Latest Odisha News

BREAKING NEWS

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ପରିସରରେ ଲୋକାର୍ପିତ ହୋଇଛି ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ବ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ୍ । ଏହାସହ ଭୁବନେଶ୍ବର ପାନ୍ଥନିବାସର ସମ୍ପୂର୍ଣ୍ଣ ନବକଳେବର ମଧ୍ୟ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଭୟ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଇଛି । ପାନ୍ଥନିବାସର ନବୀକରଣ କାର୍ଯ୍ୟ କରାଯିବା ସହ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଲୋକାର୍ପିତ ହୋଇଥିବା ‘ଉତ୍କଳ ଅରୋମା’ ରେଷ୍ଟୁରାଣ୍ଟ ଓ ବେକରୀ ୟୁନିଟ ‘ବେକଡ୍ ବୋନଞ୍ଜା’ ଗୁଣାତ୍ମକ ସେବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଖୁବଶୀଘ୍ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଓଟିଡିସିର ନୂଆ ରେଷ୍ଟୁରାଣ୍ଟ ଓ ନିଜସ୍ୱ ବେକରୀ ୟୁନିଟ୍ ସହ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ମୋଟ ୧.୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଭୁବନେଶ୍ବର ପାନ୍ଥନିବାସର ମୋଟ ୫୮ଟି ରୁମରୁ ୩୩ଟିର ଆଧୁନିକୀକରଣ କାର୍ଯ୍ୟ ସରିଛି ଓ ବାକି କାର୍ଯ୍ୟ ଖୁବଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଟିଡିସିର ସମସ୍ତ ୟୁନିଟକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଓଟିଡିସିର ନିଜସ୍ବ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଦ୍ୱିତୀୟ ଆଉଟଲେଟ୍ ଗତକାଲି ପୁରୀରେ ଲୋକାର୍ପିତ ହୋଇଛି ।

ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ ଯେ, ଭୁବନେଶ୍ବର ପାନ୍ଥନିବାସର ବାକି ଥିବା ସମସ୍ତ ନବୀକରଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଏହାସହ ଆଜି ଲୋକାର୍ପିତ ହୋଇଥିବା ବେକରୀ ୟୁନିଟ୍ ଓ ରେଷ୍ଟୁରାଣ୍ଟ ଯେଭଳି ବ୍ୟବସାୟିକ ଦୃଷ୍ଟିରୁ ସଫଳ ହେବେ ସେ ଦିଗରେ କାର୍ଯ୍ୟ କରାଯାଉଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଖାଦ୍ୟ ସାମଗ୍ରୀ ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି । ଗତ କିଛି ଦିନ ମଧ୍ୟରେ ଓଟିଡିସି ଦ୍ବାରା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଯାହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.