Latest Odisha News

BREAKING NEWS

ଅନୁଷ୍ଠିତ ହୋଇଛି ଓଡବ୍ଲ୍ୟୁଏମ୍ ର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ । ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ,  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତି ମୀନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ପ୍ୟାଟ୍ରିସିଆ ମୁଖିମ ଏବଂ ପିପ୍‌ଲିକାର ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା ଶ୍ରୀମତି ଦୀପିକା ଅଧିକାରୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକ୍ରମ ଅଶୁଣା ସ୍ୱର: ତୃଣମୂଳ ସ୍ତରର କାହାଣୀ ବିଷୟବସ୍ତୁ ଉପରେ ଆଧାରିତ ଥିଲା ।

BjdElectrycity

ଏହି ପ୍ରତିଷ୍ଠା ଦିବସ ସମାରୋହକୁ ଓଡବ୍ଲ୍ୟୁଏମ୍‌ ର ଅଧ୍ୟକ୍ଷା କସ୍ତୁରୀ ରାଏ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓଡବ୍ଲ୍ୟୁଏମ୍ ସଦସ୍ୟମାନଙ୍କୁ ନିଜର ଆଗ୍ରହକୁ ଅନୁସରଣ କରିବା ଓ କେବେ ହାର୍ ନମାନିବା ପାଇଁ ପ୍ରେରିତ କରିଥିଲେ ।  ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିବା ଶ୍ରୀମତି ଦାସ ରିପୋର୍ଟିଂ କରିବା ସମୟର ସଂଘର୍ଷ ଓ ପ୍ରୟାସର କାହାଣୀ  ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ବର୍ତମାନ ଯେତେବେଳେ ଜଣେ ରାଜନୀତିଜ୍ଞ ଭାବେ ମୁଁ ମୋ କ୍ଷେତ୍ରରେ କାର୍ଯ୍ୟ କରୁଛି ମୁଁ ତତ୍‌କ୍ଷଣାତ ଲୋକମାନଙ୍କ ସମସ୍ୟା ଓ କଷ୍ଟକୁ ବୁଝିପାରୁଛି । କିନ୍ତୁ ଉଭୟ କ୍ଷେତ୍ରରେ ସମାଲୋଚନା ଓ ପ୍ରଶଂସା ରହିଛି ।

ସେହିପରି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି, ଯେତେବେଳେ ମୁଁ ଏହି ପଦରେ ଯୋଗ ଦେଲି ସେତେବେଳେ ମହିଳାଙ୍କ ସହ ଜଡିତ ୧୨,୦୦୦ ମାମଲା ଥିଲା, କିନ୍ତୁ ବର୍ତମାନ କେବଳ ୨୦୦୦ ପାଖାପାଖି ମାମଲା ରହିଛି । ମିଡିଆରେ କାର୍ଯ୍ୟରତ ମହିଳାମାନଙ୍କର ଏଭଳି ମାମଲାଗୁଡିକୁ ଲୋକଲୋଚନକୁ ଆଣିବାରେ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି ଯାହାକୁ ବେଳେ ବେଳେ ଆମେ ଦେଖିପାରିନଥାଉ ।

ଏହି ଅବସରରେ ଶ୍ରୀମତି ମୁଖିମ ଓ ଶ୍ରୀମତି ଅଧିକାରୀ ମହିଳାମାନଙ୍କୁ ସାମ୍ବାଦିକତା ମାଧ୍ୟମରେ ତୃଣମୂଳ ସ୍ତରରେ ଏକ ସ୍ୱର ପ୍ରଦାନ କରିବାର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଓଡବ୍ଲ୍ୟୁଏମ୍ ପକ୍ଷରୁ ଓଡିଆ ଓ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ଅର୍ଗସ ଟିଭି (ଓଡିଆ)ର ସତରୂପା ସାମନ୍ତରାୟ ଓ ଜଣେ ସ୍ୱାଧୀନ ସାମ୍ବାଦିକା ଐଶ୍ୱର୍ଯ୍ୟା ମହାନ୍ତି (ଇଂରାଜୀ)ଙ୍କୁ ସମ୍ମାନିତ କରାଯାଇଥିଲା । ଓଡବ୍ଲ୍ୟୁଏମ୍‌ର ପ୍ରାୟ ୧୭୦ ଜଣ ସାମ୍ବାଦିକା ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.