Latest Odisha News

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜେପିକୁ ଶାସନରୁ ହଟାଇବା ପାଇଁ ଧର୍ମ ନିରପେକ୍ଷ ଭୋଟକୁ ଭାଗ ଭାଗ ନ କରି ଏକାଠି କରିବାକୁ ଯୋଜନା ହୋଇଛି। ବାମପନ୍ଥୀ ଦଳ ଗୁଡିକର ପ୍ରଭାବ ଥିବା ଦକ୍ଷିଣ କନ୍ନଡ଼ ଓ ଉଡୁପି ଜିଲ୍ଲା ଗୁଡିକରେ ପ୍ରାର୍ଥୀ ନ ଦେବାକୁ ସ୍ଥିର କରାଯାଇଛି।

ପ୍ରାର୍ଥୀ ନ ଦେଲେ ମଧ୍ୟ ଧର୍ମ ନିରପେକ୍ଷ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯିବ ବୋଲି କୁହାଯାଇଛି। ବିଜେପିକୁ ଚେକ ଦେବାକୁ ବିରୋଧୀ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି।

ସେପଟେ ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରିଛନ୍ତି। ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନଙ୍କ ମଧ୍ୟରୁ କିଛି ନେତା ଦଳ ଛାଡିବା ସହ ଅନ୍ୟ ଦଳକୁ ଯିବାକୁ ଆଲୋଚନା କରୁଛନ୍ତି। ଆଉ ସମୟ ଅଧିକ ନ ଥିବାରୁ ଯେଉଁ ଦଳରୁ ଟିକେଟ ମିଳିବ ସେ ଦଳକୁ ଯାଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି ନେତାମାନେ।

ସେପଟେ ଆଉ କିଛି ଟିକେଟ ପାଇ ନ ଥିବା ବରିଷ୍ଠ ନେତା ସ୍ୱାଧିନ ଭାବେ ଲଢ଼ିବାକୁ ଯୋଜନା କରୁଛନ୍ତି। କିଛି ନେତା ଦଳ ଭିତରେ ରହି ପ୍ରତିଶୋଧ ନେବା ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବିଶେଷ କରି ବିଜେପିରେ ଏ ସବୁ କଥା ଅଧିକ ଦେଖାଯାଉଥିବା ବେଳେ କଂଗ୍ରେସ ଓ ଜେଡିଏସରେ ମଧ୍ୟ କିଛି କିଛି ରହିଛି।

ଅନ୍ୟପଟେ ଜାତୀୟ ଦଳ ଭାବେ ମାନ୍ୟତା ପାଇଥିବା ଆମ ଆଦମୀ ପାର୍ଟି ପ୍ରାର୍ଥୀମାନେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସହ ଜୋରଦାର କ୍ୟାମ୍ପେନ କରିବାକୁ ପ୍ରମୁଖ ଦଳଗୁଡିକ ପ୍ରସ୍ତୁତ ହେଉଛନ୍ତି। ହେଭିୱେଟ ମାନେ ଖୁବ ଶୀଘ୍ର ଜୋରଦାର ପ୍ରଚାର କରିବେ।

ଏସବୁ ଭିତରେ ବିଜେପିର ଚିନ୍ତା ବଢିଛି। ଗୋଟିଏ ପଟେ ଦଳରେ ବିଦ୍ରୋହୀ ନେତା ଟେନସନ ବଢ଼ାଇ ଦେଇଥିବା ବେଳେ ସେପଟେ ବିରୋଧୀ ଦଳଗୁଡିକ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଥିବାରୁ ବିଜେପି ଅଡୁଆରେ ପଡିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବହୁଥିବା ହାୱା ବିଜେପିର ଚିନ୍ତାକୁ ଆହୁରି ବଢାଇଦେଇଥିବା କୁହାଯାଉଛି।

Leave A Reply

Your email address will not be published.