ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
କେବେ କେମିତି ଭାଇ ଭଉଣୀଙ୍କ ପାଇଁ ଯଦି ମାଆ କିଛି ଖାଇବା ଜିନିଷ ରଖିଥାଏ, ତାହେଲେ ସେ ଚାହେଁ, ସେ ସବୁ ସମସ୍ତେ ଏକାଠି ଭାଗବାଣ୍ଟି ଖାଇବା ଦରକାର। ବଡ଼ ହିସାବରେ ହୁଏତ ବଡ଼ର ଭାଗ ଟିକିଏ କମ୍ ହୋଇପାରେ, କିନ୍ତୁ ସାନମାନଙ୍କ ଭାଗ କମ୍ ହେବାକୁ ହେବ ନାହିଁ। ଏହା ଥିଲା ମାଆର ତାଗିଦ୍। କିନ୍ତୁ ତାର ସବୁବେଳେ ଓଲଟା ହୁଏ। ବଡ଼ ସବୁବେଳେ ଅଧିକା ଖାଇଦିଏ। ବେଳେ ବେଳେ ଦି ଜଣଙ୍କ ଭାଗ ସେ ଏକା ଖାଇଯାଏ ଏବଂ ମାତ୍ର ଗୋଟିଏ ଭାଗରେ ସାନ ଦୁଇ ଜଣଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼େ। ସେତେବେଳେ ମାଆ କହେ, କେଡ଼େ ଆପଣାସୁଖୀଟା ଇଏ। ବଡ଼ ପଚାରେ ସବୁବେଳେ ମାଆ ତୁ ମୋତେ ଆପଣାସୁଖୀ କହୁଛୁ। ତାର ମାନେ କଣ? ସେ ଜବାବ ଦିଏ, ଆପଣାସୁଖୀ ମାନେ, ଯିଏ ସବୁବେଳେ ନିଜ ସୁବିଧା ଏବଂ ସୁଖ କଥା ଚିନ୍ତା କରେ। ଅନ୍ୟମାନଙ୍କ ସୁଖ ଦୁଃଖରେ ଯାହାର କିଛି ଯାଏଆସେ ନାହିଁ। ତା ପରେ ବଡ଼ ଅତି ଜୋରରେ ହସେ। ମାଆର କଥାକୁ ଅଟ୍ଟହାସ୍ୟ କଲା ଭଳି ହସି ଉଡ଼ାଇ ଦିଏ।
ହଁ, ବ୍ରଜପୁର ଗାଁର ଜଣେ ଜଣାଶୁଣା ଲୋକ ନାଗେଶ୍ୱର ମହାନ୍ତି। ଘରେ ସ୍ଥିତି ଯାହା ଥାଉ ନା କାହିଁକି ବାହାରେ ମାମଲତି କରିବାଟା ତାଙ୍କର କିଛି କମ୍ ନାହିଁ। ଅନେକ ଦିନ ଧରି ସେ ଗାଁ କମିଟିର ସଭାପତି। କିଏ ଭଲ କଲା କି ଭୁଲ୍ କଲା, ଗାଁ ସଭାରେ ବସି ତାକୁ ଦଣ୍ଡ ଶୁଣାଇବା ଦାୟିତ୍ୱଟା ନାଗେଶ୍ୱର ମହାନ୍ତିଙ୍କର। ବଡ଼ କୁହାଳିଆ ଲୋକ। ନିଜକୁ ସୁହାଇଲା ଭଳି ସବୁବେଳେ ମନ୍ତବ୍ୟ ଦିଅନ୍ତି। ବାହାର ଗାଁର ଯଦି କିଛି ଘଟଣାକୁ ନେଇ ବ୍ରଜପୁରର କୌଣସି ଲୋକ ଜଡ଼ିତ ବୋଲି ଜଣାପଡ଼ିଲା, ତାହେଲେ ନିଜ ଗାଁ ଲୋକ ଠିକ୍ ଥିଲେ ବି, ତାକୁ ଜୋରିମାନା କରି ଦଣ୍ଡିତ କରିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ ସେ। ଅନେକ ସମୟରେ ନିର୍ଦ୍ଦୋଷମାନଙ୍କୁ ଗାଁରେ ଏକଘରକିଆ କରି ବା ବାସନ୍ଦ କରି ହଇରାଣ ହରକତ କରିବା ଯୋଗୁଁ କେହି ବି ତାଙ୍କୁ ଭଲ ପାଆନ୍ତି ନାହିଁ। କିନ୍ତୁ ମୁହଁ ଉପରେ କେହି କିଛି କହନ୍ତି ନାହିଁ। ଅନେକ ଦିନ ଧରି ଏମିତି ହିଁ ଚାଲିଥିଲା ବ୍ରଜପୁର ଗାଁରେ। ଏଣେ ନାଗେଶ୍ୱରଙ୍କ ଚାରି ପୁଅ ଓ ଗୋଟିଏ ଝିଅ। ବଡ଼ପୁଅ ରାଜେନ୍ଦ୍ର କଲେଜରେ ପାଠ ପଢ଼ି ଏବେ ଏବେ ଡାକ ବିଭାଗରେ ଚାକିରି କରିଛି। ଆଉ ତିନି ଭାଇ ତାଠୁ ଢେର୍ ସାନ। ରାଜେନ୍ଦ୍ରର ତଳ ଭାଇଟା ଟିକିଏ ବିଦ୍ରୋହୀ। ବାପା ସବୁବେଳେ ରାଜେନ୍ଦ୍ରକୁ ଗୁରୁତ୍ୱ ଦେଉଥିବାରୁ ସେ ଦିନେ ରାଗି ଯାଇ ଘର ଛାଡ଼ି, ପାଠ ଛାଡ଼ି କେଉଁ ଆଡ଼େ ଚାଲିଗଲା। ପ୍ରାୟ ଆଠ ଦଶ ବର୍ଷ ପରେ ଆସିଲା ବେଳକୁ ସେ ପାଲଟି ଯାଇଥିଲା ଗୋଟିଏ ପୋଖତ ମେକାନିକ୍। ଯେ କୌଣସି ମେସିନ୍ ସେ ଅତି ସହଜରେ ସଜାଡ଼ି ଦେଇ ପାରୁଥିଲା। ଗାଡ଼ିର ଇଞ୍ଜିନ୍, ଜେନେରେଟର, ପାଣି ପମ୍ପ, ଟ୍ରାକ୍ଟର ଇଞ୍ଜିନ୍, ଏମିତି ଯେତେ ସବୁ ଗାଁରେ ମିଳୁଥିବା ଏବଂ କାମରେ ଆସୁଥିବା ମେସିନ୍ ମରାମତି କରିବା ତା ବାଁ ହାତର କାମ। ତେବେ ତା ଛାଇ ପଡ଼ିଲେ ରାଜେନ୍ଦ୍ରର ନାହି ଡିଏଁ। ସେ ତାକୁ ଘରେ ପୂରାଇ ଦିଏନି। ଆଉ ଦୁଇଟା ସାନ ଭାଇ ରାଜେନ୍ଦ୍ରଠୁ ପ୍ରାୟ ଦଶ-ବାର ବର୍ଷ ସାନ। ସେମାନେ ବି କେହି କଲେଜ ଦୁଆର ଦେଖିଲେ ନାହିଁ। ସେମାନଙ୍କ ପାଠ ପଢ଼ାରେ ଡୋରି ବାନ୍ଧିବାରେ ସବୁଠୁ ବଡ଼ ଭୂମିକା ଥିଲା ରାଜେନ୍ଦ୍ରର। ତେବେ ଗୋଟିଏ ପୁଅକୁ ପାଠ ପଢ଼ାଇ ବଡ଼ କରିବା ଏବଂ ଅନ୍ୟମାନଙ୍କୁ ଉପେକ୍ଷା କରିବା ନେଇ ଯଦି କେହି କେବେ ପଚାରି ଦେଉଥିଲା, ତାହେଲେ ସେ କଥାକୁ ଏଡ଼ାଇ ଯାଉଥିଲେ ନାଗେଶ୍ୱର ମହାନ୍ତି। ଏଣେ ଧୀରେ ଧୀରେ ଗାଁ ରାଜନୀତିରେ ବାପାଙ୍କ ସ୍ଥାନ ନେବାକୁ ଚେଷ୍ଟା କରୁଥିଲା ରାଜେନ୍ଦ୍ର। ସରକାରୀ ଚାକିରି କରୁଥିଲେ ବି, ସେ ଗାଁ ମାମଲତିରେ ବାପାଠୁ ଅଧିକ ପୋଖତ ଥିଲା। ନାଗେଶ୍ୱରଙ୍କ ଅନୁପସ୍ଥିତିରେ ସେ ନିଜ ଆଡୁ ଯାଇ ବସି ପଡୁଥିଲା ଗାଁ ସଭାରେ। ନିଜକୁ ନିଜେ ଗାଁର ସଭାପତି ଭଳି ଦେଖେଇ ହେଉଥିଲା।
ଦିନେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ନାଗେଶ୍ୱର। ଡାକ୍ତରଖାନାକୁ ନେବା ବାଟରେ ତାଙ୍କ ପରଲୋକ ଘଟିଲା। ଏଣେ ବାପାଙ୍କ ଅନ୍ତେ ଘର କେମିତି ଚଳିବ, ସେ କଥା ଚିନ୍ତା କରୁଥିଲେ ରାଜେନ୍ଦ୍ରର ମାଆ। ଏତିକି ବେଳେ ତାଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଥିଲା ନିଜର ଏକମାତ୍ର ଝିଅକୁ ବାହାଦେଇ ବିଦା କରିବା। କେମିତି କଣ କରି ଭାଇମାନେ ସେହି ଝିଅର ବାହାଘର କରାଇ ବିଦା କରିଦେଲେ। ସେମାନେ ଭାବିଲେ ଝିଅ ବାହାକରି ଦାୟିତ୍ୱ ତୁଟିଲା। ହେଲେ ବାପାଙ୍କ ମୃତ୍ୟୁ ପରେ ବଡ଼ ହିସାବରେ ରାଜେନ୍ଦ୍ର, ସାନ ଭାଇମାନଙ୍କ ଯେଉଁଭଳି ଭାବେ ଯତ୍ନ ବା ଦାୟିତ୍ୱ ନେବା କଥା, ସେମିତି କିଛି କଲାନି। ଭଉଣୀ ବାହାଘର ପରେ ନିଜେ ନିଜ ପସନ୍ଦର ଝିଅ ଦେଖି ବାହା ହୋଇଗଲା ରାଜେନ୍ଦ୍ର। ତେବେ ତାର ଭାଇମାନେ ଭାବିଥିଲେ ହୁଏତ ଘରକୁ ନୂଆ ଭାଉଜ ଆସିବା ପରେ ସ୍ଥିତିରେ କିଛି ପରିବର୍ତ୍ତନ ଆସିବ। ସେମାନଙ୍କ କଥା ବୁଝିବ ଭାଇ। କିନ୍ତୁ ସେମିତି କିଛି ହେଲାନି। ଓଲଟା ଭାଉଜ ଆସିବା ପରେ ସେମାନଙ୍କ ସ୍ଥିତି ଆହୁରି ଖରାପ ହୋଇଗଲା। ପୂର୍ବରୁ ମାଆ ହାତରେ ରନ୍ଧାଶାଳ ଥିବାରୁ ଅନ୍ତତଃ ଦିନକୁ ଦୁଇ ଓଳି ଖାଇବାକୁ ମିଳୁଥିଲା। ଏବେ କିନ୍ତୁ ଭାଉଜ ଆଉ ଖାଇବାକୁ ଦେଲାନି ସେମାନଙ୍କୁ। ଧୀରେ ଧୀରେ ନିଜ ଘରେ ହିଁ ସେମାନେ ପର ହୋଇଗଲେ। ରାଜେନ୍ଦ୍ରର ତଳ ଭାଇ ଘର ଛାଡ଼ି ପୁଣି ପଳେଗଲା। ନିଜ ବାହା ଉପରେ ତାର ବିଶ୍ୱାସ ଥିଲା। କାମ କରି ନିଜ ଗୋଡ଼ରେ ନିଜେ ଠିଆ ହେଲା ସେ। ଅନ୍ୟ ଦୁଇ ଭାଇ ସବୁଦିନ ପାଇଁ ଘର ଛାଡ଼ି ଅନ୍ୟ କାହାର ଅନୁକମ୍ପାର ଅପେକ୍ଷାରେ ରହିଲେ। କିନ୍ତୁ ରାଜେନ୍ଦ୍ର ଉପରେ ପଡ଼ିନଥିଲା କୌଣସି ପ୍ରଭାବ। ବରଂ ଦିନକୁ ଦିନ ସେ ଆହୁରି ଖୁସି ହେଉଥିଲା। ବାପା ମରିବା ପରେ ରାଜାର ପୁଅ ରାଜା ନ୍ୟାୟରେ ଗାଁରେ ସେ ପାଲଟି ଯାଇଥିଲା ମାମଲତିକାର।
ଦିନେ ସନ୍ଧ୍ୟାରେ ଗାଁରେ ସଭା ପାଇଁ ଡକାହେଲା। ଗାଁ ମୁଣ୍ଡ ଚାନ୍ଦିନୀ ଉପରେ ବସିଲେ ଗାଁ ଲୋକେ। ଗାଁ ସଭାରେ ମଝିରେ ଯାଇ ବସିଲା ରାଜେନ୍ଦ୍ର। ଗାଁର ସଭାପତି। ପଚାରିଲା ସମସ୍ତଙ୍କୁ ଆଜି ଏ ସଭା ଡାକିଛି କିଏ? କଣ ପାଇଁ ଏ ସଭା ଡକାଯାଇଛି? ଅନେକ ସମୟ ଯାଏଁ କେହି କିଛି କହିଲେ ନାହିଁ। ସେତେବେଳେ ଗାଁ କମିଟିର ଅନ୍ୟ ସସଦ୍ୟମାନେ ପଚାରୁଥାନ୍ତି, କାହାର ସଭା ଇଏ? ଶେଷରେ ଗାଁ ଲୋକଙ୍କ ଭିଡ଼ ଭିତରୁ ଠିଆ ହେଲେ ତିନି ଜଣ। ସମସ୍ତେ ରାଜେନ୍ଦ୍ରର ଭାଇ। ଏକସ୍ୱରରେ କହିଲେ, ଆଜିର ସଭା ଗାଁ ସଭାପତିଙ୍କ ବିରୋଧରେ ଅଭିଯୋଗ ନେଇ ଡକାଯାଇଛି। ଗାଁ ଲୋକେ ଏବଂ ଗାଁ କମିଟିର ସଦସ୍ୟମାନେ ପରସ୍ପରକୁ ଦେଖୁଥାନ୍ତି। ଏତିକିବେଳେ ଅତି ଉତକ୍ଷିପ୍ତ ହୋଇ ରାଜେନ୍ଦ୍ର ଗର୍ଜି ଉଠିଲା। କହିଲା, ତମେମାନେ ମୋ ନାଁରେ ଅଭିଯୋଗ ଆଣିଛ? ତମର ଏତେ ସାହସ? ଗାଁ ସଭାପତି ବିରୋଧରେ ଅଭିଯୋଗ? ଏତିକି ବେଳେ ଗାଁର ଦୁଇ ଜଣ ପୁରୁଣା କାଳିଆ ବୁଢ଼ା ଲୋକ ଠିଆ ହୋଇ କହିଲେ, ସଭାପତି ବିରୋଧରେ ଯଦି ଅଭିଯୋଗ ଆସିଛି, ତାହେଲେ ସେ ଆଉ ସଭାପତି ରହିପାରିବେ ନାହିଁ। ତାଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେଣୁ ସାଧାରଣ ଲୋକ ଭଳି ସେ ଏ ସଭାରେ ବସିବେ। ଅନ୍ୟ କେହି ଜଣେ ଗାଁ ସଭାର ସଭାପତିତ୍ୱ କରିବେ। ଏଇ କଥା ଶୁଣିବା ପରେ ଗାଁର ଅଧିକାଂଶ ଲୋକ କହିଲେ, ହଁ ହଁ ସତକଥା। ସଭାପତି ରାଜେନ୍ଦ୍ର ନିଜ ସ୍ଥାନ ଛାଡ଼ନ୍ତୁ।
ଗାଁ ସଭାରେ ଏତେ ଲୋକଙ୍କ ଭିତରେ ଆଉ କଣ କହିବ ରାଜେନ୍ଦ୍ର। ମଝିରୁ ଉଠି ଆସିଲା। ଗାଁ କମିଟିର ଅନ୍ୟ ସଦସ୍ୟମାନେ ଶୁଣାଣି ଆରମ୍ଭ କଲେ। ତିନି ଭାଇଙ୍କ ଅଭିଯୋଗ ଯେ, ଆମ ଘରେ ଆମ ପାଇଁ ଜାଗା ନାହିଁ। ଆମକୁ ଖାଇବାକୁ ବି ଦିଆଯାଉନାହିଁ। ସ୍ଥିତି ଯଦି ଏଇଆ, ତାହେଲେ ଆମର ଦାବି, ଆମ ପୈତୃକ ଘର ଆଉ ସମ୍ପତ୍ତିରୁ ଆମକୁ ଭାଗ ଦିଆଯାଉ। ତେଣିକି ଭାଇକୁ ଯାହା କରିବାର ଅଛି ସେ କରୁ। ଏତିକି ବେଳେ ଗାଁ ଲୋକଙ୍କ ପ୍ରଶ୍ନର କୌଣସି ଉତ୍ତର ନଦେଇ ଘରକୁ ଦୌଡ଼ିଲା ରାଜେନ୍ଦ୍ର। ରାଗରେ ଫଁ ଫଁ ହେଉଥାଏ। କିଛି ସମୟ ପରେ ଘରୁ କିଛି ଦସ୍ତାବିଜ୍ ଧରି ସଭାରେ ପହଞ୍ଚିଲା ସେ। ସମସ୍ତଙ୍କ ଆଗରେ ସେହି ଦସ୍ତାବିଜକୁ ରଖି କହିଲା, ଏ ଘର ଆଉ ସମ୍ପତ୍ତିର ମାଲିକ ମୁଁ। ମୋ ବାପା ନାଗେଶ୍ୱର ମହାନ୍ତି ମରିବା ପୂର୍ବରୁ ସବୁ କିଛି ମୋ ନାଁରେ କରିଦେଇ ଯାଇଛନ୍ତି। ତେଣୁ ଏମାନଙ୍କୁ ମୁଁ କିଛି ଭାଗ ଦେବାର ନାହିଁ। ରାଜେନ୍ଦ୍ରର କଥା ଶୁଣି ତିନି ଭାଇଙ୍କ ଅକଲ ଗୁଡୁମ୍ ହୋଇଗଲା। ସେମାନେ କଣ କହିବେ, କଣ କରିବେ କିଛି ଭାବି ପାରିଲେ ନାହିଁ। ତେବେ ରାଜେନ୍ଦ୍ରର ତଳ ଭାଇ କହିଲା, ଇଏ ପାଠଶାଠ ପଢ଼ିଥିଲା ବୋଲି ମୋ ନିରକ୍ଷର ବାପାର ଟିପଚିହ୍ନ ନେଇ ସବୁ ସମ୍ପତ୍ତି ନିଜର କରି ନେଇଛି। ୟାକୁ ଦଇବ ସହିବ ନାହିଁ। ଇଏ ଗୋଟେ ପରମ ସ୍ୱାର୍ଥପର। ୟାକୁ ଭାଇ ବୋଲି କହିବାକୁ ଏବେ ଘୃଣା ଲାଗୁଛି। ଗାଁ ଲୋକେ ଆଉ କିଛି ଶୁଣିଲେ ନାହିଁ। ସଭାରୁ ସମସ୍ତେ ଉଠି ଯିଏ ଯାହା ଘରକୁ ଫେରିଗଲେ। ଏତିକି ବେଳେ ଗାଁର ସେହି ବୁଢ଼ାଲୋକମାନେ ପରସ୍ପର ଭିତରେ କଥା ହେଉଥିଲେ, ନିଜ ଘରେ ଏମିତି ଗୋଟେ ଆପଣାସୁଖୀ ମଣିଷ ଜନ୍ମ ହେଇଥିଲା ବୋଲି ଜାଣିବା ପରେ ବୋଧେ ଅକାଳରେ ଚାଲିଗଲା ନାଗେଶ୍ୱର ମହାନ୍ତି।
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.