୩୦ ବର୍ଷର ସେବା ପରେ କାମରୁ ବାହାର କରିଦେଇଥିଲା ଏସବିଆଇ; ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ
କଟକ: ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବ୍ୟାଙ୍କର ସେବାରେ ବିତାଇଦେଲେ। ବ୍ୟାଙ୍କର ଚଟାଣ ସଫା କରିବାକୁ ଯାଇ ନିଜର ରକ୍ତ ଓ ଝାଳ ବୁହାଇଲେ। କିନ୍ତୁ ଦୀର୍ଘ ୩୦ ବର୍ଷର ନିରବଚ୍ଛିନ୍ନ ସେବା ପରେ ଶେଷରେ ମିଳିଥିଲା ଚାକିରିରୁ ବହିଷ୍କାର। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଏଭଳି ଅମାନବୀୟ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ଓଡ଼ିଶା ହାଇକୋର୍ଟ ଶକ୍ତ ପ୍ରହାର କରିଛନ୍ତି। ବ୍ୟାଙ୍କ ଦ୍ୱାରା ନିର୍ଯାତିତ ଦୁଇ ଦୈନିକ ମଜୁରିଆ ସଫେଇ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ (ସମୁଦାୟ ୪୦ ଲକ୍ଷ ଟଙ୍କା) ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଜଷ୍ଟିସ୍ କୃଷ୍ଣ ଏସ୍. ଦୀକ୍ଷିତ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ଏହି କର୍ମଚାରୀମାନେ ନିଜ ଜୀବନର ସର୍ବୋତ୍ତମ ସମୟ ଶାରୀରିକ ଶ୍ରମ କରି ବ୍ୟାଙ୍କ ପଛରେ ଢାଳି ଦେଇଛନ୍ତି। ଆଜିର ‘ଏଆଇ’ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବା କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଏହି ବୟସରେ ସେମାନଙ୍କୁ ଅନ୍ୟ କେଉଁଠି ଚାକିରି ମିଳିବା ଅସମ୍ଭବ। ତେଣୁ ଏସବିଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅତ୍ୟନ୍ତ ନଗଣ୍ୟ। ନ୍ୟାୟ ପ୍ରଦାନ କରିବାକୁ ହେଲେ ସେମାନଙ୍କୁ ଉପଯୁକ୍ତ ଅର୍ଥ ମିଳିବା ଆବଶ୍ୟକ।
ଘଟଣାର ପୃଷ୍ଠଭୂମି ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଏସବିଆଇର ସରକାରୀ ଟ୍ରେଜେରୀ ଶାଖାରେ ମାୟାଧର ନାୟକ ଏବଂ ବାଇନା ନାୟକ ଯଥାକ୍ରମେ ୧୯୯୪ ଏବଂ ୧୯୫ ମସିହାରୁ ଦୈନିକ ମଜୁରିଆ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଚାକିରି ପରମାନେଟ୍ ଏବଂ ସରକାରୀ ସେବା ସୁବିଧା ଦାବିରେ ସେମାନେ ୧୯୯୯ ମସିହାରେ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଗତ ବର୍ଷଗୁଡ଼ିକରେ କୋର୍ଟ ଏସବିଆଇକୁ ସେମାନଙ୍କ ନିଯୁକ୍ତି ବିଷୟରେ ବିଚାର କରିବାକୁ ଏବଂ ସର୍ବନିମ୍ନ ମଜୁରି ଆଇନ ଅନୁଯାୟୀ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ଲଢ଼େଇ ପରେ ୨୦୨୧ ମସିହାରେ ବ୍ୟାଙ୍କ ଉଭୟ କର୍ମଚାରୀଙ୍କୁ ସେମାନଙ୍କର ବାକି ଥିବା ସର୍ବନିମ୍ନ ମଜୁରି ବାବଦକୁ ୧.୬୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲା।
ତେବେ ୨୦୨୫ ଜୁଲାଇ ମାସରେ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଆଉଟସୋର୍ସିଂ ବ୍ୟବସ୍ଥାର ଆଳ ଦେଖାଇ ହଠାତ୍ ମାୟାଧର ଓ ବାଇନାଙ୍କୁ କାର୍ଯ୍ୟରୁ ଅନ୍ତର କରିଦେଇଥିଲେ। ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏବେ ସଫେଇ କାର୍ଯ୍ୟ ବାହାର ସଂସ୍ଥାକୁ ଦିଆଯାଉଥିବାରୁ ସେମାନଙ୍କର ଆଉ ଆବଶ୍ୟକତା ନାହିଁ। ବ୍ୟାଙ୍କ ସେମାନଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ ମାତ୍ର ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ବିଦା କରିବାକୁ ପ୍ରସ୍ତାବ ଦେଇଥିଲା। ଏହାକୁ କର୍ମଚାରୀଦ୍ୱୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ କୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇପାରିବେ ନାହିଁ, କିନ୍ତୁ ସେମାନଙ୍କ ସହ ହୋଇଥିବା ଅନ୍ୟାୟର ସନ୍ତୋଷଜନକ ସମାଧାନ ଜରୁରୀ। ଅଳ୍ପ ଶିକ୍ଷିତ ଏବଂ ଜୀବନର ଅଧାରୁ ଅଧିକ ସମୟ ସଫେଇ କାମରେ ବିତାଇଥିବା ଏହି ଗରିବ ଶ୍ରମିକଙ୍କ ପ୍ରତି ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ହିଁ ପ୍ରକୃତ ନ୍ୟାୟ ହେବ।
ଆସନ୍ତା ୮ ସପ୍ତାହ (ଦୁଇ ମାସ) ମଧ୍ୟରେ ଏହି ସମୁଦାୟ ୪୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ବ୍ୟାଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଅର୍ଥ ରାଶି ପୈଠ ନକରେ, ତେବେ ବିଳମ୍ବ ଅବଧି ପାଇଁ ପ୍ରଥମ ମାସରେ ୧ ପ୍ରତିଶତ ଏବଂ ପରବର୍ତ୍ତୀ ମାସଗୁଡ଼ିକ ପାଇଁ ମାସିକ ୨ ପ୍ରତିଶତ ହାରରେ ସୁଧ ଗଣିବାକୁ ପଡ଼ିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ଚେତାବନୀ ଦେଇଛନ୍ତି।
