Latest Odisha News

BREAKING NEWS

‘କୁଆଡେ ଗଲା କବଚ’, ଟ୍ରେନ ଦୁର୍ଘଟଣା ପାଇଁ ବିଜେପିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଯୋଗୁ ଶହ ଶହ ଜୀବନ ଯାଇଛି। ଏପରିକି ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବହୁ ପରିବାର ଛାରଖାର ହୋଇଯାଇଛି। ଦେଶ ବିଦେଶରୁ ସମବେଦନାର ସୁଅ ଛୁଟିଛି।

ଏଭଳି ଏକ ଗଭୀର ଦୁଃଖ ସମୟରେ ଦୁର୍ଘଟଣାର ମୂଳ କାରଣକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭୟାବହ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାରୁ ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ପୂର୍ବରୁ ଖୋଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଏକ ଭିଡ଼ିଓକୁ ଟ୍ୱିଟ ମାଧ୍ୟମରେ ଦେଖାଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ରେଳମନ୍ତ୍ରୀ ପୂର୍ବରୁ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ଟେକ୍ନୋଲୋଜି ବା କବଚ ଭଳି ଅତ୍ୟାଧୁନିକ ଶୈଳୀରେ କିଭଳି ଟ୍ରେନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ତାର ଉଦାହରଣ ଦେଉଥିବାର ଭିଡିଓ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ସେୟାର କରିଛି।

ରେଳମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହା ଏଭଳି ଏକ ଟେକ୍ନୋଲୋଜି ଯେଉଁଥିରେ ଗୋଟିଏ ରେଳ ଟ୍ରାକରେ ଦୁଇଟି ଟ୍ରେନ ଆସିଗଲେ କବଚ ଦୁର୍ଘଟଣା ଘଟିବା ପୂର୍ବରୁ ଟ୍ରେନକୁ ବ୍ରେକ ଲଗାଇ ରୋକିଦେଵ। ଯାହାଦ୍ୱାରା ଦୁର୍ଘଟଣା ହେବ ନାହିଁ।

ଏପରିକି ଯଦି ଗୋଟିଏ ଟ୍ରାକରେ ଆଗପଛ ହୋଇ ଟ୍ରେନ ଆସୁଛି ଓ ଉଭୟ ପାଖାପାଖି ହୋଇଗଲେ ତେବେ ଏହି ଟେକ୍ନୋଲୋଜି ଦ୍ୱାରା ପଛ ଟ୍ରେନ ନିଜ ଗତିକୁ ବ୍ରେକ ଲଗାଇ ଆପେ ଆପେ କମ କରିଦେଵ ଓ ଦୁର୍ଘଟଣା ହେବ ନାହିଁ।

ରେଡ଼ ଲାଇଟ କିମ୍ବା ଗେଟ ପୂର୍ବରୁ ଯଦି ଡ୍ରାଇଭର ଟ୍ରେନର ବେଗ କମ ନ କଲେ କିମ୍ବା ନ ରୋକିଲେ ତାହେଲେ କବଚ ଆପେ ଆପେ ଟ୍ରେନକୁ ରୋକିଦେଵ ଓ ଆବଶ୍ୟକ ସ୍ଥଳେ ହୁଇସିଲ ବଜାଇଦେଵ ବୋଲି ରେଳମନ୍ତ୍ରୀ ହାତରେ ଦୁଇଟି ଟ୍ରେନର ଡେମୋ ଦେଖାଇ କହିଥିଲେ।

ଏହା ଯାତ୍ରୀଙ୍କ ସୁରକ୍ଷା ଦିଗରେ ଏକ ପଦକ୍ଷେପ ଓ ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ସାଧାରଣ ଲୋକଙ୍କ ଜୀବନରେ ଏହା ପରିବର୍ତ୍ତନ ଆଣିବ ବୋଲି ବୈଷ୍ଣବ କହିଥିଲେ। ଏହାକୁ କଂଗ୍ରେସ ପକ୍ଷରୁ ଟ୍ୱଟରରେ ସେୟାର କରାଯିବା ସହ ଏହି ଦୁର୍ଘଟଣା ବେଳେ କବଚ କେଉଁଠି ଥିଲା ବୋଲି ପ୍ରଶ୍ନ କରାଯାଇଛି।

ଏପରିକି ଏଭଳି ହୃଦୟବିଦାରକ ଓ ଦୁଃଖଦ ଘଟଣା ପାଇଁ କିଏ ତ ଦାୟୀ ହେବ ବୋଲି ପ୍ରଶ୍ନ କରାଯାଇଛି। ସେହିଭଳି ଦେଶର ରେଳ ନେଟୱାର୍କରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ। ଏହି ଘଟଣାରେ ବହୁ ପ୍ରଶ୍ନ ଉଠିବ ବୋଲି ସେ କହିଛନ୍ତି।

ସେପଟେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ମଧ୍ୟ ଏ ଘଟଣାରେ ସରକାର ଦୁର୍ଘଟଣାର କାରଣ ବାହାର କରିବା ସହ ଯିଏ ଏଥିପାଇଁ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି।

କଂଗ୍ରେସ ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେ ମଧ୍ୟ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ରେଳମନ୍ତ୍ରୀଙ୍କୁ ବହୁ ପ୍ରଶ୍ନ ପଚାରିବାର ଅଛି ବୋଲି କହିଛନ୍ତି। କାହିଁକି ଏଭଳି ଘଟଣା ଘଟୁଛି ଓ କେଉଁମାନେ ଏଥିପାଇଁ ଉତ୍ତରଦାୟୀ ତାର ଉତ୍ତର ଦେବାକୁ ପଡିବ ବୋଲି ସେ କହିଛନ୍ତି।

ସେପଟେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମଧ୍ୟ ଘଟଣାରେ ଅବହେଳା ଓ ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି। ଯେଉଁଥିପାଇଁ ଏତେ ଜୀବନ ଗଲା ବୋଲି ସେ କହିଛନ୍ତି। ଏକ ବଡ଼ ଅବହେଳା ହୋଇଛି ଓ ଯେଉଁମାନେ ଏଥିପାଇଁ ଦାୟୀ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲାଲୁ ଯାଦବ।

ତୃଣମୂଳ କଂଗ୍ରେସ ଏ ଘଟଣାରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ଦାବି କରିଛନ୍ତି। କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବିରୋଧୀଙ୍କ ବିରୋଧରେ ଗୁଇନ୍ଦାଗିରି ପାଇଁ ଖର୍ଚ୍ଚ କରୁଥିବା ବେଳେ ଟ୍ରେନରେ ଦୁର୍ଘଟଣା ରୋକିବାକୁ ଆଣ୍ଟି କୋଲିଜନ ଡିଭାଇସ ଲଗାଇବାରେ କାହିଁକି ଅବହେଳା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ନରେନ୍ଦ୍ର ମୋଦି ସରକାର ବନ୍ଦେ ଭାରତ ଟ୍ରେନକୁ ନେଇ ଗର୍ବ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସେପଟେ ବିଜେପି ମଧ୍ୟ ଏହାକୁ ନେଇ ଟିଏମସିକୁ କାଉଣ୍ଟର କରିଛି।

ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ବେଳେ ବହୁ ରେଳଦୁର୍ଘଟଣା ହୋଇଥିଲା। ମମତା କଣ ଇସ୍ତଫା ଦେଇଥିଲେ କି ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ଏଭଳି ଦୁଃଖଦ ଘଟଣାର ରାଜନୀତିକରଣ ବନ୍ଦ କରିବାକୁ ପଶ୍ଚିମବଙ୍ଗ ବିଜେପିର ମୁଖପାତ୍ର ସମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ମହାରାଷ୍ଟ୍ରର ବିରୋଧୀ ଦଳ ନେତା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶ ଏଭଳି ଏକ ବଡ଼ ଟ୍ରେନ ଦୁର୍ଘଟଣା ଦେଖି ନ ଥିବା ବେଳେ ପୂର୍ବରୁ ଏଭଳି ବଡ଼ ଘଟଣା ହେଲେ ରେଳମନ୍ତ୍ରୀ ମାନେ ଇସ୍ତଫା ଦେଇଥାନ୍ତି। କିନ୍ତୁ ଏବେ କେହିବି ଏ କଥା କହୁ ନାହାନ୍ତି ବୋଲି ଅଜିତ କହିଛନ୍ତି।

ଏପରିକି ଦେଶରେ ଉନ୍ନତ ଯାତ୍ରୀ ପରିବହନ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଚଲା ଯାଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୈତିକତା ଦୃଷ୍ଟିରୁ କେନ୍ଦ୍ର ରେଳମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ଏନସିପି ପକ୍ଷରୁ କୁହାଯାଇଛି।

ସେପଟେ ଆମ ଆଦମୀ ପାର୍ଟି ମଧ୍ୟ ଏଭଳି ଦୁଃଖଦ ଘଟଣା ପରେ ରେଳ ସୁରକ୍ଷାକୁ ନେଇ କିଛି ମୌଳିକ ପ୍ରଶ୍ନ ଉଠାଇଛି। କେନ୍ଦ୍ର ସରକାରଙ୍କ ଉପରେ ଏହାକୁ ନେଇ ବର୍ଷିଛି ଦଳ। ଯାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବେ ବି ଦୃଷ୍ଟି ଦେଇ ନ ଥାନ୍ତି କେବଳ ପ୍ରଚାର ପ୍ରସାର ହିଁ କେନ୍ଦ୍ରର ବିଜେପି ସରକାରଙ୍କ ଉଦେଶ୍ୟ ବୋଲି ଅଭିଯୋଗ କରିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ।

ଦେଶରେ ପ୍ରାୟ ୬୫ ହଜାର କିଲୋମିଟର ରେଳ ନେଟୱାର୍କ ଥିବାବେଳେ ମାତ୍ର ୧୪୦୦ କିଲୋମିଟରରେ ଆଣ୍ଟି କୋଲିଜନ ଡିଭାଇସ ଲାଗିଛି। ଯେଉଁ ଡିଭାଇସ ରେଳ ଦୁର୍ଘଟଣା ରୋକିବାରେ ପ୍ରମୁଖ ଭୁମିକା ଗ୍ରହଣ କରେ।

କିନ୍ତୁ ମୋଦିଙ୍କ ଶାସନର ୯ ବର୍ଷ ମଧ୍ୟରେ ମାତ୍ର ଦୁଇ ପ୍ରତିଶତ ସ୍ଥାନରେ ଏହା ଲାଗିଛି। ଯାହାକୁ ନେଇ ଆପ ପ୍ରଶ୍ନ ଉଠାଇଛି। ଏପରିକି ଦେଶରେ ଥିବା ପ୍ରାୟ ୨୩ ହଜାର ଟ୍ରେନ ମଧ୍ୟରୁ ମାତ୍ର ୬୫ ଟି ଟ୍ରେନରେ ଏହି ଡିଭାଇସ ଲାଗିଛି।

ଏପରିକି ଆଡ଼ଭାନଡ଼ ସିଗ୍ନାଲିଙ୍ଗ ବ୍ୟବସ୍ଥା ଓ ରେଳବାଇ ଟ୍ରାକ ଅପଗ୍ରେଡ ବ୍ୟବସ୍ଥା ମଧ୍ୟ ବହୁ କମ କରାଯାଇଛି। ଯାହାକି ଦୁର୍ଘଟଣା ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ ରେଳବାଇରେ ଯାତ୍ରୀ ସୁରକ୍ଷା ଦିଗରେ ବିଜେପି ସରକାର ଆଦୌ ଦୃଷ୍ଟି ଦିଏନି ବୋଲି ଆପ ସାଂସଦ ତଥା ରେଳବାଇ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଠକ କହିଛନ୍ତି।

ଗୋଟିଏ ପଟେ ଏତେ ବଡ଼ ଦୁର୍ଘଟଣା ଓ ବହୁ ଜୀବନ ହାନି ହୋଇଥିବା ବେଳେ ବିରୋଧୀଙ୍କ ଯାତ୍ରୀ ସୁରକ୍ଷାକୁ ନେଇ ଏସବୁ ପ୍ରଶ୍ନ ବେଶ ଜଟିଳ ସ୍ଥିତି ସୃଷ୍ଟି କରିଛି।

ଆଗକୁ ଏ ପ୍ରସଙ୍ଗକୁ ନେଇ ରାଜନୀତି ଯେ ତୀଵ୍ର ହେବ ଓ ବିଜେପିକୁ ଘେରିବାକୁ ବିରୋଧୀ ଯେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବେ ଯାହାର ସୂଚନା ଏବେଠୁ ମିଳିଯାଇଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.