Latest Odisha News

BREAKING NEWS

ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଭୁବନେଶ୍ୱର: ରାଜ୍ୟର ମଣ୍ଡି ଗୁଡ଼ିକରେ ଧାନ କିଣାକୁ ସୁବ୍ୟବସ୍ଥିତ ସହ ସ୍ୱଚ୍ଛ କରିବାକୁ ସରକାର ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ତଥାପି ସୁଫଳ ମିଳୁନି । ଅଧିକାଂଶ ସ୍ଥାନରେ ମଣ୍ଡି ଗୁଡ଼ିକରେ ବସ୍ତା ବସ୍ତା ଧାନ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିବା ଖବର ଆସୁଛି । କେଉଁଠି ମଣ୍ଡି ଚାଷୀଙ୍କ ଧାନକୁ ଟାର୍ଗେଟ୍ ପୂରଣ ହୋଇ ଯାଇଥିବା କହି କିଣୁନି ତ ଆଉ କେଉଁଠି କଟନୀ ଛଟନୀରେ ପେଶି ହେଇ ଯାଉଛନ୍ତି ଚାଷୀ । ଚାଷୀଙ୍କ ଏହି ସମସ୍ୟା ବିଧାନସଭାରେ ଉଠିଛି, ବାରମ୍ବାର ଗୃହ ମୁଲତବି ପରେ ପ୍ରସଙ୍ଗରେ ଜୋରଦାର ଆଲୋଚନା ବି ହୋଇଛି । ହେଲେ, ଗୃହରେ ସପ୍ତାହକ ତଳେ ମନ୍ତ୍ରୀ ରଖିଥିବା ବିବୃତି ଆଉ ଗ୍ରାଉଣ୍ଡ ସ୍ଥିତିରେ କୌଣସି ତାଳମେଳ ନାହିଁ ।

ଭଦ୍ରକରୁ ଆସିଥିବା ଅଭିଯୋଗ ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡ଼ା ଗାଁର ଚାଷୀ ରାମକୃଷ୍ଣ ପଣ୍ଡା ୩୨୦ କ୍ୱିଣ୍ଟାଲ୍ ଧାନ ବିକ୍ରି ପାଇଁ ଟୋକନ୍ ପାଇଥିଲେ । ଧାନ କିଣିବା ଦାୟିତ୍ୱ ନେଇଥିବା ବନ୍ଧଗାଁ ପଞ୍ଚାୟତର ରାମେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀକୁ ରାମକୃଷ୍ଣ ୧୨୦ ବସ୍ତା ଧାନ ଦେଇଥିଲେ । ହେଲେ ସେଥିରୁ ମାତ୍ର ୫୦ କ୍ୱିଣ୍ଟାଲ୍ ଧାନ କିଣିଥିଲା ସ୍ୱୟଂ ସହାୟକ ଗୋଷ୍ଠୀ । କେବଳ ଏତିକି ନୁହେଁ ରାମକୃଷ୍ଣଙ୍କ ପରେ ଧାନ ଦେଇଥିବା ଚାଷୀଙ୍କୁ ଟଙ୍କା ମିଳି ସାରିଥିବା ବେଳେ ରାମକୃଷ୍ଣଙ୍କ ଆକାଉଣ୍ଟକୁ ଆସିନଥିଲା ।

ଗୋଟିଏ ପଟେ ବଳକା ୨୭୦ କ୍ୱିଣ୍ଟାଲ୍ ବଳକା ଧାନ ଓ ମଣ୍ଡିରେ ଦେଇଥିବା ଧାନ ମିଳିନଥିବା ଟଙ୍କାକୁ ନେଇ ରାମକୃଷ୍ଣ ସନ୍ତୁଳି ହେଉଥିଲେ । ଅନ୍ୟପଟେ ଧାନ କିଣା ଟାର୍ଗେଟ ଆଳରେ ଆଜି କାଲି ଟୋକନ୍ ଅବଧି ସରି ଯାଇଥିଲା । ଧାନ ବିକି ନପାରି ଆଣିଥିବା ଋଣ କିପରି ଶୁଝିବେ ତାକୁ ନେଇ ରାମକୃଷ୍ଣ ଚିନ୍ତିତ ହୋଇ ପଡ଼ିଥିଲେ । ଶେଷରେ ଶନିବାର ପଞ୍ଚାୟତ ଅଫିସ୍ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି ।

୨୦ ଫେବ୍ରୁଆରୀ ୨୦୨୧ରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହକୁ ଦେଇଥିବା ତଥ୍ୟ ଅନୁସାରେ ଗତବର୍ଷ ଅପେକ୍ଷା ସରକାର ୨୧ ପ୍ରତିଶତ ଅଧିକ ଧାନ କିଣିଛନ୍ତି । ଏଥିସହ ସରକାର ସମସ୍ତ ଚାଷୀଙ୍କ ଧାନ କିଣିବେ ବୋଲି ମନ୍ତ୍ରୀ ବିବୃତି ଦେଇଥିଲେ । କିନ୍ତୁ, ବାସ୍ତବ ସ୍ଥିତି ପୂରା ଓଲଟା । ବିଧାନସଭାରେ ମନ୍ତ୍ରୀ ଗୋଟିଏ କଥା କହୁଥିବା ଗ୍ରାଉଣ୍ଡରେ ମଣ୍ଡି ଓ ଧାନ କ୍ରୟକାରୀ ସଂସ୍ଥା ଟାର୍ଗେଟ୍ ଆଳରେ ଚାଷୀଙ୍କୁ ବାରମ୍ବାର ହଇରାଣ କରୁଛନ୍ତି । ଟୋକନ୍ ଦେଇ ଧାନ କିଣାଯାଉ ନଥିବାରୁ ଚାଷୀଙ୍କ ସାହା ଟୋକନ୍ ନା ସରକାର ବୋଲି ପ୍ରଶ୍ନ ଉଠୁଛି ।

ଏଥିସହ ପଢ଼ନ୍ତୁ- ମଣ୍ଡି ତାତିରେ ପୁଣି ଗୃହ ମୁଲତବି, ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆଣିବାକୁ ବିରୋଧୀଙ୍କ ଦାବି

Leave A Reply

Your email address will not be published.