Latest Odisha News

BREAKING NEWS

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁ ଗିରଫ ହେବା ପରେ ସେମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବା ଆରମ୍ଭ ହୋଇଛି।

BjdElectrycity

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ମୂଳ ବାସିନ୍ଦା ଗୋବିନ୍ଦ ତ୍ରିପାଠୀ କନ୍ଧମାଳ ଜିଲ୍ଲା ସିରସିପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତ୍ରିପାଠୀ ସାର ଚାକିରିର ଅଳ୍ପ ସମୟ ମଧ୍ୟରେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି। ଏହି ସାରଙ୍କ ନାମରେ ଏକାଧିକ ଏସୟୁଭି ଓ ଫ୍ଲାଟ୍ ଥିବା ଜଣାପଡ଼ିଛି।

ସେ ନିଜ ଜନ୍ମମାଟିରେ ଏକ ଲୁଗା ଦୋକାନ ମଧ୍ୟ କରୁଥିଲେ ଏବଂ ବିମାନରେ ସହରକୁ ଯାତ୍ରା କରିବା ସହ ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେ ଚାକିରୀ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଚର୍ଚ୍ଚା ହେଉଛି। ତେବେ ତାଙ୍କ ବାପା ଏପରି ଚର୍ଚ୍ଚାକୁ ଖାରଜ କରିଛନ୍ତି। ତାଙ୍କ ପୁଅ ସ୍କୁଲରୁ ଆସିବା ପରେ ଲୁଗା ଦୋକାନରେ ବସୁଥିଲେ ବୋଲି କହିଛନ୍ତି। ସେ ଅନ୍ୟ କୌଣସି କାମରେ ନିୟୋଜିତ ନଥିଲେ ବୋଲି ତ୍ରିପାଠୀ ସାରଙ୍କ ବାପା କହିଛନ୍ତି।

ସେହିପରି ଧର୍ମଶାଳା ବ୍ଲକ ଅନ୍ତର୍ଗତ ରଥିଆ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସୁଶାନ୍ତ ସାହୁଙ୍କ ଜରକା ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି। ତାଙ୍କ କ୍ଷେତ୍ରରେ ମଧ୍ୟ ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରି ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରାଯାଉଛି। ଶିକ୍ଷକଙ୍କ ସଞ୍ଚିତ ସମ୍ପତ୍ତିକୁ ବିଚାରକୁ ନେଇ ବାଲେଶ୍ୱର ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାବତ 17 ଜଣ ଗିରଫ ହୋଇଛନ୍ତି। ଯେଉଁଥିରେ ଦୁଇ ଶିକ୍ଷକଙ୍କ ସମେତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି। ବାଲେଶ୍ବର ପୋଲିସ ଏହି ମାମଲାର ତଦନ୍ତ କରି ଗିରଫ କରିଛି। ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ପୋଲିସ କହୁଥିବା ବେଳେ କିଭଳି ପରୀକ୍ଷାର୍ଥୀଙ୍କ ନାମ, ନମ୍ବର ଏବଂ ଠିକଣା ଦଲାଲଙ୍କ ପାଖକୁ ଗଲା ତାହା ଏବେ ବଡ ପ୍ରଶ୍ନ।

Leave A Reply

Your email address will not be published.