Latest Odisha News

BREAKING NEWS

ଖରାକୁ ପଖାଳ ପାଗ, ଖାଇବାରେ ଓଡିଆ ଆଗ

ଆଜି ପଖାଳ ଦିବସ । କୁହାଯାଏ ଓଡିଆଙ୍କ ଜୀବନ ପଖାଳ କଂସା । ଯେତେ ଗରମ ହେଉ କି ଭୋକ ହେଉଥାଉ ପଖାଳ ଭାତ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇ ଦେଲେ ମନକୁ ଶାନ୍ତି ମିଳିଯାଏ । ଏବେ ତ ଖରା ଅସହ୍ୟ ହେଲାଣି ଓ ଗୁଳୁଗୁଳି କଥା ବି କହିଲେ ନ ସରେ । ଆଉ ଏତିକି ବେଳେ ଜମିଯାଏ ପଖାଳ ।

ଧନୀ ହଉ ବା ଗରିବ, ପିଲା ହେଉ ବା ବୁଢା ପ୍ରାୟ ସମସ୍ତଙ୍କ ପ୍ରିୟ ପଖାଳ । ସେ ଛୋô ଚାଳିଆ ହୋଟେଲ ହେଉ କି ବଡ ରେଷ୍ଟୁରାଣ୍ଟ ସବୁଠି ମିଳୁଛି ପଖାଳ । ବାସୀ ପଖାଳ, ଦହି ପଖାଳ, ଛୁଙ୍କ ପଖାଳ ସାଙ୍ଗକୁ ଭଳିଖି ଭଳି ଭଜ ଲା ହେଲେ ଆମମାନଙ୍କ ଘରେ ପଖାଳ ଖାଇଲା ବେଳେ ତିଆରି ହେଉଥିବା ପାଗପାଣି ଯିଏ ନ ଖାଇଚି ତା ମଜା ସେ ପାଇନି ।

‘ପାଗପାଣି’ କଥା କହିଲେ ମୁହଁରୁ ପାଣି ବାହାରିଆସେ । ଏହାର ପ୍ରସ୍ତୁତି ଅତି ସହଜ ଏବଂ କମ୍ ସମୟରେ ହୋଇଥାଏ ହେଲେ ଏହାର ସ୍ବାଦ ବଡ ବଡ ହୋଟେଲର ଖାଦ୍ୟ ସାଙ୍ଗ ସମାନ ହୁଏନି । ଚାଲନ୍ତୁ ଆଜି ଜାଣିବା କିଛି ଅତି ପ୍ରିୟ ପାଗପାଣିର ପ୍ରସ୍ତୁତି ପ୍ରଣାଳୀ ।

କଞ୍ଚାଆମ୍ବ ଚଟଣୀ

ଖରା ଦିନ କଥା କହିଲେ କଞ୍ଚା ଆମ୍ବ କଥା ମନକୁ ଆସେ । କେହି କେହି କଞ୍ଚା ଆମ୍ବ ରେ ଲୁଣ ଲଙ୍କା ଗୁଣ୍ଡ ଖାଇବାକୁ ପସନ୍ଦ କରିଥାନ୍ତି ତ କେହି ଏହାକୁ ଖଟା ବା ଆଚାର କରିଥାନ୍ତି । ହେଲେ ପଖାଳ କଥା ଯଦି କହିବା ତା ସାଙ୍ଗକୁ କଞ୍ଚା ଆମ୍ବ ଚଟଣି ବେଶ୍ ଭଲ ଲାଗିଥାଏ । କିଛି କଞ୍ଚା ଆମ୍ବକୁ ଭଲଭାବେ ଧୋଇ ତାର ଚୋପା ଛଡାଇ ରଖନ୍ତୁ । ଏହାକୁ କାଟି ଏହାର କୋଇଲି ବା ଟାକୁଆକୁ ବାହାର କରିଦିଅନ୍ତୁ । ଏହି ଆମ୍ବରେ କିଛି ପିଆଜ, ଅଳ୍ପ ଜିରା, ଶୁଖିଲା ଲଙ୍କା ଦେଇ ଶିଳ କିମ୍ବା ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବେ ବାଟି ଦିଅନ୍ତୁ । ତାପରେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ଦେଇ ପଖାଳ ସାଙ୍ଗେ ପରସନ୍ତୁ ।

ଟମାଟୋ ଚକଟା

ଓଡିଆ ଘରର ଟମାଟୋ ଚକଟାର ସ୍ଵାଦ ଭାରି ନିଆରା । କିଛି ଦେଶୀ ଟମାଟୋକୁ ସେରିଷ ତେଲରେ ଭଲ ଭାବେ ଭାଜି ଦିଅନ୍ତୁ, ଆପଣ ଚାହିଁଲେ ଏହାକୁ ପୋଡିପାରିବେ । ଟମାଟୋ କୁ ଗୋଟେ ଗିନା ବା ବେଲାରେ ଭଲ ଭାବେ ଦଳି ଦିଅନ୍ତୁ, ସେଥିରେ ଚୁନଚୁନ୍ ହୋଇ କଟା ହୋଇଥିବା ପିଆଜ, ଗୋଟିଏ କୋଲା ରସୁଣ , କଞ୍ଚା ଲଙ୍କା ଏବଂ ରସୁଣକୁ ଭଲଭାବେ ଟମାଟ ସାଙ୍ଗେ ଚକଟି ଦିଅନ୍ତୁ । ତା’ ପରେ ଏଥିରେ ସୋରିଷ ତେଲ ଅଳ୍ପ ପକାନ୍ତୁ । ଆପଣ ଚାହିଁଲେ ଏଥିରେ ମିକ୍ସଚର ବା ଛଣା ସେଓ ମଧ୍ୟ ପକାଇପାରିବେ ।

ଜହ୍ନି ପୋଡା

ଜହ୍ନି ପୋଡା ସାଙ୍ଗେ ପଖାଳ ବେଶ୍ ଜମିଥାଏ । ଜହ୍ନିକୁ ଭଲଭାବେ ଗ୍ୟାସ ହେଉ ବା ଚୁଲିରେ ପୋଡି ଦିଅନ୍ତୁ । ତାପରେ ଏହାକୁ ଭଲଭାବେ ସଫା କରି ଦିଅନ୍ତୁ । ଜହ୍ନିକୁ ଚକଟି ସେଥିରେ ଅଳ୍ପ ତୋରାଣି, ରସୁଣ ଏବଂ କଞ୍ଚାଲଙ୍କା କିଛି ସୋରିଷ ତେଲ ମିଶାନ୍ତୁ । ଥରେ ଖାଇଲେ ବାରମ୍ବାର ଏହା ଖାଇବାକୁ ମନ ବଳାଏ । ଏହି ଖରାରେ ଜହ୍ନି ପୋଡା ଖାଇବା ପାଇଁ ଜମାରୁ ଭୁଲନ୍ତୁ ନାହିଁ।

ଆମ୍ବୁଲ ପାଣି

ଆମ୍ବୁଲ ପାଣିର ପ୍ରସ୍ତୁତି ବେଶ୍ ସାଧାରଣ, ହେଲେ ଏହାର ସ୍ଵାଦ ଭାରି ନିଆରା । ଗୋଟେ ବା ଦୁଇଟି ଆମ୍ବୁଲକୁ କିଛି ସମୟ ବତୁରେଇ ଦେଇ ସେଥିରେ ଅଳ୍ପ କଟା ପିଆଜ, କଞ୍ଚା ଲଙ୍କା, ଧଣିଆ ପତ୍ର ଏବଂ ଟୋପେ ଦୁଇ ଟୋପା ସୋରିଷ ତେଲ ଦେଇ ଭଲଭାବେ ଚକଟି ଦିଅନ୍ତୁ । ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ଦେଇ ପଖାଳ ସାଙ୍ଗେ ଖାଆନ୍ତୁ ।

ବଡି ଚୁରା

ପଖାଳ ସହିତ ଯେତେ ବ୍ୟଞ୍ଜନ ଖାଇଲେ ମଧ୍ୟ ବଡି ଚୁରା ସାଙ୍ଗେ ଖାଇବାର ମଜା କିଛି ଅଲଗା । ବଡିକୁ ଭଲଭାବେ ଭାଜି ଦିଅନ୍ତୁ, ବଡି ଥଣ୍ଡା ହେଲା ପରେ ଏହାକୁ ହେମଦସ୍ତା, ଶିଳ ବା ଗ୍ରାଇଣ୍ଡର ସାହାଯ୍ୟରେ ଗୋଟିଏ କିମ୍ବା ଦୁଇ କୋଲା ରସୁଣ ଏବଂ କଞ୍ଚା ଲଙ୍କା ଦେଇ ଚୁରି ଦିଅନ୍ତୁ । ତା ପରେ କଟା ପିଆଜ, ସ୍ଵାଦ ଅନୁସାରେ ଲୁଣ ଏବଂ କଟା ଧଣିଆ ପତ୍ର କୁ ଭଲ ଭାବେ ଗୋଳାଇ ପଖାଳ ସାଙ୍ଗେ ନିହାତି ଖାଆନ୍ତୁ ।

Leave A Reply

Your email address will not be published.