Latest Odisha News

ବିଜେପିକୁ ହରାଇବା ବାଟ ପାଇଗଲେ ବିରୋଧୀ !

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ଦେଶର ୧୫ ଟି ବିରୋଧୀ ଦଳର ମୁଖିଆମାନେ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେପିକୁ ଶାସନରୁ ହଟାଇବା ପାଇଁ ଫର୍ମୁଲା କଣ ହେବ, ସିଟ ବୁଝାମଣା କେଉଁ ଭିତ୍ତିରେ ହେବ ଏ ସବୁ ସମ୍ପର୍କରେ ବିସଦ ଭାବେ ଆଲୋଚନା ହୋଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ହୋଇଥିବା ବିରୋଧୀଙ୍କ ବୈଠକରେ ବହୁ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ସ୍ୱତନ୍ତ୍ର ଏଜେଣ୍ଡା ମଧ୍ୟ ପ୍ରସ୍ତୁତ ହୋଇଛି।

ବିଜେପିର ଘୃଣା ରାଜନୀତି ବିରୋଧରେ ସବୁ ବିରୋଧୀ ଏକାଠି ହୋଇ ଲଢ଼ିବେ ବୋଲି କଂଗ୍ରେସ ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେ କହିଛନ୍ତି। କିନ୍ତୁ ୧୫ ଟି ବିରୋଧୀ ରାଜନୈତିକ ଦଳ ନିଜ ନିଜର ଏଜେଣ୍ଡାକୁ ଦୂରରେ ରଖି କେତେଦୂର ସମୂହ ସ୍ୱାର୍ଥକୁ ନେଇ କାମ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବିରୋଧୀ ବୈଠକରେ ସାମିଲ ହୋଇଥିବା ନେତାମାନେ ପାଟନାରେ ପହଂଚିବା ସହ ବୈଠକ ପୂର୍ବରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ପାଟନାର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।

ବିହାର ପ୍ରଦେଶ କଂଗ୍ରେସ ପକ୍ଷରୁ ରାହୁଲଙ୍କ ସ୍ୱାଗତ କରିବା ଅବସରରେ ବିଭିନ୍ନ ସ୍ଥାନରେ ମହାବାତ କି ଦୁକାନ କରାଯାଇଛି। ସଦାକାତ ଆଶ୍ରମର କାର୍ଯ୍ୟକର୍ତା ମାନେ ରାହୁଲ ଓ ମଳିକାର୍ଜୁନ ଖଡ଼ଗେଙ୍କୁ ସ୍ୱାଗତ କରିଥିବା ବେଳେ ରାହୁଲ ମୋଦି ସରକାର ଉପରେ ବର୍ଷିଛନ୍ତି।

ବିଜେପି ଦେଶକୁ ଭାଙ୍ଗିବା କାର୍ଯ୍ୟ କରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଦେଶରେ ଏବେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି। ଗୋଟିଏ ପଟେ କଂଗ୍ରେସର ଭାରତ ଯୋଡୋ ଓ ଅନ୍ୟପଟେ ବିଜେପି ଆରଏସଏସର ଭାରତ ତୋଡୋ ବିଚାରଧାରା ମଧ୍ୟରେ ଲଢେ଼ଇ ଚାଲିଥିବା ରାହୁଲ କହିଛନ୍ତି।

ସେଥିପାଇଁ ସେ ବିହାର ଆସିଥିବାବେଳେ ଦେଶର ବିରୋଧୀ ଦଳଗୁଡିକ ମିଶି ବିଜେପିକୁ ହରାଇବାକୁ ଯାଉଛନ୍ତି ବୋଲି କହିଛନ୍ତି ରାହୁଲ। ଏପରିକି କର୍ଣ୍ଣାଟକରେ ବିଜେପିର କିଭଳି ଅବସ୍ଥା ହେଲା ସମସ୍ତେ ଦେଖିଛନ୍ତି ବୋଲି ସେ କହିଛନ୍ତି।

କର୍ଣ୍ଣାଟକରେ ବିଜେପି ବଡ଼ ବିଜୟ ହାସଲ କରିବ ବୋଲି କହୁଥିବା ବେଳେ ଏଭଳି ଅବସ୍ଥା ହେଲା। ଯେମିତି କଂଗ୍ରେସ ଏକ ହୋଇ ଛିଡା ହୋଇଗଲା ସେମିତି ବିଜେପି ଗାୟବ ହୋଇଗଲା ବୋଲି ରାହୁଲ କହିଛନ୍ତି।

ସେପଟେ ମହାବୈଠକକୁ ନେଇ କଂଗ୍ରେସ ବିରୋଧୀ ଦଳର ନେତାମାନଙ୍କୁ ନେଇ ଏକ ପୋଷ୍ଟ କରିଛି। ଯେଉଁଥିରେ ଲୋକତନ୍ତ୍ରରର ରକ୍ଷା ଏକମାତ୍ର ଦାୟିତ୍ୱ ବୋଲି ଲେଖାଯାଇଛି।

ସେପଟେ ବିରୋଧୀ ବୈଠକକୁ ନେଇ ବିଜେପି ମଧ୍ୟ ଜୋରଦାର ବର୍ଷିଛି। କଂଗ୍ରେସ ବିଜେପିକୁ ଏକା ହରାଇପାରିବନି ବୋଲି ବିରୋଧୀ ବୈଠକରୁ ସ୍ପଷ୍ଟ ହୋଇଥିବା ବିଜେପି କହିଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିରୋଧୀମାନେ ଏକ ଫଟୋ ସେସନ ପାଇଁ ଏକାଠି ହୋଇଛନ୍ତି ବୋଲି କହିଛନ୍ତି। ବିରୋଧୀମାନେ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି ବୋଲି ଶାହା କହିଛନ୍ତି। ସେମାନେ ଯେତେ ଚେଷ୍ଟା କଲେ ବି ଏକାଠି ହୋଇପାରିବେ ନାହିଁ।

ଯଦି ବି ବିରୋଧୀ ଏକାଠି ହୋଇଯାଆନ୍ତି ତଥାପି ମୋଦି ୩୦୦ ରୁ ଅଧିକ ଆସନ ଜିତି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଅମିତ ଶାହା କହିଛନ୍ତି। ସେପଟେ କଂଗ୍ରେସ ଏକା ବିଜେପିକୁ ହରାଇବାକୁ ସମର୍ଥ ହୋଇ ପାରୁ ନ ଥିବାରୁ ଦଳକୁ ସାହାରାର ଆବଶ୍ୟକତା ଅଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ସେପଟେ ବିରୋଧୀଙ୍କ ବୈଠକରେ ବିଜେପିକୁ ହରାଇବା ପାଇଁ କିଛି ପ୍ରମୁଖ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଦେଶର ବିଭିନ୍ନ ଲୋକସଭା ଆସନରେ ବିଜେପି ବିରୋଧରେ ବିରୋଧୀ ଗୋଟିଏ ଲେଖାଏଁ ପ୍ରାର୍ଥୀ ଦେବେ।

ଯେଉଁ ରାଜ୍ୟ ଓ ଲୋକସଭା ଆସନରେ ଯେଉଁ ଦଳ ଶକ୍ତ ଥିବ ତାକୁ ଅନ୍ୟ ବିରୋଧୀ ମାନେ ସାମୁହିକ ସମର୍ଥନ ଦେବେ ବୋଲି ଯୋଜନା ହେଉଛି। ବିଜେପି ବିରୋଧରେ ହେଉଥିବା ଏହି ଶକ୍ତିର ନାଁ କଣ ହେବ ଓ ଢାଞ୍ଚା କଣ ହେବ। ବିଭିନ୍ନ ଦଳର ଆସନ ବୁଝାମଣା ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି।

ସେପଟେ ବିରୋଧୀଙ୍କ ଆଗାମୀ ବୈଠକ ଶିମଲାରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେଠାରେ ଆହୁରି କିଛି ପ୍ରସଙ୍ଗକୁ ରୂପ ଦିଆଯିବ ବୋଲି କୁହାଯାଉଛି ।

Comments are closed.