Latest Odisha News

BREAKING NEWS

ମାସୁଦ ଆଝାର୍ ରହିଥିବା ନେଇ ପାକିସ୍ତାନ ଶେଷରେ ସ୍ୱୀକାର କଲା

ଇସଲାମାବାଦ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ପାକିସ୍ତାନରେ ରହିଥିବା ସ୍ପଷ୍ଟ କରିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ । ମାସୁଦ ଆଝାର ଏବେ ଅତ୍ୟନ୍ତ ଅସୁସ୍ଥ ରହିଥିବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି ।

ଭାରତ-ପାକିସ୍ତାନ ମଧ୍ୟରେ ଏବେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ ଉପରେ ଚାପ ସୃଷ୍ଟି ହୋଇଛି । ଆତଙ୍କବାଦକୁ ଅନ୍ତର୍ଜାତୀୟସ୍ତରରେ ଭତ୍ସନା କରାଯିବା ସହିତ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ନେଇ ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନକୁ ତାଗିଦ କରିଛନ୍ତି ।

ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରଶୟ ଦେଉଥିବା ଏବଂ ଏନେଇ ଭାରତ ପଡ଼ୋଶୀ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଖୋଲାଖୋଲି ସମର୍ଥନ କରିବା ଫଳରେ ପାକିସ୍ତାନ ଉପରେ ଚାପ ସୃଷ୍ଟି ହେବାରେ ଲାଗିଛି ।

ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ନିର୍ଦ୍ଦେଶନାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟିଥିଲା । ତାହାର ପ୍ରରୋଚନାରେ ଫେବୃଅ।।ରୀ ୧୪ ତାରିଖଏହି ହମଲା ଘଟିବା ଫଳରେ ୪୨ ଜଣ ଭାରତୀୟ ସିଆରପିଏଫ ଜବାନ ସହିଦ ହୋଇଥିଲେ ।

“ଆଝାର ପାକିସ୍ତାନରେ ଅଛି । ମୁଁ ଯାହା ସୂଚନା ପାଇଛି, ସେ ଅସୁସ୍ଥ ରହିଛି । ସେ ଏପରି ଭାବେ ଅସୁସ୍ଥ ଅଛି ଯେ, ସେ ଘର ବାହାରକୁ ବାହାରିପାରୁ ନାହିଁ, ପ୍ରକୃତରେ ସେ ଅତ୍ୟନ୍ତ ଅସୁସ୍ଥ,” ବୋଲି ସିଏନଏନ ଗଣମାଧ୍ୟମକୁ କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେଶି ।

ମାସୁଦ ଆଝାରକୁ କାହିଁକି ଗିରଫ କରାଯାଉନାହିଁ ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେଶି କହିଛନ୍ତି ଯେ, ପାକିସ୍ତାନ ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯଦି ତା’କୁ ନେଇ ନ୍ୟାୟ ସମ୍ମତ ପ୍ରମାଣ ମିଳେ ଯାହାକି ବିଚାରଯୋଗ୍ୟ । ମାସୁଦ ଆଝାର ସମ୍ପର୍କରେ ଏହା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେଶି ।

ଇତିମଧ୍ୟରେ ପୁଲୱାମା ଆକ୍ରମଣରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ଭାରତ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷକୁ ପ୍ରଦାନ କରାଯାଇସାରିଛି । ଏପରିକି ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାର ଭାରତ ବିରୋଧରେ ଦେଇଥିବା ଅନେକ ଉତ୍ତେଜନାପ୍ରବଣ ଭାଷଣର ଭିଡ଼ିଓ କ୍ଲିପ ମଧ୍ୟ ଭାରତ ପାକିସ୍ତାନକୁ ହସ୍ତାନ୍ତର କରିଛି ।

ଏଥିରେ ମାସୁଦ କିପରି ୨୦୦୮-୦୯ ମସିହାରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଜଡ଼ିତ ଏବଂ ୨୦୧୬ ମସିହାରେ ପଠାନକୋଟ ବାୟୁସେନା ଶିବିର ଆକ୍ରମଣରେ ସଂପୃକ୍ତିର ସ୍ପଷ୍ଟ ପ୍ରମାଣର ଦସ୍ତାବିଜ ହସ୍ତାନ୍ତର କରିଛି । ଏକମାସ ପୂର୍ବରୁ ମାସୁଦକୁ ଆନ୍ତର୍ଜାତୀକ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ବିଶ୍ୱ ସମୁଦାୟକୁ ପ୍ରସ୍ତାବ ଦେଇଛି । ତେବେ ଭାରତର ଏହି ପ୍ରସ୍ତାବକୁ ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଗଣରାଜ୍ୟ ଏବଂ ଫ୍ରାନ୍ସ ସମର୍ଥ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ମୌଲାନା ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ କରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେଶି ସେତେବେଳେ କହିଥିଲେ ଯେ, ଆମେ ଯାହାକିଛି ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରୁଛି ତାକୁ ହ୍ରାସ କରିବା ଲାଗି ପାକିସ୍ତାନ ଯେକୌଣସି ପଦକ୍ଷେପ ଗ୍ରହଣ କରିପାରେ ।

Leave A Reply

Your email address will not be published.