Latest Odisha News

BREAKING NEWS

ତେଲେଙ୍ଗାନାରେ ବିଆରଏସ, କଂଗ୍ରେସକୁ ଖେଳାଇବେ ବିଜେପିର ରାଜା !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ।ତେଲେଙ୍ଗାନା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ବିଜେପି ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

୧୧୯ ସିଟ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟରେ ୫୨ ଜଣିଆ ତାଲିକା ଘୋଷଣା କରିଛି। କିନ୍ତୁ ଏହି ତାଲିକାରେ ଟି ରାଜା ସିଂଙ୍କୁ ପ୍ରାର୍ଥୀ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଦଳରୁ ନିଲମ୍ବିତ ହୋଇଥିବା ରାଜା ସିଂଙ୍କୁ ଦଳ ଟିକେଟ ଦେଇଛି। ତାଙ୍କ ନିଲମ୍ବନକୁ ଦଳ ପକ୍ଷରୁ ଉଠାଯିବା ସହ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ପ୍ରାର୍ଥୀ କରାଯାଇଛି। ଗୋଶମାହାଲ ବିଧାନସଭା କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବେ।

ଯାହାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦିନ ଓୱେସି ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ସେ ଉଭୟ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଘୃଣା ଭାଷଣକୁ ବିଜେପିରେ ପ୍ରଚାରର ସବୁଠୁ ବଡ଼ ମାଧ୍ୟମ ଭାବେ ଗଣାଯାଏ ବୋଲି ସେ କହିଛନ୍ତି। ଟ୍ୱିଟର ମାଧ୍ୟମରେ ସେ ଏ କଥା କହିଛନ୍ତି। ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ମୋଦି ପୁରସ୍କୃତ କରିଛନ୍ତି ବୋଲି ସେ କହିଛନ୍ତି। ଏପରିକି ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ମଧ୍ୟ ଏଭଳି ଆଶୀର୍ବାଦ ମିଳିବ ବୋଲି ସେ କହିଛନ୍ତି।

ସେପଟେ ନିଲମ୍ବନ ଉଠିବା ସହ ଦଳୀୟ ଟିକେଟ ମିଳିଥିବାରୁ ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି। ଦଳର ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଜେପିର ତିନି ଜଣ ସାଂସଦଙ୍କୁ ଟିକେଟ ଦିଆଯାଇଛି। ଶାସକ ବିଆରଏସ ବହୁ ପୂର୍ବରୁ ଟିକେଟ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।

ସେପଟେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦ୍ଵିତୀୟ ପର୍ଯ୍ୟାୟ ତାଲିକା ଦଶହରା ପରେ ଘୋଷଣା କରିବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ସଭାପତି ଜି କିଷନ ରେଡ୍ଡୀ କହିଛନ୍ତି। ଦଶହରା ପରେ ଦଳ ଜୋରଦାର ପ୍ରଚାର ଆରମ୍ଭ କରିବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଥା ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାରକୁ ଓଲ୍ହାଇବେ। ପରିବାରବାଦକୁ ତେଲେଙ୍ଗାନାରେ ଦଳ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିବ। ଉଭୟ ଶାସକ ବିଆରଏସ ଓ କଂଗ୍ରେସକୁ ଏହି ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି ଦଳ।

ତେଲେଙ୍ଗାନାରେ ପଦଯାତ୍ରା, ରାଲି ଓ ସଭା ମାଧ୍ୟମରେ ଦଳ ଏ ସବୁ ପ୍ରସଙ୍ଗକୁ ଅସ୍ତ୍ର କରିବ ବୋଲି କିସନ ରେଡ୍ଡୀ କହିଛନ୍ତି। ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ।

ତେଣୁ ବିଆରଏସ ଓ କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ବଡ଼ ଯୋଜନା କରିଥିବା ବେଳେ ରାଜା ସିଂଙ୍କୁ ଟିକେଟ ଦେବା ପ୍ରସଙ୍ଗ ତେଲେଙ୍ଗାନା ରାଜନୀତିକୁ ଚଳଚଂଚଳ କରିଛି।

Leave A Reply

Your email address will not be published.