ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ‘ଗଭୀର ଅବପାତ’ ଗତକାଲି ରାତିରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିଛି।
ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଜୋରଦାର ପବନ ବହିଛି। ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଆଗାମୀ ୨ ଦିନ ପାଇଁ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଆଜି ଦକ୍ଷିଣରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗୁରୁବାର ଦିନ ଏହା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ସମସ୍ୟା ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ମୋଟ ୧୦୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବର୍ଷାଜଳ ନିଷ୍କାସନ ଠିକ୍ ଭାବେ ନ ହେବା ଯୋଗୁଁ ଅନେକ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଯାଇଥିଲା ଏବଂ ସହରର କିଛି ଅଂଶ ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡ଼ି ରହିଥିଲା। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜି ଅତି ପ୍ରବଳ ବର୍ଷା ନେଇ ‘ରେଡ୍ ୱାର୍ଣ୍ଣିଂ’ ଜାରି କରିଛି। ଏହାସହ ନବରଙ୍ଗପୁର ଜିଲ୍ଲା ପାଇଁ ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ‘ରେଡ୍ ୱାର୍ଣ୍ଣିଂ’ ବଳବତ୍ତର ରହିଛି। ସେହିପରି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଗାମୀ ୧୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ କାରଣ ଏହି ପାଣିପାଗ ପ୍ରଣାଳୀ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଯାହା ଫଳରେ ଦକ୍ଷିଣ ଓଡ଼ିଶାର ଅଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।

