Latest Odisha News

BREAKING NEWS

ଜଣେ ଥିଲେ ଦିଲ୍ଲୀପ କୁମାର; ସ୍ଵତନ୍ତ୍ରତାର ଅନନ୍ୟ ସ୍ଵାକ୍ଷର

ମୁମ୍ବାଇ: ଦିଲ୍ଲୀପ କୁମାର; ନାଁ ହିଁ ଯଥେଷ୍ଟ। ବଲିଉଡର ଅନ୍ୟନାମ। ହିନ୍ଦୀ ସିନେମାର କ୍ରମବିକାଶରେ ତାଙ୍କର ଅବଦାନ ବହୁତ ଅଧିକ। ସମାଲୋଚନାରୁ ସେ ସବୁବେଳେ ଉର୍ଦ୍ଧ୍ଵରେ ଥିଲେ। ଅନେକ ତାଙ୍କୁ ଅଭିନୟର ପ୍ରତିଷ୍ଠାନ ବୋଲି କହୁଥିଲେ। ଅଭିନୟ ଏତେ ନିଖୁଣ, ଅଭିନୟ ବୋଲି ବି ଜଣାପଡ଼େନି। ଅଭିନୟର ଯାଦୁଗର ସେ, ଖାସ୍ ସେଥିପାଇଁ ତାଙ୍କ ମୃତ୍ୟୁରେ ସମସ୍ତ ସିନେପ୍ରେମୀ କହୁଛନ୍ତି; କେବଳ ଜଣେ ଥିଲେ ଦିଲ୍ଲୀପ କୁମାର।

ବଲିଉଡରେ ପ୍ରବେଶ ବେଳକୁ ସେ ଥିଲେ ଜଣେ କ୍ୟାଣ୍ଟିନ ମାଲିକ। ବିଭିନ୍ନ କ୍ୟାଣ୍ଟିନକୁ ସେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ସପ୍ଲାଇ କରୁଥିଲେ। ୧୯୪୪ରେ ସେ ବଲିଉଡରେ ପ୍ରବେଶ କଲେ।  ପେଶାଓ୍ଵାରର ୟୁସୁଫ୍ ଖାନଙ୍କ ଭିତରୁ ଦିଲ୍ଲୀପ କୁମାର ଜନ୍ମ ନେବା ପୂର୍ବରୁ ତାଙ୍କୁ ମିଳିଥିଲା ଜ୍ଵାର ଭଟ୍ଟା ଫିଲ୍ମର ଅଫର। ଏହାପରେ ପ୍ରଯୋଜକଙ୍କ ପରାମର୍ଶରେ ନିଜର ନାମ ରଖିଥିଲେ ଦିଲ୍ଲୀପ କୁମାର।  ନାଁ ବଦଳିଥିଲା, କ୍ୟାଣ୍ଟିନ ମାଲିକରୁ ଜଣେ ଅଭିନେତା; ନା..ନା..! ଅଭିନୟର ଅନୁଷ୍ଠାନ ପ୍ରତିଷ୍ଠା ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା।

ଦେଶ ସ୍ଵାଧୀନ ହୋଇସାରିଥିଲା, ନୂଆ ନୂଆ ଦେଶ ତିଆରି ବି ଚାଲିଥିଲା। ଠିକ୍ ଏହି ସମୟରେ ଦିଲ୍ଲୀପ କୁମାର ନିଜର ପରିଚୟ ଓ ପ୍ରତିଷ୍ଠା ଅର୍ଜନ କରିଚାଲିଥିଲେ।  ୧୯୪୪ରେ ଜ୍ଵାର ଭଟ୍ଟା, ୧୯୪୫ରେ ପ୍ରତିମା, ୧୯୪୬ରେ ମିଲନରେ ଅଭିନୟ କରିଥିଲେ ଦିଲ୍ଲୀପ କୁମାର। ବମ୍ବେ ଟକିଜ ନିର୍ମିତ ଏ ୩ଟି ଫିଲ୍ମରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ୧୯୪୯ରେ ଆସିଥିଲା ଭାରତୀୟ ହିନ୍ଦୀ ସିନେମାର ପ୍ରଥମ ତ୍ରିକୋଣୀୟ ପ୍ରେମକାହାଣୀ ଆଧାରିତ ସିନେମା ଅନ୍ଦାଜ। ସେତେବେଳେ ସମସ୍ତ ଅନୁମାନ ଲଗାଇସାରିଥିଲେ ଯେ ଦିଲ୍ଲୀପ ବଲିଉଡରେ ରାଜ୍ କରିବେ। ବମ୍ବେ ଟକିଜର ଡାର୍ଲିଂ ଅନ୍ୟ ଖ୍ୟାତନାମା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କର ବି ପ୍ରିୟ ହେବାରେ ଲାଗିଥିଲେ। ବିଦେଶରେ ବି ତାଙ୍କର ପ୍ରଶଂସକ ବଢ଼ିବାରେ ଲାଗିଥିଲା। ମେହେବୁବ ଖାନଙ୍କ ଆନ୍ ଫିଲ୍ମ ବିଦେଶରେ ରିଲିଜ ହୋଇଥିଲା। ୧୭ଟି ଭାଷାରେ, ୨୮ଟି ଦେଶରେ ଏ ଫିଲ୍ମ ରିଲିଜ୍ ହୋଇ ବେଶ୍ ପ୍ରଶଂସିତ ହୋଇଥିଲା। ଦାଗ୍, ସହୀଦ, ଜୁଗୁନୁ, ଘର କି ଇଜ୍ଜତ, ଅନୋଖା ପ୍ୟାର, ନଦିଆ କେ ପାର୍, ଦିଦାର, ଦାଗ୍ ଭଳି ଫିଲ୍ମ ଅନେକ ଫିଲ୍ମ ତାଙ୍କର ପରିଚୟକୁ ଆହୁରି ଚମକାଇଥିଲା।

ଠିକ୍ ଏହି ସମୟରେ ୧୯୫୫ରେ ରିଲିଜ୍ ହୋଇଥିଲା କାଳଜୟୀ ସିନେମା ବିମଲ ରାୟଙ୍କ ନିର୍ଦ୍ଦେଶିତ ଦେବଦାସ। ଦର୍ଶକମାନଙ୍କ ହୃଦୟକୁ ଛୁଇଁଯାଇଥିଲା ଏ ଫିଲ୍ମ। ଚମତ୍କାର ଅଭିନୟ, ଦମଦାର ସଂଳାପ ଉଚ୍ଚାରଣ ଦିଲ୍ଲୀପ କୁମାରଙ୍କୁ ଆଉ ଏକ ଶୀର୍ଷରେ ପହଞ୍ଚାଇ ଦେଇଥିଲା। ‘କୌନ କମଭକ୍ତ ପିତା ହେ ବରଦାସ୍ତ କରନେ କେଲିୟେ’ ସବୁ ବିଫଳ ପ୍ରେମିକଙ୍କ ଘୋଷାପାଠ ପାଲଟିଯାଇଥିଲା। ରାତାରାତି ଟ୍ରାଜେଡି କିଙ୍ଗ ଭାବେ ପରିଚିତ ହୋଇସାରିଥିଲେ ଦିଲ୍ଲୀପ। ସେ ଗ୍ଲିସେରିନ ଲଗାଉ ନଥିଲେ। ତାଙ୍କ ଆଖିରୁ ଝରୁଥିବା ଲୁହ ଓ ଗଳାରୁ ଶୁଭୁଥିବା କୋହ ଏକଦମ ଅସଲି ଲାଗୁଥିଲା। ଖାଲି ଦୁଃଖ ଭରା ଚରିତ୍ର ନୁହେଁ, କମେଡି ଓ ଡ୍ରାମାରେ ସେ ନିଜକୁ ଫିଟ୍ କରିସାରିଥିଲେ। ଫିଲମରେ ନାୟିକାଙ୍କ ଆଖିରେ ଆଖି ମିଶାଇ ତାଙ୍କ ଭଳି ପ୍ରେମ କରିପାରୁଥିବା ଅଭିନେତା ପ୍ରାୟ ନ ଥିଲେ କହିଲେ ଚଳିବ। ନୟାଦୌର ଯିଏ ଦେଖିଛି ସିଏ ଏକଥା ଅନୁଭବ କରିପାରିବ। ଏହାପରେ ବିମଲ ରାୟଙ୍କ ମଧୁମତି, ପୁନର୍ଜନ୍ମ, ପ୍ରେମ କାହାଣୀର ଅତୁଳନୀୟ ଉଦାହରଣ। ୧୯୬୦ରେ ଐତିହାସିକ ପ୍ରେମକାହାଣୀ ମୁଗଲେ ଆଜମ ଓ ଏହାର ପ୍ୟାର୍ କିଆ ତୋ ଡରନା କ୍ୟା.. ଗୀତ କୋଟିକୋଟି ଭାରତୀୟଙ୍କ ହୃଦୟରେ ଏବେ ବି ପ୍ରତିଧ୍ଵନିତ ହେଉଛି।

ରିଲ୍ ଲାଇଫ୍ ରୋମାନ୍ସ ଭଳି ତାଙ୍କର ରିୟଲ ଲାଇଫର ରୋମାନ୍ସ ବି ବହୁତ ଚମତ୍କାର ଓ ଚଳମାନ ଥିଲା। ମଧୁବାଲା, ବୈଜୟନ୍ତୀମାଲଙ୍କ ସହ ତାଙ୍କ ପ୍ରେମ କାହାଣୀ ବଲିଉଡରେ ବେଶ ଚର୍ଚ୍ଚିତ ପ୍ରସଂଗ ଥିଲା। କିନ୍ତୁ ସାଏରା ବାନୁଙ୍କ ସହ ତାଙ୍କର ସଫଳ ଦାମ୍ପତ୍ତ୍ୟ ବଲିଉଡ୍ ବିବାହ ପାଇଁ ଆଜି ବି ଏକ ଉଦାହରଣ। ସେଥିପାଇଁ ତ ଆଜି ସାଏରା ବାନୁ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଦିଲ୍ଲୀପଙ୍କ ମୃତ୍ୟୁ ମୋ ବଞ୍ଚିବାର କାରଣ ଛଡ଼ାଇ ନେଲା।

୧୯୬୧ର ରାମ୍ ଔର ଶ୍ୟାମ ଚଳଚ୍ଚିତ୍ରରେ ଡବଲ୍ ରୋଲ୍ ତାଙ୍କ ଅଭିନୟର ଆଉ ଏକ ଦିଗକୁ ଆବିଷ୍କାର କରିଥିଲା। ୮୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ସେ ବହୁତ ଫିଲ୍ମ କରିଥିଲେ। କ୍ରାନ୍ତି, ମିଶାଲ, ବିଧାତା ଓ କର୍ମା ଭଳି ହିଟ୍ ଫିଲ୍ମ ଦେଇଥିଲେ ଦିଲ୍ଲୀପ। ଏହାପରେ ତାଙ୍କ ଅଭିନୀତ ଶକ୍ତି  ଚଳଚ୍ଚିତ୍ର ଦର୍ଶକଙ୍କୁ ହଲରୁ ଉଠିବାକୁ ଦେଇ ନ ଥିଲା। ଗୋଟେ ପଟେ ଦିଲ୍ଲୀପ କୁମାର ଓ ଅନ୍ୟପଟେ ଅମିତାଭ ବଚ୍ଚନ। ନିଜେ ହିରୋର ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ଦର୍ଶକଙ୍କ ସବୁ ଧ୍ୟାନ ନିଜଆଡକୁ ଟାଣିବାରେ ସଫଳ ହୋଇଥିଲେ ଦିଲ୍ଲୀପ। ବାପା ଚରିତ୍ରରେ ଅଭିନୟର ଏକ ମାଇଲ ଖୁଣ୍ଟ ବୋଲି ଏ ଚଳଚ୍ଚିତ୍ରକୁ ବିବେଚନା କରାଯାଏ।

୧୯୯୧ର ସୌଦାଗର, ବଲିଉଡ ପାଇଁ ଏକ ଐତିହାସିକ ସିନେମା। ଏକାଠି କାମ  ନ କରିବାକୁ ଶପଥ ନେଇଥିବା ଦିଲ୍ଲୀପ କୁମାର ଓ ରାଜ କୁମାର ଏକାଠି ଅଭିନୟ କରିଥିଲେ।  ଏ ଫିଲ୍ମ ଆଜି ବି ବହୁତ ଭାରତୀୟଙ୍କର ସର୍ବାଧିକ ପସନ୍ଦ ଫିଲ୍ମ ତାଲିକାରେ ରହିଛି।

ଆଜି ଦିଲ୍ଲୀପ କୁମାର ନାହାନ୍ତି, କିନ୍ତୁ ହିନ୍ଦୀ ସିନେମା ପ୍ରତି ତାଙ୍କ ଅବଦାନ ତାଙ୍କୁ ଅମର କରି ରଖିବ। ସେ ସୁଯୋଗକୁ ଅପେକ୍ଷା କରୁ ନ ଥିଲେ ବରଂ ନିଜ ପାଇଁ ସୁଯୋଗ ତିଆରି କରୁଥିଲେ। ତାଙ୍କ ଫିଲ୍ମୋଗ୍ରାଫିକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଥିବା ଜଣେ ଦେଖିପାରିବ।

ସମ୍ନାନ, ପୁରସ୍କାର ଜିତିବାକୁ ଯଦି ହିସାବକୁ ନିଆଯାଏ ତେବେ ସର୍ବାଧିକ ପୁରସ୍କାର ଜିତିଥିବା ଅଭିନେତା ହେଉଛନ୍ତି ଦିଲ୍ଲୀପ କୁମାର। ଏଥିପାଇଁ ତାଙ୍କ ନାମରେ ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡସର ସମ୍ମାନ ରହିଛି। ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଦ୍ଵିତୀୟ ସର୍ବାଧିକ ଫିଲ୍ମ ତାଲିକାରେ ତାଙ୍କର   ନାମ ରହିଛି। ତାଙ୍କର ୯ଟି ଚଳଚ୍ଚିତ୍ର ସର୍ବାଧିକ ବ୍ୟବସାୟ କରିଥିବା ବେଳେ, ସଲମାନ ଖାନଙ୍କର ୧୦ଟି ଫିଲ୍ମ ଏହି ତାଲିକାରେ ରହିଛି।

Leave A Reply

Your email address will not be published.