ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ୩୨ ଜଣ ଓଡିଆ ଶ୍ରମିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ସୋସିଆଲ୍ ମିଡିଆରେ ଏହି ଶ୍ରମିକଙ୍କ ଆକୁଳ ନିବେଦନ ପରେ ନିଜେ ବସ୍ର ବନ୍ଦୋବସ୍ତ କରି ସେମାନଙ୍କୁ ଓଡିଶା ଫେରାଇ ଆଣିଛନ୍ତି ସେ ।
ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ କରୋନା ଲକ୍ଡାଉନ୍ ଯୋଗୁଁ ଫସି ରହିଥିବା ଏହି ୩୨ ଜଣ ଶ୍ରମିକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ପରେ ନିଜେ ସବ୍ୟସାଚୀ ସେମାନଙ୍କୁ ସ୍ୱାଗତ କରିଥିଲେ । ରିଅଲ୍ ଲାଇଫ୍ରେ ଦେବଦୂତ ସାଜି ସେମାନଙ୍କୁ ଓଡିଶା ଆସିବାରେ ସାହାରା ହୋଇଥିବା ଏହି ରିଲ୍ ହିରୋଙ୍କୁ ପାଖରେ ପାଇ ବେଶ୍ ଖୁସି ପ୍ରକଟ କରିଥିଲେ ଏହି ପ୍ରବାସୀ ଓଡିଆ ଶ୍ରମିକ ।
ଏଥିସହିତ ପ୍ରବାସୀ ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ପାଇଁ ସବ୍ୟସାଚୀ ନିଜ ଘରେ ପ୍ରସ୍ତୁତ କରିଥିବା କଣ୍ଟ୍ରେଲ୍ ରୁମ୍ ଜରିଆରେ ତାମିଲ୍ନାଡୁରୁ ୩୫ ଜଣ ଓ କେରଳରୁ ୬୦ ଜଣ ପ୍ରବାସୀ ଓଡିଆ ଶ୍ରମିକ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ସବ୍ୟସାଚୀ ରାଜସ୍ଥାନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଦୁଇଟି ବସ୍ ଯୋଗେ ଓଡିଶା ଆଣିବା ବ୍ୟବସ୍ଥା କରିଥିଲେ । ସୋସିଆଲ ମିଡିଆରେ ତାଙ୍କ ପାଖକୁ ଏହିଭଳି ଶତାଧିକ ଅନୁରୋଧ ଆସିବା ପରେ ସେ ପୋଲିସ, ସରକାର ତଥା ଅନ୍ୟ ରାଜ୍ୟରେ ରହିଥିବା ଓଡିଆ ଭାଇମାନଙ୍କ ସହାୟତା ନେଇ ସେମାନଙ୍କୁ ଓଡିଶା ଫେରାଇ ଆଣିବା ବ୍ୟବସ୍ଥା କରିଛନ୍ତି ।
Comments are closed.