Latest Odisha News

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ ଅସ୍ୱାଭାବିକ ପାଗ ଅନୁଭୂତ ହେବ ।

ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୫.୪ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ହୀରାକୁଦରେ ୪୪.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଆଜି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ କେନ୍ଦୁଝର, ସୁନ୍ଦରଗଡ଼଼, ଝାରସୁଗୁଡ଼଼ା, ଦେବଗଡ଼, ଅନୁଗୁଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ଯାଜପୁର, କଳାହାଣ୍ଡି, ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

୧୯ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।

୨୦ ତାରିଖରେ ହିଟୱେଭ୍ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ୨୫ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୧ ତାରିଖରେ ମଧ୍ୟ ୨୨ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ୨୨ ତାରିଖରେ ପାଗ ବଦଳିବା ସହ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.