କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ମୁଁ ଜୀବନରେ ଆଜି ଯାଏଁ କେତୋଟି ସିନେମା ଦେଖିଥିବି? ହଜାରେ କି ଦଶ ହଜାର କି ଆହୁରି ଅଧିକ। ମୁଁ ହାଇସ୍କୁଲ ପଢିଲା ବେଳୁ ସିନେମା ଦେଖି ଆସୁଛି ଓ ଗୋଟେ ସମୟରେ ଆମ ପାଇଁ ସିନେମା ଦେଖିବା ସବୁଠୁ ବଡ ବିଳାସର ଅଂଶ ବିଶେଷ ଥିଲା। ସିନେମା ପାଇଁ ଟିକେଟ କାଟିବାକୁ ଆମକୁ ରୀତିମତ ଗୋଟେ ଯୁଦ୍ଧ କରିବାକୁ ପଡୁଥିଲା। ଆମେ ଯେଉଁମାନେ ଭାରତର ଛୋଟ ସହରରୁ ଆସିଛୁ, ଆମ ଲାଗି ସିନେମା ହେଉଛି ସବୁଠୁ ସୁନ୍ଦର ସ୍ଵପ୍ନ, ଆଉ ସେ ସ୍ଵପ୍ନର ତିନି ଘଣ୍ଟା ଲାଗି ଆମକୁ ବହୁ ମୂଲ୍ୟ ଦେବାକୁ ପଡୁଥିଲା। ପ୍ରଥମ ଓ ସବୁଠୁ ବଡ ମୂଲ୍ୟ ହେଉଛି, ସିନେମା ଦେଖୁଥିବା ପିଲାଟି ଆଦୌ ଭଲ ପିଲା ବା ପାଠୁଆ ପିଲା ନୁହଁ। ତେଣୁ ସିନେମା ଦେଖୁଥିବା ପିଲାଟି ଏକ ପ୍ରକାର ବାତରା ଓ ଅଭିଲାଷ ଦୃଷ୍ଟିରୁ ତାର ବିଶେଷ କିଛି ହେବାର ନଥିଲା!! ତେଣୁ ସିନେମା ଦେଖୁଥିବା ପିଲାଟି କୋଉ କାମକୁ ନୁହଁ ବୋଲି ଏକ ଅପବାଦ। ଦ୍ଵିତୀୟ ମୂଲ୍ୟଟି ଶ୍ରମ ଓ ସମ୍ବଳ। ବଡ କଷ୍ଟରେ ସିନେମା ଟିକେଟ ପାଇଁ ପିସା ଯୋଗାଡ କରିବା ଓ ତାଠୁ ବେଶୀ ଭୟଙ୍କର ଠେଲାପେଲା ଭିତରେ ଅଣନିଃଶ୍ଵାସୀ ହୋଇ ଟିକେଟ କାଟିବା। ତେବେ ଟିକେଟ କାଟି ସିନେମା ହଲ ଭିତରେ ପଶିଗଲେ, ସଂଘର୍ଷ ସରିଗଲା ବୋଲି ଭାବନ୍ତୁ ନାଇଁ।
ଆମ ସମୟର ସିନେମା ହଲକୁ ନେଇ ଗୋଟେ ପୂରା ବହି ଲେଖିହେବ। ସେସବୁ ଆଜିର ସିନେମା ହଲ ପରି ଶୀତ ତାପ ନିୟନ୍ତ୍ରିତ, ଆଭିଜାତ୍ୟ ସାଜସଜ୍ଜା ବିଶିଷ୍ଟ ଓ ଡୋଲବି ଡିଜିଟାଲ ସାଉଣ୍ଡ ବାଲା ସିନେମା ହଲ ନଥିଲା। ସିନେମା ହଲ ଭିତରେ କାଠ ବେଞ୍ଚ ଓ ଚୌକି, ସେଥିରୁ ଅଧା ଭଙ୍ଗା, ଦରଭଙ୍ଗା, କେଁ-କଟର, କାଠ ଫାଙ୍କରୁ ଛାରପୋକଙ୍କର ରକ୍ତ ପିପାସା, ମଶା ଭଣ ଭଣ,ଗରମ ଦିନରେ ରୋଗୀଣା ପଙ୍ଖା ଦୟାରୁ ଗମ ଗମ ଝାଳ ଏବଂ ସବୁଠୁ ଚିନ୍ତାର ବିଷୟ ଲଗାତାର ବିଜୁଳି କାଟି ଯାଉଥିବାରୁ ୩ ଘଣ୍ଟାର ସିନେମା ସରିବାକୁ ୪ କି ୫ ଘଣ୍ଟାର ସମୟ। ତାରି ଭିତରେ ଆମେ ସିନେମା ଦେଖୁଥିଲୁ ଓ ସିନେମା ଲାଗି ପାଗଳ ହେଉଥିଲୁ।
ସେଦିନଠୁ, ଆଜିର ନେଟଫ୍ଲିକ୍ସ ଓ ହୋମ ଥିଏଟର, କେତେ କଣ ବଦଳି ଯାଇଛି। ଆଜି ପୃଥିବୀର ସବୁଠୁ ଭଲ ସିନେମାକୁ ଘରେ ବସି ଅନାୟାସରେ ଦେଖି ହେଉଛି। ଗୋଟେ ସମୟରେ ଆମେ ସିନେମା କହିଲେ, ରବିବାର ର ମେଟିନି ଶୋ, କିମ୍ବା ଦୂରଦର୍ଶନରେ ଆସୁଥିବା ସାପ୍ତାହିକ ସିନେମା କଥା ବୁଝୁଥିଲୁ। ହଲିଉଡ କି ବିଶ୍ଵ ସିନେମା ଥିଲା ଆମଲାଗି ସାତସ୍ଵପ୍ନ। ଆମ ଲାଗି ସିନେମା ଥିଲା ଜିତେନ୍ଦ୍ର ଓ ଶ୍ରୀଦେବୀଙ୍କ ନାଚ ଓ ନୂଆ ଚକୋଲେଟ ହିରୋ ଭାବରେ ବଜାରକୁ ଆସିଥିବା ଅମିର ଖାଁ ଓ ସଲମାନ ଖାଁଙ୍କ ପ୍ରେମ କାହାଣୀ।
ସତ ସିନେମା କଣ ବୁଝିଲା ବେଳକୁ ବୟସ ବି ବହୁତ ବେଶୀ ହୋଇ ସାରିଥିଲା। ମୁଁ ସତ୍ୟଜିତ ରାୟଙ୍କ “ପଥେର ପାଞ୍ଚାଲି” ଦେଖିଥିଲି କଲେଜ ପଢା ସାରିବା ପରେ। ତେବେ ମଝିରେ ମଝିରେ ଦୂରଦର୍ଶନରେ କିଛି ଭଲ ହିନ୍ଦୀ ବା ଆଞ୍ଚଳିକ ଭାଷାର ସିନେମା ଦେଖିବାକୁ ମିଳୁଥିଲା। ୧୯୯୪-୯୫ ମସିହାରେ ଦୂରଦର୍ଶନ ୧୫ ଦିନ ବ୍ୟାପୀ ୫ ଜଣ ମହାନ ଭାରତୀୟ ସିନେମା ନିର୍ମାତାଙ୍କର ସୁନିର୍ବାଚିତ ସିନେମା ପ୍ରସାରିତ କରିଥିଲା। ସେହି କ୍ରମରେ ଆମେ ପ୍ରଥମେ ଦେଖିଲୁ ଗୁରୁ ଦତ୍ତଙ୍କର”ଆରପାର”, “ମିଷ୍ଟର ଆଣ୍ଡ ମିସେସ ୫୫”,”ସାହେବ ବିୱି ଔର ଗୁଲାମ”, ରାଜ କପୁରଙ୍କର “ଆଗ”,ଆୱାରା”ଓ “ବବି” ଇତ୍ୟାଦି।
ଭଲ ସିନେମାର ସ୍ଵାଦ, ଭଲ ବହି ସ୍ଵାଦଠୁ ନିଆରା। ବହି ପଢି ପାଠକ ନିଜ ଭିତରେ ଚିତ୍ର ନିର୍ମାଣ କରେ। ସିନେମା ଦୃଶ୍ୟ ମାଧ୍ୟମରେ କଳ୍ପନାକୁ ଶାଣିତ କରେ। ଭାରତୀୟ ସିନେମାରୁ ପୃଥିବୀର ସିନେମା ଯାଏଁ ପହଞ୍ଚିବାକୁ ଆମ ସମୟର ଦର୍ଶକମାନେ ବହୁତ ପରିଶ୍ରମ କରିଛନ୍ତି। ଭଲ ସିନେମାଟିଏ ଦେଖିବାକୁ ଦୂର ସହରର ସିନେମା ଉତ୍ସବକୁ ଯିବାକୁ ପଡିଛି। ଆଜିର ୟୁଟ୍ୟୁବ, ନେଟଫ୍ଲିକ୍ସ, ମୁବି, ଆମାଜନ ଯୁଗର ପିଲାଙ୍କ ଲାଗି ସିନେମା ଖୋଜିବା ଅତି ସହଜ। ନିଜ ମୋବାଇଲରେ ଯେ କୌଣସି ମୁହୂର୍ତ୍ତରେ ସେମାନେ ହିଚକକ, ଫେଲିନି, ପୋଲାନ୍ସ୍କି, ଟେରାଣ୍ଟିନୋ, ସ୍ପିଲବର୍ଗ, କୁରୋସାୱା, ଗୋଦାର୍ଦ, ସତ୍ୟଜିତ ରାୟ, ଋତ୍ଵିକ ଘଟକ, ଅଦୂର ଗୋପାଳକୃଷ୍ଣନ ବା ସାଜି କରୁନ ପ୍ରମୁଖଙ୍କର ସିନେମା ଦେଖିପାରୁଛନ୍ତି। ସିନେମା ଆଜି ସବୁଠୁ ସହଜ ଓ ଶସ୍ତାରେ ଦେଖିବାକୁ ମିଳୁଛି।
ତେବେ ସିନେମାକୁ ନେଇ ଏତେ କଥା ଆଜି ମୁଁ କହୁଛି କାହିଁକି? ଗତ ସପ୍ତାହରେ ଗୋଟେ ବହି ପଢୁଥିଲି, ଯାହାର ଶୀର୍ଷକ ଥିଲା- 1001 Movies you must see before you die. ମରିବା ଆଗରୁ ଯେଉଁ ୧୦୦୧ଟି ସିନେମା ଦେଖିବାକୁ ଏହି ବହିର ସମ୍ପାଦକ ଷ୍ଟିଭେନ ଜେ ସ୍ନେଲ୍ଡର ଯେଉଁ ହଜାରେ ଏକ ଟି ସିନେମାର ତାଲିକା ତିଆରି କରିଛନ୍ତି, ସେଥିରେ ଭାରତୀୟ ସିନେମାର ଭାଗ ମାତ୍ର ୧୩। ସତ୍ୟଜିତ ରାୟଙ୍କ “ପଥେର ପାଞ୍ଚାଲି”,”ଅପରାଜିତ”, “ଜଲସା ଘର” ଓ “ସତରଞ୍ଜ କେ ଖିଲାଡ଼ି” କୁ ବାଦ ଦେଲେ ବାକି ଯେଉଁ ୯ଟି ସିନେମା କଥା ସେଥିରେ କୁହା ଯାଇଛି, ସେଥିରେ “ଦିଲୱାଲେ ଦୁହ୍ଲନିୟା ଲେ ଯାଏଙ୍ଗେ” ଓ “ଦିୱାର” ଭଳି ସିନେମା ରହିଛି। ସବୁଠୁ ବିଚିତ୍ର କଥା ହେଉଛି ସିନେମା ନିର୍ମାଣ ଓ ବିଷୟବସ୍ତୁ ଦୃଷ୍ଟିରୁ ଗୁରୁ ଦତ୍ତ ଓ ରାଜ କପୁରଙ୍କ ସିନେମା ଏଇ ତାଲିକାରେ ନାହିଁ।
ସିନେମାକୁ ନେଇ ବଞ୍ଚିବା ଓ ସିନେମାକୁ ନେଇ ଲେଖିବା ବୋଧେ ଦୁଇଟି ଅଲଗା ଜିନିଷ। ପୃଥିବୀର ସିନେମାକୁ ନେଇ ଆକଳନ କି ସମୀକ୍ଷା କଲାବେଳେ ଆମେରିକା ବା ୟୁରୋପର ଲେଖକମାନେ ବୋଧେ ଜାଣନ୍ତି ନାଇଁ ଯେ, ଭାରତୀୟ ସିନେମା ଦର୍ଶକମାନେ ସିନେମା ଦେଖନ୍ତି ନାଇଁ, ସେମାନେ ସିନେମାକୁ ବଞ୍ଚନ୍ତି।
Comments are closed.