Latest Odisha News

BREAKING NEWS

ବିରୋଧୀଙ୍କ ପ୍ରଶ୍ନ: ଭୟରେ ନା କାହା ଚାପରେ ଶୀତକାଳୀନ ଅଧିବେଶନ ବନ୍ଦ କଲେ ସରକାର ?

ଭୁବନେଶ୍ୱର: ହଠାତ ବନ୍ଦ ହୋଇଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ବିରୋଧି ସ୍ତବ୍ଧ । ୩୦ଦିନର କାର୍ଯ୍ୟକ୍ରମ ୪ ଦିନରେ ସାରିଦେଲେ ? ହେଲେ କାହିଁକି ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରଶ୍ନତାଲିକା ସଜାଡି ରଖିଥିଲେ ବିରୋଧି । ସରକାରଙ୍କୁ ଘେରିବା ପାଇଁ କେତେ ରଣନୀତି ପ୍ରସ୍ତୁତ ହୋଇଥିଲା । ହେଲେ ଗୃହରେ କୌଣସି ସରକାରୀ କାର୍ଯ୍ୟ ନଥିବା କହି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲେ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହି ପ୍ରସ୍ତାବ ଆଣିବା ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ।

ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବାର ଥିଲା। ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଗୋଟିଏ ବିଲ୍ ପାରିତ ହୋଇଛି। ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତରକୁ ନେଇ ପ୍ରବଳ ହୋ-ହଲ୍ଲା ହୋଇଥିଲା ।

ଏପଟେ ବିଧାନସଭା ବନ୍ଦ ହେବା ପରେ ବର୍ଷିଛନ୍ତି ବିରୋଧି । ବିଜେପି କହିଛି ଧୋକା ଦେଇଛି ବିଜେଡି ସରକାର । ବିଜେପି ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଗଣତନ୍ତ୍ରକୁ ଧୋକା ଦେଇଛନ୍ତି ସରକାର । ବିରୋଧୀଙ୍କୁ ସାମ୍ନା କରିବାକୁ ଭୟ କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଅପାରଗ ସରକାର ନିଜ ଜ୍ଞାନ ହଜାଇ ଦେଇଛନ୍ତି । ଆଦିବାସୀ ଜମି ହଡପ କରିବାକୁ ଚାହୁଁଥିଲେ ସରକାର । ହେଲେ କଂଗ୍ରେସ, ବିଜେପି ବିରୋଧ କରିବାରୁ ବିଧାନସଭା ବନ୍ଦ କରିଦେଲେ  । ଏଥିପାଇଁ ଆମେ ମର୍ମାହତ ।

ଅନ୍ୟପକ୍ଷେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ବିଧାନସଭା ସରକାର କରି ନାହାନ୍ତି । କେଉଁ ଶିଳ୍ପପତିଙ୍କ ନିର୍ଦ୍ଦେଶରେ ଏହାକୁ ବନ୍ଦ କରିଛନ୍ତି । ଆଦିବାସୀ ଜମି ସମ୍ପର୍କରେ ଗୃହରେ ଆଲୋଚନା ହେଲେ କାଳେ ଧରାପଡିଯିବେ ସଂପୃକ୍ତ ଶିଳ୍ପପତି, ତେଣୁ ସେମାନଙ୍କ ଚାପରେ ସରକାର ୪୦ ଦିନର ବିଧାନସଭାକୁ ୪ ଦିନରେ ବନ୍ଦ କରିଦେଲେ । ତେବେ ସରକାର ଏ ନିଷ୍ପତ୍ତିରୁ ଓହରି ତୁରନ୍ତ ବିଧାନସଭା ଡାକନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ ଜେନା ।

Leave A Reply

Your email address will not be published.