Latest Odisha News

ଓଏସଏସସି ପ୍ରଶ୍ନପତ୍ର ଲିକର ଗୁମର ଖୋଲିଲା ମାଷ୍ଟରମାଇଣ୍ଡ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ  । ସାମ୍ନାକୁ ଆସିଛି ବିଶାଲଙ୍କ କଳାକାରନାମା । ପ୍ରଥମ ଥର ପାଇଁ ଏପରି କାମ କରିନାହାନ୍ତି ବିଶାଲ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରିଛନ୍ତି ଏବଂ ଗିରଫ ମଧ୍ୟ ହୋଇଛନ୍ତି । ବିଶାଲଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ବଡ ତଥ୍ୟ ।

ମିଳିଥିବା ସୂଚନା ଅନୁସାରେ, ୩୫ ବର୍ଷିୟ ବିହାରର ବିଶାଲ କୁମାର ଚୌରାସିଆ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ । ସେ ଥରେ ନୁହେଁ, ଦୁଇ ଦୁଇ ଥର ଏସଏସସି କମ୍ବାଇନଡ ଗ୍ରାଜୁଏଟ ଲେଭଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ୧୬ ଅଭିଯୁକ୍ତଙ୍କୁ ଜେରା କରିବା ପରେ ସାମ୍ନାକୁ ଆସିଛି ବିଶାଲର କଳା ସାମ୍ରାଜ୍ୟର ଇତିହାସ ।

ବିଶାଲର ଚେର ଖାଲି ବିହାର ନୁହେଁ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ମାଡିଛି । ସବୁଆଡେ ପ୍ରଶ୍ନପତ୍ର ଲିକ କରବାର ଚଳାଇ ଆସୁଛି ବିଶାଲ । ପ୍ରଥମେ ବିଶାଲ ଟାକ୍ସ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ପରେ ପାଟନାରେ ଆକାଉଣ୍ଟାଣ୍ଟଜ ଜେନେରାଲ  ଅଫିସରେ ଡିଭିଜନାଲ ଆକାଉଣ୍ଟାଣ୍ଟ ଥିଲେ । ହେଲେ ଏବେ ସେ ରୁରାଲ ୱର୍କ ବିଭାଗରେ ଆଡଭାନ୍ସ ପ୍ଲାନିଂ ଭିଜନ ବିଭାଗରେ କାମ କରନ୍ତି ।

ସେଣ୍ଟ୍ରାଲ ପୋଲିସ ଅର୍ଗାନାଇଜେସନ ଏବଂ ଏଏସଆଇ ପ୍ରଶ୍ନପତ୍ର ଲିକ ମାମଲାରେ  ୨୦୧୪ରେ ଗିରଫ ହୋଇଥିଲେ ବିଶାଲ । କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ଏହି ପ୍ରଶ୍ନପତ୍ର ଆହ୍ଲାବାଦରେ ଥିବା ପ୍ରିଟିଂ ପ୍ରେସର ଜଣେ ସହଯୋଗୀଙ୍କୁ ଧରି ଲିକ କରିଥିଲେ । ୨୦୧୫ରେ ସେ ଜାମିନ ଆସି ଏକ କୋଚିଂ ସେଣ୍ଟର ଚଳାଉଥିଲେ ।

ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ପଶ୍ଚିମବଙ୍ଗରେ ଛପା ଯାଉଥିଲା । ସେଠିକା ପ୍ରେସରେ କାମ କରୁଥିବା ବୀରେନ୍ଦ୍ର ସିଂ ପାସୱାନଙ୍କୁ ଧରି ପ୍ରଶ୍ନପତ୍ର ଆଣିଥିଲା । ଜୁଲାଇ ୧୧ ତାରିଖରେ ସେ ଜାଣିବାକୁ ପାଇଥିଲା ଏହା ଏହା ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର । ୧୨ ତାରିଖ ବୀରେନ୍ଦ୍ରଙ୍କଠାରୁ ପ୍ରଶ୍ନପତ୍ର ହାତେଇଥିଲେ । ପରେ ଏହାକୁ ୧୨ରୁ ୧୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।

ସୂଚନାଥାଉ କି ଏହି ମାମଲାରେ ମାଷ୍ଟର ମାଇଣ୍ଡ ବିଶାଲ ସମେତ ୭ ଜଣଙ୍କୁ ଗୁରୁବାର ବାଲେଶ୍ୱର ପୋଲିସ ବିହାରରୁ ଗିରଫ କରିଥିଲା । ଏହା ପୂର୍ବରୁ ଦୀଘାରୁ ଆଉ ୯ ଜଣଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.