର କିଛି ମାଛ ଧରାଳୀ ସମୁଦ୍ରକୁ ସାର୍ଡିନ ମାଛ ଆଶାରେ ଜାଲ ପକାଇବାକୁ ଆସିଥାନ୍ତି ଆଉ ସେତିକିବେଳେ ସକାଳୁ ସକାଳୁ କୂଳରେ ସେମାନଙ୍କୁ ମାର୍ଟିନଙ୍କ ଶବ ମିଳେ । ସେହି ଧୀବରଦଳ ଏହି ଶବ ବିଷୟରେ ସ୍ପେନୀୟ କର୍ତ୍ତୃପକ୍ଷଙ୍କୁ ଯଥାଶିଘ୍ର ଅବଗତ କରନ୍ତି । ଏବଂ ତଦନୁଯାୟୀ ସ୍ପେନୀୟ କର୍ତ୍ତୃପକ୍ଷ ଏହି ଶବକୁ ଜବତ କରନ୍ତି ଏବଂ ଏହି ସମ୍ବାଦ ଯଥାଶିଘ୍ର ହିଟଲର୍ ଙ୍କ ବଳୟ ଭିତରୁ ପହଞ୍ଚିଯାଏ । ସେ ସମୟର ବିଶ୍ୱଯୁଦ୍ଧ ରେ ସ୍ପେନ୍ ଇଂଲଣ୍ଡର ଅର୍ଥାତ୍ ମିତ୍ର ଶକ୍ତି ର ବିପକ୍ଷ ଶକ୍ତି ଅର୍ଥାତ୍ ଅକ୍ଷଶକ୍ତି ସହିତ ରହିଥାଏ ।
ହିଟଲର୍ ନିଜେ ଏମିତି ଗୋଟିଏ ଶବପ୍ରାପ୍ତିରେ ବିଶେଷ ଆନନ୍ଦିତ ହୋଇଥିଲେ । ଶବ କୁ ଟିକିନିଖି କରି ତର୍ଜମା କରାଗଲା ,ତାହା ସହିତ ମାର୍ଟିନ ଙ୍କ ଶବ ସହିତ ଥିବା ଗ୍ରୀସ୍ ର ପ୍ରସ୍ତାବିତ ଆକ୍ରମଣରେ ମିତ୍ରଶକ୍ତି ର ରଣ କୌଶଳର ବିଧିବଦ୍ଧ ନକସାକୁ ଯଥେଷ୍ଟ ସତର୍କତାର ସହ ଅନୁଧ୍ୟାନ କରାଯାଇଥିଲା । ସନ୍ତୁଷ୍ଟ ହେବା ପରେ ହିଟଲର୍ ନିଜେ ସମସ୍ତ ସୈନ୍ୟବାହିନୀକୁ ମିତ୍ରଶକ୍ତିର କବଳରୁ ଗ୍ରୀସ୍ କୁ ସୁରକ୍ଷିତ କରି ରଖିବା ପାଇଁ ପ୍ରେରଣ କରିଥିଲେ ।
ଏକଥା କହିବା ଅନାବଶ୍ୟକ ଯେ ସେତେବେଳେ ମିତ୍ର ଶକ୍ତି ର ଗ୍ରୀସ୍ ଆକ୍ରମଣ କରିବାର କୌଣସି ପରିକଳ୍ପନା ନଥିଲା ଏବଂ ଏହା କେବଳ ହିଟଲରଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ସୁଚିନ୍ତିତ କୌଶଳ ଥିଲା । ଏକଥା କହିବା ଅନାବଶ୍ୟକ ଯେ ସମସ୍ତ ସୈନ୍ୟ ଗ୍ରୀସ୍ ଅଭିମୁଖୀ ହେବା ଫଳରେ ସିସିଲି ଅରକ୍ଷିତ ହୋଇ ରହିଥିଲା ଏବଂ ମିତ୍ର ଶକ୍ତି ସହଜରେ ସିସିଲିକୁ ଆକ୍ରମଣ କରି ତାହାକୁ ନିଜର ଅଧୀନସ୍ଥ କରିପାରିଲା ଏବଂ ତାହାପଠାରୁ ହିଟଲର୍ ତଥା ତାଙ୍କର ଅକ୍ଷଶକ୍ତି ଦଳ ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ରକ୍ଷଣାତ୍ମକ ହେବାକୁ ବାଧ୍ୟ ହୋଇଥିଲେ ଆଉ ସେଥିରୁ ସେମାନଙ୍କୁ ମୁକୁଳିପାରିବା ସମ୍ଭବ ହୋଇ ନଥିଲା ।
ଏହା ଗୋଟିଏ ଅଦ୍ଭୁତ ଗୁପ୍ତଚର କାହାଣୀ। ଜେମସ୍ ବଣ୍ଡ କାହାଣୀ ଭଳି ମନେ ହେଉଥିବା ଏକ କାହାଣୀ । ଜେମସ୍ ବଣ୍ଡ କାହାଣୀର ସ୍ରଷ୍ଟା ହେଉଛନ୍ତି ଇଆନ ଫ୍ଲେମିଙ୍ଗ୍ । ଇଆନ ଫ୍ଲେମିଙ୍ଗଙ୍କର ଗୋଟିଏ କାହାଣୀ ଅଛି । ତାହାର ନାଆଁ ହେଉଛି “ଟ୍ରାଉଟ୍ ମେମୋ” । ୧୯୩୯ରେ ଲିଖିତ ଏଇ କାହାଣୀ ରେ ଗୋଟିଏ ସୁଚିନ୍ତିତ ଯୋଜନା ର କଥା ରହିଛି ଯେଉଁଠି ଜଣେ ବୁଡିଯାଇଥିବା ଲୋକକୁ ଏମିତି ସଜାଇଦିଆଯାଇଛି ଯେମିତି ସେ ଅକ୍ଷଶକ୍ତିକୁ ନିଜ ସହିତ ଥିବା ତଥ୍ୟସମୂହରେ ସମ୍ପୂର୍ଣ୍ଣ ବିଭ୍ରାନ୍ତ କରିପାରିବ ।
ବ୍ରିଟିଶ ନୌ ସର୍ବେକ୍ଷଣ ତଥା ଗୁପ୍ତଚର ସେବାରେ ଇଆନ ଫ୍ଲେମିଙ୍ଗ ଜଣେ କମାଣ୍ଡର ଆକାର ରେ ଥିଲେ, ଏ କଥା କହିବା ଆବଶ୍ୟକ।
ଏକଥା କହିବା ବି ଆବଶ୍ୟକ ଯେ,ପ୍ରତିଟି କାହାଣୀରେ ମାର୍ଟିନଙ୍କ ଶବ ଭଳି ଗୋଟିଏ ଗୋଟିଏ ଗୁପ୍ତଚର, କାହାଣୀର ଶୀର୍ଷବିନ୍ଦୁ ଅର୍ଥାତ୍ “ଏପିଫାନି” ଯାଏଁ ରହିଥାନ୍ତି, ଜଣେ ହିଟଲର୍ ହେଉ କି ଜଣେ ସାଧାରଣ ପାଠକ ହେଉ ତାହା ନିକଟରେ ସେମାନେ ବେଶ୍ ଅପ୍ରକଟ ଥାଆନ୍ତି ।
Comments are closed.