Latest Odisha News

BREAKING NEWS

ତତଲା କଡେଇରେ ଭାଜି ହେଉଛି ଓଡିଶା, ଆଜି ବି ସବୁଠୁ ଉତ୍ତପ୍ତ ବାରିପଦା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ଓଡିଶା । ସକାଳୁ ସକାଳୁ ଅସହ୍ୟ ଗରମରେ ରଜ୍ୟର ବିଭିନ୍ନ ସହର ଏବେ କଲବଲ ହେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି । ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦାରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ଏବଂ କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୪୧°C ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୦.୭°C ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୪୦.୧°C, ରାଉରକେଲାରେ ୩୯.୬°C, ଚାନ୍ଦବାଲିରେ ୩୯.୨°C, ସମ୍ବଲପୁରରେ ୩୮.୨°C, ହୀରାକୁଦରେ ୩୭.୮°C, ପୁରୀରେ ୩୪.୪°C, ପାରାଦ୍ୱୀପରେ ୩୩.୫°C ଓ ଗୋପାଳପୁରରେ ୩୨.୮°C ରେକର୍ଡ କରାଯାଇଛି ।

ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିଛି ।

ସେପଟେ କାଳବୈଶାଖୀ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ନେଇ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.