ଭୁବନେଶ୍ୱର: ରାଜଧାନୀରେ ଦୀପାବଳି ପାଇଁ ବାଣ ବିକ୍ରି ଓ ବ୍ୟବହାର ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶନାମା ଜାରି କରିଛି । ରାଜଧାନୀରେ ଆଜିଠୁ ଆରମ୍ଭ ହେଉଛି ବାଣ ବିକ୍ରି । ୪ଦିନ ବାଣ ବିକିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏମିତିକି ବାଣ ବ୍ୟବହାରକୁ ନିୟନ୍ତ୍ରିତ କରିବାକୁ ନିର୍ଦ୍ଦେଶାବଳୀ ଜରି କରାଯାଇଛି । ବାଣ ଫୁଟାଇବା ପାଇଁ ସମୟ ସୀମା ସନ୍ଧ୍ୟା ୭ରୁ ରାତି ୯ଟା ଯାଏ ରଖାଯାଇଛି । ମାତ୍ର ୨ଘଂଟାରେ ସୀମିତ ଏଥର ଦୀପାବଳିର ବାଣଫୁଟା ଅବଧି । ରାଜଧାନୀବାସୀଙ୍କୁ ଅତ୍ୟଧିକ ବାଣ ନଫୁଟାଇବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପାରମ୍ପରିକ ଦୀପ ଜାଳିବା ସହ ଘରକୁ ଅଲୋକରେ ସଜାଇ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶକୁ ପ୍ରଦୂଷିତ ନୁହେଁ ସୁନ୍ଦର କରିବାକୁ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି ।
ସେପଟେ ବାଣ ବିକ୍ରି ଉପରେ କମିଶନରେଟ୍ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡା ସହ ନଜରଦାରି ବୃଦ୍ଧି କରିଛି । ନିୟମ ପାଳନ ନକରୁଥିବା ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଦୀପାବଲିରେ ବାଣ ବିକ୍ରି ପାଇଁ ୫୬୦ ଆବେଦନ ମଧ୍ୟରୁ ୧୬୦ଟିକୁ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ଅନ୍ୟଗୁଡିକର ଯାଂଚ ପ୍ରକ୍ରିୟା ଚାଲିଛି, କିଛି ଆବେଦନ ଖାରଜ ହୋଇଛି । ଗୁରୁବାରଠାରୁ ବାଣ ବିକ୍ରି ଆରମ୍ଭ ହୋଇ ରବିବାର ଯାଏ ଚାଲିବ । ୪ଦିନ ପାଇଁ ବାଣ ବିକ୍ରି ଅନୁମତି ମିଳିଥିବା ବେଳେ ବେଆଇନ ବାଣ ବିକ୍ରି ଉପରେ ଶକ୍ତ ନଜର ରହିଛି ।
