Latest Odisha News

BREAKING NEWS

୩୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ପାଇଁ ବ୍ରହ୍ମପୁର ସହର ଏବେ ସୁରକ୍ଷିତ ରାସ୍ତା ପାଲଟିଯାଇଛି । ନିୟମିତ ଅବକାରୀ ବିଭାଗ ଧରପଗଡ଼ କରୁଥିଲେ ମଧ୍ୟ ଚାଲାଣ ଉପରେ ରୋକ୍‌ ଲାଗିପାରୁନି । ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।

ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ କୁମାର ସିଂ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ବୁଧବାର ଭୋର ସକାଳୁ ଆମ୍ବଗଡ଼ ଠାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଜଣକ ହେଲେ ଉତ୍ତରପ୍ରଦେଶର ସଲମତ୍‍ ସାହା (୩୫)।

ସୂଚନାଯୋଗ୍ୟ ଯେ, ଅବକାରୀ ଗୁଇନ୍ଦା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ ବଜାର ଥାନା ଅନ୍ତର୍ଗତ ଆମ୍ବଗଡ଼ ମୁଖ୍ୟ ରାସ୍ତାରେ ଗାଡି ଯାଞ୍ଚ କରୁଥିବା ବେଳେ ଦିଗପହଣ୍ଡି ପଟୁ ଆସୁଥିବା ୟୁପି.୨୫.ଡିଟି-୪୭୯୦ ଟ୍ରକ୍‍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଟ୍ରକ୍‍ରୁ ୨୧୭କେଜି ଗଞ୍ଜେଇ ଜବତ ହୋଇଥିଲା।

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ଲକ୍ଷ ୫୫ହଜାର ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜେଇ ଗୁଡିକ ଗଜପତିରୁ ଉତ୍ତରପ୍ରଦେଶ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଟ୍ରକ୍‍କୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.