Latest Odisha News

BREAKING NEWS

ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ଓ ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ବର୍ଷା ଓ ଘଡ଼ଘଡ଼ି ନେଇ ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି । ବଜ୍ରପାତ ସହିତ ୩୦-୪୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ (ଏସଆରସି) ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ପ୍ରଭାବରେ ଯାହା କ୍ଷୟକ୍ଷତି ହେବ ତାର ରିପୋର୍ଟ ଦେବାକୁ କୁହାଯାଇଛି ।

ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ, ମଙ୍ଗଳବାର କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନୁଗୋଳ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ କୁଆପଥର ବର୍ଷା ଏବଂ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ । ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ବୁଧବାର ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବୋହିବ । ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ବର୍ଷାକୁ ଲକ୍ଷ୍ୟ କରି ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କୁଆପଥର ମାଡରୁ ରକ୍ଷା ପାଇଁ ଫସଲ ଉପରେ ଜାଲି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । କାଳ ବୈଶୈଖୀ ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି ।

କାଳ ବୈଶାଖୀ କାରଣରୁ ତାତିରୁ ମିଳିବ ତ୍ରାହି । ୨୨ ତାରିଖରୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ବର୍ଷା ପ୍ରଭାବରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ।

ତେବେ ସୋମବାର ରାଜ୍ୟର କେତେକ ସ୍ଥାନରେ ବର୍ଷା କାରଣରୁ ତାପମାତ୍ରାରେ ହ୍ରାସ ଘଟିଛି । ଅନେକ ସ୍ଥାନରେ ତାପମାତ୍ରା ୨୯-୩୩ ଭିତରେ ରହିଛି ।

Leave A Reply

Your email address will not be published.