Ahmedabad Plane Crash: “ବାପା, ମୁଁ ଫ୍ଲାଇଟରେ ବସିଗଲି”, ଏବେ ବି କାନରେ ଶୁଭୁଛି ସ୍ବର…ଅହମ୍ମଦାବାଦରେ ବିମାନ ଦୁର୍ଘଟଣାକୁ ବର୍ଷେ, ହେଲେ ଆଜିବି ପରଦା ପଛରେ ସତ…
ଅହମ୍ମଦାବାଦ: ବିତିଯାଇଛି ଦିନ…
ହେଲେ ଏବେ ବି ଶୁଖିନି ଅନେକ ପରିବାରଙ୍କ ଆଖିର ଲୁହ…
ଜୁନ୍ ୧୨ ତାରିଖର ସେ କଳା ଦିନ
ଆତ୍ମୀୟଙ୍କୁ ହରାଇବାର କ୍ଷତକୁ ଭରଣା କରିନି କ୍ଷତିପୂରଣ
୨୦୨୫ ମସିହା ଜୁନ୍ ୧୨ ତାରିଖ । ସମୟ ଅପରାହ୍ନ ୧ଟା ୩୮ ମିନିଟ୍ । ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରେ ବୋଇଙ୍ଗ ୭୮୭ ଡ୍ରିମଲାଇନର ଏୟାର ଇଣ୍ଡିଆ ବିମାନ ୧୭୧। ଉଡ଼ାଣ ଭରିବାର ମାତ୍ର ୩୨ ସେକେଣ୍ଡ ହୋଇଛି, ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଶୁଣାଯାଏ, ଗୋଟିଏ ଛାତିଥରା ଭଏସ୍…ମେ ଡେ, ମେ ଡେ, ମେ ଡେ…। ଆଉ ତା ପରେ କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ହୋଇଯାଇଥିଲା ସବୁ ଶେଷ । ମାତ୍ର କେଇଟା ସେକେଣ୍ଡରେ ପାଉଁଶ ହୋଇଯାଇଥିଲା ୨୬୦ ଜୀବନ । ଆଜି ସେ କାଳର କରାଳ ଦିନକୁ ବର୍ଷେ ପୁରିଛି ।
ଗତ ବର୍ଷ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଆଜି ଗୋଟିଏ ବର୍ଷ ପୁରିଛି, ଏବଂ ପ୍ରାଣ ହରାଇଥିବା ୨୬୦ ଜଣଙ୍କ ପରିବାର ଏବେ ବି ସେମାନଙ୍କ ଲୁହରେ ଶୋକ କରୁଛନ୍ତି। ଏୟାର ଇଣ୍ଡିଆ ବିମାନ AI ୧୭୧ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା କିଛି ଲୋକ ଏବେ ବି ବିମାନରେ ଉଡ଼ିବାକୁ ଭୟ କରୁଛନ୍ତି, ଯେତେବେଳେ କି କିଛି ପରିବାର ଏବେ ବି ସେ ଶକ୍ତ ଆଘାତରୁ ବାହାରି ପାରିନାହାନ୍ତି । କାହାର ବାପା, କାହାର ପୁଅ, ଝିଅ, ବୋହୂ, ମାଆ…ପରିଜନଙ୍କୁ ହରାଇ ଆଜିବି ଆଖିର ଲୁହ ଶୁଖୁନି । ଏଇ ବର୍ଷକ ଭିତରେ ଏମିତି ଗୋଟିଏ ଦିନ ନାହିଁ, ଯେଉଁଦିନ ସେମାନେ ନିଜର ପ୍ରିୟଜନଙ୍କୁ ମନେପକାଇନାହାନ୍ତି ।
ଏହି ଦୁଃଖଦ ଘଟଣାର କ୍ଷତ ଅନେକ ପରିବାର ଏବଂ ସାକ୍ଷୀଙ୍କ ପାଇଁ ଏପର୍ଯ୍ୟନ୍ତ ଶୁଖିନାହିଁ। ଜୁନ୍ ୧୨, ୨୦୨୫ରେ ଲଣ୍ଡନ ଯାଉଥିବା ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଦିଉ ବାସିନ୍ଦା ରଫିକ୍ ଆରବ ତାଙ୍କ ୨୫ ବର୍ଷୀୟ ପୁଅ ଫୈଜାନଙ୍କୁ ହରାଇଥିଲେ। ସେବେଠାରୁ ସେ କୌଣସି ବିମାନ ଚଢ଼ି ନାହାଁନ୍ତି ଏବଂ ବିମାନ ଯାତ୍ରା ଶୁଣିଲେ ଯେମିତି ଥରି ଉଠେ ବାପାର ଛାତି । ଫୈଜାନ ୟୁକେରେ ଇସଲାମିକ୍ ଅଧ୍ୟୟନ ପଢ଼ୁଥିଲେ ଏବଂ ଦିଉରେ ତାଙ୍କ ପରିବାରକୁ ଭେଟିବା ପରେ ଫେରୁଥିଲେ। ତାଙ୍କ ବାପାଙ୍କୁ ତାଙ୍କ ଶେଷ ଫୋନ୍ ମେସେଜ୍ ଥିଲା, “ବାପା, ମୁଁ ଫ୍ଲାଇଟରେ ବସିଗଲି ଏବଂ ମୁଁ ଯାଉଛି।” ହେଲେ ଏହା ଯେ ଶେଷ ଥର ବାପା ଡାକ ଥିଲା କିଏ ବା ଜାଣିଥିଲା । ଏହି ଦୁଃଖଦ ଘଟଣା ମନେ ପକାଇ ରଫିକ୍ କହିଛନ୍ତି, “କିଏ କଳ୍ପନା କରିପାରିଥାନ୍ତା ଯେ ଏହା ତାଙ୍କର ଶେଷ ବାର୍ତ୍ତା ହେବ? ସେହି ଦିନଠାରୁ ଆମେ ବିମାନ ଯାତ୍ରା କରିନାହୁଁ । ଉପର ଦେଇ ଯାଉଥିବା ଏକ ବିମାନର ଶବ୍ଦ ମଧ୍ୟ ଆମକୁ ଥରାଇ ଦିଏ ଏବଂ ଆମକୁ ମନେ ପକାଇ ଦିଏ ଯେ କିପରି ଗୋଟିଏ ମୁହୂର୍ତ୍ତରେ ୨୬୦ ଜୀବନ ଜଳି ପୋଡି ପାଉଁଶ ହୋଇଯାଇଥିଲା ।
ସେଦିନର ସେ ପାଉଁଶ ଆଜି ମାଟିରେ ମିଶିଯାଇଛି । ହେଲେ ପ୍ରିୟଜନଙ୍କୁ ଅଲିଭା ଦୁଃଖ ଦେଇଯାଇଛି । ସେଦିନ ସେ ବିମାନରେ ମୋଟ ୧୪୧ ଜଣ ଯାତ୍ରା କରୁଥିବା ବେଳେ ଏକ ମେଡିକାଲ କଲେଜରେ ଯାଇ କ୍ରାସ ହୋଇଥିଲା ବିମାନ । ଫଳରେ ସେଠିକା ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ସୌଭାଗ୍ୟବଶତଃ ବିମାନର ୧୪୧ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ଜଣେ ଯାତ୍ରୀ ବିଶ୍ବାସାକୁମାର ରମେଶ ସେଦିନ ଭଗବାନଙ୍କ କୃପାରୁ ବଞ୍ଚିଯାଇଥିଲେ । ଆଜି ବି ସେ ସେଦିନକୁ ମନେପକାଇଲେ ତାଙ୍କ ଛାତି ଥରି ଉଠେ । ସେ ଏହାକୁ କେବଳ ଏକ ଚମତ୍କାର ବ୍ୟତୀତ କିଛି ନୁହେଁ ବୋଲି କହିଛନ୍ତି । ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଦୁର୍ଘଟଣାରେ ଆଖି ବୁଜିଥିଲେ । ଲଣ୍ଡନରେ ଥିବା ତାଙ୍କ ପୁଅକୁ ଭେଟିବାକୁ ବିଜୟ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଯାଇଥିଲା । ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ମିଳିଛି । ହେଲେ ସେମାନଙ୍କ କ୍ଷତର ଭରଣା କରିପାରିନାହିଁ ଏହି କ୍ଷତିପୂରଣ । ସେପଟେ ଏହି ଦୁର୍ଘଟଣାକୁ ବର୍ଷେ ପୁରିଥିବା ବେଳେ, ଆଜିବି ପରିବାର ଲୋକେ ଜାଣିପାରିଲେନି ସେମାନଙ୍କ ପ୍ରିୟଜନଙ୍କ ଜୀବନ ଯିବା ପଛରେ ମୁଖ୍ୟ କାରଣ କ’ଣ ଥିଲା ? ଏହି ବର୍ଷକ ମଧ୍ୟରେ ସାମ୍ନାକୁ ଆସିପାରିନି ସେଦିନର ବିମାନ ଦୁର୍ଘଟଣାର ପ୍ରକୃତ ସତ । ସମସ୍ତ ପରିବାର କେବଳ ଗୋଟିଏ ଦାବି କରିଛନ୍ତି ଦୁର୍ଘଟଣାର ସତ ସାମ୍ନାକୁ ଆସୁ, ଆଉ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯେଭଳି ଏଭଳି କାଳ ଦିନ ପୁଣି କେବେ କାହା ଜୀବନରେ ନଆସୁ ।