Latest Odisha News

BREAKING NEWS

EXCLUSIVE: ଓଟିଭିର ସଫଳତା ପଛର କାହାଣୀ: ଜଗି ମଙ୍ଗତଙ୍କ ଜୁବାନୀ

ଭୁବନେଶ୍ୱର: ଟେଲିଭିଜନ ରେଟିଂ ପଏଣ୍ଟ ମାପୁଥିବା ସଂସ୍ଥା ବାର୍କ ଦ୍ୱାରା ଓଡ଼ିଶା ଟିଭି ବା ଓଟିଭି ରାଜ୍ୟର ଏକ ନମ୍ବର ନ୍ୟୁଜ ଚ୍ୟାନେଲ । ନିକଟରେ ଏହି ଚ୍ୟାନେଲ ୨୫ ବର୍ଷରେ ପାଦ ଥାପିଛି। ଦୀର୍ଘ ବର୍ଷ ଧରି ଓଟିଭି ରାଜ୍ୟରେ ଏକ ନମ୍ବର ଚ୍ୟାନେଲ ହୋଇ ରହିଛି । ନମ୍ବର ଏକ ଏବଂ ନମ୍ବର ଦୁଇ ଚ୍ୟାନେଲ ମଧ୍ୟରେ ବଡ ବ୍ୟବଧାନ କାହିଁକି ରହିଛି ଏବଂ ଓଟିଭି କାହିଁକି ଏତେ ଆଦୃତ ପ୍ରଥମ ଥର ପାଇଁ ଏ ବାବଦରେ ମୁହଁ ଖୋଲି କହିଛନ୍ତି ଚ୍ୟାନେଲର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡିରେକ୍ଟର ଜଗି ମଙ୍ଗତ ପଣ୍ଡା । ଓଡ଼ିଶା ସମ୍ପାଦର ସମ୍ପାଦକ ସନ୍ଦୀପ ମିଶ୍ରଙ୍କ ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଓଟିଭିର 25 ବର୍ଷର ଯାତ୍ରା ଓ ତାଙ୍କର କ୍ୟାରିଅର ବାବଦରେ ମୁହଁ ଖୋଲି କହିଛନ୍ତି ଜଗି। ସେ ପୂର୍ବରୁ ମଡେଲିଂ ଓ ଏୟାର ହୋଷ୍ଟେସ ଭାବେ କ୍ୟାରିଅର କରୁଥିଲେ ହେଲେ ବିବାହ କରିବା ପରେ ଉଦ୍ୟୋଗୀ କେମିତି ହେଲେ କହିଛନ୍ତି ଜଗି ମଙ୍ଗତ।

ଓଟିଭିର ସଫଳତା ପାଇଁ ଚ୍ୟାନେଲର ବିଶ୍ୱସନୀୟତା ଓ ପଲିସିକୁ ଶ୍ରେୟ ଦେଇଛନ୍ତି ଜଗି । “ଆମ ଚ୍ୟାନେଲ ଏକ ପାଖିଆ ଖବର ଦେଖାଏ ନାହିଁ । ଗୋଟିଏ ଖବର ପ୍ରସାରଣ କରିବା ବେଳେ ଯେଉଁ ସମସ୍ତ ଦିଗକୁ ନଜର ରଖିବା କଥା ସେ ସମସ୍ତ କଥାକୁ ଆମ ଟିମ୍ ଭଲ ଭାବେ ଗରୁତ୍ୱ ଦେଇଥାଏ। ତେଣୁ ଲୋକଙ୍କ ପାଖରେ ଓଟିଭି ଗ୍ରହଣୀୟ ହୋଇପାରିଛି । ଲୋକେ ଚତୁର । ଲୋକେ ଜାଣିଛନ୍ତି କିଏ ଗୋଟିଏ ଖବରକୁ କେଉଁ ପ୍ରକାରର ଦେଖାଏ,” କହିଛନ୍ତି ଜଗି।

ଜଗି କହିଛନ୍ତି, ବିବାହ ପରେ ତାଙ୍କ ସ୍ୱାମୀ ତଥା ଏବେର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରୋଜେକ୍ଟରେ ସେ କାମ କରୁଥିଲେ। ବୈଜୟନ୍ତ ସେତେବେଳେ ରାଜନୀତି କରୁନଥିଲେ। ସେ ତାଙ୍କ ବାପାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଇମ୍ଫା କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ ପ୍ରୋଜେକ୍ଟରେ ଦାୟିତ୍ୱ ନେବାପରେ ସେ କେବୁଲ କମ୍ପାନୀ ସ୍କାଏଭ୍ୟୁ ଆରମ୍ଭ କରିଥିଲେ । ଯେଉଁ ସମୟରେ କୁଏତ୍ ଯୁଦ୍ଧ (2 ଅଗଷ୍ଟ 1990 – 28 ଫେବୃଆରୀ 1991) ଚାଲିଥିଲା । ଏହି ଯୁଦ୍ଧ ଭିତରେ ବହୁତ ସାଟେଲାଇଟ୍ ଚ୍ୟାନେଲ ଆରମ୍ଭ ହୋଇଥିଲା ଓ ତାଙ୍କୁ ଗଣମାଧ୍ୟମ ସଂସ୍ଥା ଖୋଲିବାକୁ ପ୍ରଭାବିତ କରିଥିଲା । ଏହି ସମୟରେ କେବୁଲ ବ୍ୟବସାୟ ଦେଶରେ ଆରମ୍ଭ ହେଉଥାଏ । ଲୋକଙ୍କର ରୁଚି ରହୁଥିଲା, ଏଥିରେ ଭବିଷ୍ୟତ ଅଛି ବୋଲି ଦେଖିଥିଲେ । ତେଣୁ ଜଗି ମଙ୍ଗତ ଟିଭି ଚ୍ୟାନେଲ ଖୋଲିବା କଥା ପରିକଳ୍ପନା କରିଥିଲେ। ଯାହାକୁ ତାଙ୍କ ପରିବାର ସମର୍ଥନ କରିଥିଲା। ତେବେ ଏହି ବ୍ୟବସାୟ ବାବଦରେ ତାଙ୍କର ଜଣେ ମିଡିଆ ସାଙ୍ଗ ସହିତ ବିଚାର ବିମର୍ଶ କରିଥିଲେ। ଆଉ ଚ୍ୟାନେଲ ଆରମ୍ଭ କରିବାକୁ ଆଗେଇ ଥିଲେ। ଏହି ସମୟରେ ସେ ଆମେରିକା ଯାଇ ଏକ ମିଡିଆ ସଂସ୍ଥାରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ। ଯେଉଁଠି ସେ ଶିକ୍ଷାଲାଭ କରିଥିଲେ କ୍ରେଡିବିଲଟି ବା ବିଶ୍ୱସନୀୟତା ହେଉଛି ଲୋକଙ୍କୁ ଗୋଟେ ମି଼ଡିଆ ସହ ବାନ୍ଧି ରଖିବାର ମୂଳ ମନ୍ତ୍ର। ତେଣୁ ଖବରର ବିଶ୍ୱସନୀୟତା ବଜାଇ ରହିଲେ ଲୋକଙ୍କର ବିଶ୍ୱାସ ରହିବ । ଏହାକୁ ଆଧାର କରି ସେ ଚ୍ୟାନେଲକୁ ଆଗେଇଛନ୍ତି। ଯାହାର ପରିଣାମ ସେ ସଫଳ ପାଇଛନ୍ତି ବୋଲି କହିଛନ୍ତି ଜଗି।

ଅନ୍ୟପଟେ ଟିଭି ଚ୍ୟାନେଲ ଆରମ୍ଭ କରିବା ବେଳେ ଅନେକ କିଛି ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିଲା। ତେଣୁ ଦକ୍ଷତା ବଢାଇବା, ସମସ୍ୟାର ସମାଧାନ କରିବା ଓ ବ୍ୟବସାୟିକ ରଣନୀତି ତିଆରି ପଛରେ ତାଙ୍କର ସ୍ୱାମୀ ବୈଜୟନ୍ତ ଙ୍କର ପ୍ରୋତ୍ସାହନ ରହିଛି ବୋଲି ସେ କହିଛନ୍ତି । ଅନେକ କିଛି ସେ ଜାଣିନଥିଲେ। ହେଲେ ବୈଜୟନ୍ତ ତାଙ୍କୁ ବ୍ରେନଷ୍ଟ୍ରର୍ମ କରି ବୁଝାଉଥିଲେ। ଯେଉଁଥି ପାଇଁ ସେ ଅନେକ କିଛି ଶିକ୍ଷା ଲାଭ କରିଥିଲେ ବୋଲି ଜଗି କହିଛନ୍ତି। ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ପ୍ରଥମେ ନିଜର ମେଣ୍ଟର ଭାବେ ଦେଖନ୍ତି । ତାଙ୍କ ପାର୍ଟନର (ସ୍ୱାମୀ) ମେଣ୍ଟର ହେବାରୁ ସେ ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.