ପୁନଶ୍ଚ ରସଗୋଲା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ?

– ହା’ ଅନ୍ନ, କାହ୍ନୁଚରଣ

-ଯେତେବେଳେ ଦୁର୍ଭିକ୍ଷ ପଡ଼ିଛି, ଏ ଜାତି ଭୋକ ଉପାସରେ ଖାଇବା ପାଇଁ ମଶାଣିରୁ ଶବର ମାଉଁସ ଖାଇଛି, ଜମିଦାର ପୁଅର ବାନ୍ତିରୁ ଭାତ ଖୁଣ୍ଟି ଖାଇଛି- ସେତେବେଳେ କାହ୍ନୁଚରଣ ଓଡ଼ିଆ ଜାତିର ଏ ସଦା ନିରୁତ୍ତର ଓ ବିନା ପ୍ରତିବାଦ ଢଙ୍ଗର କଡ଼ା ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି-
‘ମୂକ ଓଡ଼ିଆ, ନିର୍ଜୀବ ଓଡ଼ିଆର ପାଟି ଫିଟିଲା ନାହିଁ । ପାଟି ଫିଟାଇବାର ଅଧିକାର ତାର ଆସିଲା କୁଆଡ଼ୁ?’

ସଂଜ ଆଇନ ବଳରେ ଇଂରେଜଙ୍କୁ ହାତ କରି ଓଡ଼ିଶାର ଜମିଦାରୀ କିଣି ନେଇଥିବା ବଙ୍ଗାଳି ଜମିଦାର ଓଡ଼ିଶା ଲୋକଙ୍କୁ ଲଗେଇ ଓଡ଼ିଶାର ଧାନସବୁ ବୋହିନେଲେ । ଗୋଡ଼ାଣିଆ ଓଡ଼ିଆ ଆପଣା ଅମାର ଖାଲି କରି, ନିଜ ଲୋକଙ୍କ ବିଷୟରେ ପଦୁଟିଏ ଚିନ୍ତା ନ କରି, ସବୁ ଧାନ, ଶସ୍ୟ ନେଇ ବଙ୍ଗାଳି ଜମିଦାରଙ୍କ ପାଖରେ ବଙ୍ଗଦେଶରେ ଅଜାଡ଼ି ଦେଇ ଆସିଲେ । ଆଉ ତେଣିକି ନ’ଅଙ୍କ ଦୁର୍ଭିକ୍ଷରେ ପୋକମାଛି ପରି ମଲେ ଓଡ଼ିଆ ।

ନ’ଅଙ୍କ ଦୁର୍ଭିକ୍ଷ ଏ ଜାତିର ମେରୁଦଣ୍ଡ ଉପରେ ଶକ୍ତ ପାହାର ଥିଲା । ତାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ମଣିଷ ଯେ ବଞ୍ଚିପାରେ, ସେ ଆଶା ବି ତା’ ଭିତରୁ ମରି ଯାଇଥିଲା । ତେନ୍ତୁଳି ଗଛ ସବୁ ନଣ୍ଡା କରି ପତ୍ର ତୋଳି ଖାଇ ବି ସେ ମରିଥିଲା । କଙ୍କାଳ ବୁଲୁଥିଲେ ରାସ୍ତାରେ, ଗାଁରେ, ଗଳିରେ ।

ଖାଇବା ଆଶାରେ ରାଜଧାନୀ କଲିକତାକୁ ପଳେଇଲେ ଓଡ଼ିଆ । ପାଠଶାଠ ତ ପଢି ନଥିଲେ । ତେଣୁ ସେଠି ମାଳି ହେଲେ, ରାନ୍ଧୁଣିଆ ହେଲେ । ବଞ୍ଚିବା ପାଇଁ ନିଜ ବେଉସା ଛାଡ଼ି ପର ଦୁଆରେ ବେଠି ଖଟିଲେ । ଆଉ ଚାଲାଖ ବଙ୍ଗାଳି ଏ ରାନ୍ଧୁଣିଆ ଗୋଷ୍ଠୀଙ୍କୁ ଠାକୁର, ମହାରାଜ ପରି ନାଁ ଦେଇଦେଲେ । ସେତିକିରେ ଛାତି ମୋଟ କରି ପୀଢି ପରେ ପୀଢି ଏ ଦଳୁଟା ବେଠି ଖଟି ଚାଲିଲେ ।

ଏ ଜାତିର ପରିଚୟ ଦୁର୍ଭିକ୍ଷ ହଜେଇ ଦେଲା, ଚିରକାଳ ବୁଡ଼େଇ ଦେଲା । ଗୋଟାଏ ସ୍ୱାଭିମାନୀ ଜାତି ପର ଦୁଆରେ ପେଟ ବିକଳରେ ରାନ୍ଧୁଣିଆ ଓ ମାଳି ଭାବେ ପରିଚିତି ପାଇଲା ଓ ସେ ସ୍ୱୀକୃତିକୁ ସାଦରେ ଗ୍ରହଣ ବି କରିନେଲା ।

ସେଇଲାଗି ତ କାହ୍ନୁଚରଣ ଲେଖି ଦେଲେ- ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ?

ତେବେ ଗତକାଲିର ଏକ ଟୁଇଟକୁ ନେଇ ପୁଣି ବିବାଦ ଟେକିଛି । ସେ ଟୁଇଟଟି ଆନସିଏଣ୍ଟ୍‍ ହିଷ୍ଟ୍ରି (Ancient History) ହ୍ୟାଣ୍ଡେଲରୁ କରାଯାଇଛି । ଯେଉଁଥିରେ କୁହାଯାଇଛି- ନବୀନ ଚନ୍ଦ୍ର ଦାସ ନାମକ ଜଣେ ବଙ୍ଗାଳି ଲୋକ ରସଗୋଲା ଆବିଷ୍କାର କରିଥିଲେ । କିନ୍ତୁ ଉଦ୍ଭାବନ କିଏ କରିଥିଲେ ସେ ବିଷୟରେ କିଛି ବି ଲେଖା ଯାଇନି । ଯେତିକି ଓଡ଼ିଆ ଲୋକେ ଟୁଇଟରରେ ଅଛନ୍ତି, ସେମାନେ ପାଟିତୁଣ୍ଡ ଅଳ୍ପ କରିଛନ୍ତି । ତା’ପରେ ସବୁ ଚୁପ୍‍ । ଗଛ ହଲୁନି କି ପତ୍ର ।

ଏ ଟୁଇଟ୍‍ ସମୟ ଦେଖନ୍ତୁ । ସୋମବାରରୁ ରଥଯାତ୍ରା । ପରେ ନୀଳାଦ୍ରିବିଜେ । ଯେଉଁଦିନ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେଇ ତାଙ୍କ ମାନଭଞ୍ଜନ କରନ୍ତି । ସେହିଦିନକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାର କିଛି ସାମାଜିକ ଗଣମାଧ୍ୟମର ମଣିଷ ଏହାକୁ ‘ରସଗୋଲା ଦିବସ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । କ୍ରମଶଃ ସେଇ ଧାରାକୁ ଏ ରାଜ୍ୟ ଆପଣେଇ ନେଲା । କିନ୍ତୁ ଏ ଟୁଇଟ୍‍ ସେଇ ସମୟରେ ଆସିଛି, ଯେବେ ‘ରସଗୋଲା ଦିବସ’ ଆଉ କେଇ ଦିନ ବାକି ।

ରସଗୋଲାର ଜିଆଇ ଟ୍ୟାଗ୍‍ ଲଢେଇରେ ଆମେ ହାରିଛନ୍ତି । ସୁଇଟ୍‍ ବ୍ୟାଟଲ୍‍ (ମିଠା ଯୁଦ୍ଧ) ବଙ୍ଗାଳି ଜିତିଛନ୍ତି । ପରେ ଆମକୁ କେଇ ବର୍ଷ ପରେ ‘ଓଡ଼ିଶାର ରସଗୋଲା’ ପରି ଜିଆଇ ଟ୍ୟାଗ୍‍ ମିଳିଗଲା । ତାକୁ ନେଇ ବି ଓଡ଼ିଆ ଲୋକେ ପ୍ରଚୁର ଖୁସି ହେଲେ । କେବେ ପଚାରିଲେ ନାହିଁ- କଲିକତା ସହର ଜନ୍ମ ହେବା ପୂର୍ବରୁ ରସଗୋଲା ବିଷୟରେ ଓଡ଼ିଆ ଦାଣ୍ଡି ରାମାୟଣରେ ବର୍ଣ୍ଣନା ଅଛି । ତେବେ ପୁଣି ଏ ‘ଓଡ଼ିଶାର ରସଗୋଲା’ କଣ? କେବଳ ‘ରସଗୋଲା’ କାହିଁକି ନୁହେଁ? ଯାହା ଆମର ନିଜସ୍ୱ ।

ଏହା ଏକ ସାଙ୍କେତିକ ଲଢେଇ ହୋଇପାରେ । ସେହି ସାଙ୍କେତିକ ଲଢେଇ ସହ ଆମ ଜାତିର ଇଷ୍ଟଦେବ, ଆମ ସ୍ୱାଭିମାନ, ଆମର ସବୁକିଛି ବାଜିରେ ଲାଗିଥିଲା । ଆମେ କିନ୍ତୁ ହାରିଗଲେ । ଆମେ ତ ନଗଡ଼ା, ଦାନମାଝୀ, ଫନସ୍‍ ପୁଞ୍ଜି, ବନିତା, କଳାହାଣ୍ଡି, କାଶୀପୁରର ଆମ୍ବଟାକୁଆ ଭିତରେ ରହିଗଲୁ । ସେତିକି ଆମର ପରିଚୟ ହୋଇଗଲା । ଆମେ କେବେ ସେଥିରୁ ବାହାରିଲୁ ହିଁ ନାହିଁ । ଯଦି ବାହାରି ଥାଆନ୍ତୁ- ଯିଏ ଯେବେ ଇଚ୍ଛା, ଏମିତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉଠେଇ ଆମକୁ ଚଟକଣା ମାରନ୍ତା ନାହିଁ ।

ଅଲଗା ଏକ ପ୍ରସଙ୍ଗକୁ ଟିକେ ଯାଉଛି । ରେଭେନ୍ସାରେ ପିଜି କଲା ବେଳେ ଆମ ବିଭାଗରେ ଓଡ଼ିଆ, ବଙ୍ଗାଳି ଓ ମରାଠୀ ଭାଷାଭାଷୀ ଅଧ୍ୟାପକ/ଅଧ୍ୟାପିକା ଥିଲେ । କିନ୍ତୁ ପଢାଉ ଥିଲେ ଉଦ୍ଭିଦ ବିଜ୍ଞାନ । ଦିନେ ଉତ୍ତରା ମ୍ୟାଡାମଙ୍କର କଣ ସମସ୍ୟା ହେଲା, ଯାହା ଆଜିଯାକେ ମୁଁ ଜାଣିନି ।

ମ୍ୟାଡାମ୍‍ ସେ ବିଭାଗର ବଗିଚା ଭିତରେ ବସିଥିଲେ, ମୁଁ ଡରିମରି ପଚାରି ଥିଲି- କଣ ହୋଇଛି ମ୍ୟାଡାମ୍‍? ଆପଣ ଭାରି ଉଦାସ ଲାଗୁଛନ୍ତି?

ମ୍ୟାଡାମ୍‍ କହିଥିଲେ- ମନେ ରଖିଥିବୁ, ଓଡ଼ିଆର ପ୍ରଥମ ଶତ୍ରୁ ହେଉଛି ଓଡ଼ିଆ । ଆଉ ଯୋଉଠିକୁ ଏ ବଙ୍ଗଳା ଜାତି ଲୋକ ଯିବେ, ସେମାନେ ନିଜ ଲୋକଙ୍କୁ ଠେକା ଦେଇ, ଭରା ଦେଇ ଯେମିତି ହେଲେ ଛିଡ଼ା କରିଦେବେ । ଓଡ଼ିଆ ଲୋକେ ଗୋଡ଼ ଟାଣିବେ । ସେଥିରେ ଓଡ଼ିଆ ଲୋକଙ୍କ ସମକକ୍ଷ କେହି ହେବେ ନାହିଁ ।

ପରେ ମୁଁ ଦେଖିଛି- ଓଡ଼ିଆ ଲୋକ ବଙ୍ଗାଳିଙ୍କୁ ଦେଖିଲେ ଓଡ଼ିଆ ଭାଷା ଭୁଲି ଖଣ୍ଡି ବଙ୍ଗାଳି କହିବେ । କିନ୍ତୁ ଆର ଲୋକଟା ସେମିତି ସିଧା ବଙ୍ଗଳା କହୁଥିବ । କଣ ପାଇଁ ଏତେ ହୀନମନ୍ୟତା ଆପଣା ଭାଷାକୁ ନେଇ ମୁଁ ବୁଝି ପାରେନି । କଣ ପାଇଁ ଏ ଜାତି ଏତେ ପଛ ଗୋଡ଼ାଣିଆ?

ଆପଣ ପୁରୀକୁ ଯାଆନ୍ତୁ । ସେଠି ସେବାୟତମାନଙ୍କ- ‘ଦାଦା ଠାକୁର୍‍ ଦେଖୁନ୍‍’, ‘ଦାଦା ବୋଲୁନ୍‍’ ରଡ଼ିରେ ମନ୍ଦିର ଓ ଆଖପାଖ ଫାଟି ପଡ଼ୁଥିବ । ସେଇ ସେବାୟତମାନେ କେବେ ଆପଣା ଓଡ଼ିଆ ଭାଇଙ୍କୁ ଆଡ଼ ଆଖିରେ ଅନେଇବେ ନାହିଁ । ଶ୍ରୀମନ୍ଦିର, ସମୁଦ୍ରକୂଳ, ପୁରୀର ଚାରିଆଡ଼େ ଏଇ ଅବସ୍ଥା । ସେମାନେ କଣ ଅଧିକ ଅଜାଡ଼ି ଦିଅନ୍ତି, ହୁଏତ ସେହି ସେବାୟତମାନେ ଜାଣିଥିବେ । କିନ୍ତୁ ଆମ ଭିତରର ଛୋଟ ମନୋଭାବ ଗଲା ନାହିଁ । ରହିଗଲା ଚିରକାଳ ।

ସେଇ ନ’ଅଙ୍କ ଦୁର୍ଭିକ୍ଷରୁ ମଝି ହାଡ଼ ଭାଙ୍ଗିଛି ଯେ, ଆଉ ସଳଖ ହୋଇ ପାରୁନି । ହେବ ନାହିଁ ମଧ୍ୟ କେବେ । ତେଣୁ ପ୍ରତି ଥର ରସଗୋଲା ଲଢେଇରେ ହାର୍‍ ଆମର ହେଉଥିବ । କ୍ରମଶଃ ସେଇ ତାଲିକାରେ ରସମଲେଇ, ଛେନାଝିଲି୍, ଛେନାପୋଡ଼, ରସାବଳି ସବୁ ଆସିବ । ନିଜର ପରିଚୟ ଭୁଲିଥିବା ଏ ଜାତି ସବୁଥିରେ ହାରିବ । ରାନ୍ଧୁଣିଆ ଓ ମାଳି ପରିଚୟ ନେଇ ଖୁସି ଥିବା, ‘ଦାଦା ବୋଲୁନ୍‍’ କହି କହି ବୁଲୁଥିବା ଜାତି ପୁନଶ୍ଚ ପରାସ୍ତ ହେବ । ଆଗରୁ ଏହା ଘଟିଛି । ଆଗକୁ ଏହା ଜଳଜଳ । ସ୍ପଷ୍ଟ । ତୋଫା ।