Latest Odisha News

BREAKING NEWS

ସଫଳତାର ଶୀର୍ଷରେ ନବୀନ: ୫ମ ପାଳି ସହ ୨୦ ବର୍ଷର ଶାସନ ପୂର୍ତ୍ତି

ଭୁବନେଶ୍ୱର: କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଜଣେ ଜନପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୫ଥର ବିଜୁ ଜନତା ଦଳର ନେତୃତ୍ୱରେ ଶପଥ ଗ୍ରହଣ କରିବା ସହିତ ସଫଳତାର ସହିତ ୨୦ ବର୍ଷ ପୂରଣ କରିଛନ୍ତି ନବୀନ । ଓଡ଼ିଶା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ନବୀନଙ୍କ ନାମ । ଦୀର୍ଘ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଓଡ଼ିଶାକୁ ଶାସନ କରିବାରେ ନବୀନ ହିଁ ପ୍ରଥମ ବ୍ୟକ୍ତି ।

ନବୀନ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଅର୍ଥାତ୍ ତାଙ୍କର ପିତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ହିଁ ପ୍ରଥମଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ନବୀନଙ୍କ ପୂର୍ବରୁ ଅନ୍ୟ କୌଣସି ରାଜନେତା ଲଗାତର ୫ଟି ପାଳି କିମ୍ବା ୨୦ ବର୍ଷ ଧରି ଶାସନ କ୍ଷମତାରେ ରହି ନଥିଲେ । ଏହା କେବଳ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି, ସଚ୍ଚୋଟତା ଏବଂ ଜନପ୍ରିୟତା ଯୋଗୁଁ ସମ୍ଭବ ହୋଇପାରିଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ନବୀନ ଯେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ସେତେବେଳେ ୧୯୯୯ ମହାବାତ୍ୟା ଯୋଗୁଁ ଓଡ଼ିଶାର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ମହାବାତ୍ୟାର ପ୍ରକୋପରେ ଉପକୂଳବର୍ତ୍ତୀ ଓଡ଼ିଶା ଏକ ପ୍ରକାର ଧ୍ୱସସ୍ତୁପରେ ପରିଣତ ହୋଇପଡ଼ିଥିଲା । ନବୀନ ଶାସନ କ୍ଷମତାକୁ ଆସିବା ପରେ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରାଥମିକତା ଦେଇଥିଲେ ।

ବିଜୁ ଜନତା ଦଳ (ବିଜେଡ଼ି)କୁ ସଫଳ ନେତୃତ୍ୱ ପ୍ରଦାନ କରି ୨୦୦୦ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସାବ୍ୟସ୍ତ ହୋଇ ପାରିଛନ୍ତି ନବୀନ । ତାଙ୍କ ଶାସନକାଳରେ ଅନେକ ଜନହିତକର ଯୋଜନା ଗୁଡ଼ିକ ଦ୍ୱାରା ସାଧାରଣ ଜନତା ଉପକୃତ ହୋଇପାରିଛନ୍ତି ବୋଲି ଶାସକ ଦଳ ଦାବି କରେ । ଏହି ଜନହିତକର ଯୋଜନାଗୁଡ଼ିକର ସଫଳ ରୂପାୟନ ପ୍ରତି ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟ ଆକୃଷ୍ଟ ହୋଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟ ଗୁଡ଼ିକ ନବୀନ ସରକାରଙ୍କ ସଫଳ ଯୋଜନା ଗୁଡ଼ିକର ରୂପରେଖ ପରଖି ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଥିବାର ନଜିର ରହିଛି ।

ନବୀନ ସରକାରଙ୍କ ସଫଳ ଯୋଜନାଗୁଡ଼ିକ ମଧ୍ୟରେ ଅନେକ ଜନହିତକର ଯୋଜନା ରାଜ୍ୟରେ ଲୋକପ୍ରିୟତା ଅର୍ଜନ କରିପାରିଛି । ସେଗୁଡ଼ିକ ମଧ୍ୟରେ ରହିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ମମତା ସ୍କିମ ଏବଂ ମିଶନ ଶକ୍ତି ପ୍ରଭୃତି ଯୋଜନା ଗୁଡ଼ିକ ଜନପ୍ରିୟତା ହାସଲ କରିପାରିଛି । ଏତଦ ବ୍ୟତୀତ ମହିଳା ମାନଙ୍କ ଆତ୍ମ ନିର୍ଭରଶୀଳତା ଲାଗି ମିଶନ ଶକ୍ତି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି ) ହେବା ସହିତ ଏହା ସଫଳତାର ସହିତ କାର୍ଯ୍ୟକାରୀ ହେବାରେ ଲାଗିଛି ।

୧୯୯୯ ମସିହାରେ ଘଟିତ ଭୟଙ୍କର ମହାବାତ୍ୟା ହେଉକି ହୁଡ଼ହୁଡ଼, ଫାଇଲିନ ଏବଂ ଫନୀ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ସମୟରେ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରି ହଜାର ହଜାର ଜନ ଜୀବନର ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ଜାତିସଂଘଠାରୁ ପ୍ରଂଶସିତ ହୋଇଛନ୍ତି ।

ନବୀନଙ୍କ ସରକାର ଜାତୀୟ କୃଷି କର୍ମଣ ପୁରସ୍କାର ହେଉ କିମ୍ବା ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଅନେକ ଥର ଜାତୀୟସ୍ତରରେ ପୁରସ୍କୃତ ହୋଇପାରିଛି ।

ଓଡ଼ିଶାକୁ ବିଶ୍ୱ କ୍ରୀଡ଼ାମାନଚିତ୍ରରେ ସ୍ଥାନଦେବାରେ ନବୀନଙ୍କ ବ୍ୟକ୍ତିଗତ ଉଦ୍ୟମ ଏବଂ ତାଙ୍କ ସରକାରକୁ ଭାରତର ଅନେକ ବ୍ୟକ୍ତିତ୍ୱ ପ୍ରଶଂସା କରିବା ସହିତ ବିଶ୍ୱସ୍ତରରେ ଓଡ଼ିଶା ଭାରତକୁ ଗୌରବାନ୍ୱିତ କରିପାରିଛି । ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଭାରତୀୟ କ୍ରୀଡ଼ାର ପେଣ୍ଠସ୍ଥଳୀ ଭାବେ ପରିଣତ ହୋଇପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ସଫଳତାର ସହିତ ଆୟୋଜନ କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛନ୍ତି ନବୀନ ଓ ତାଙ୍କ ସରକାର । କେବଳ ସେତିକି ନୁହେଁ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱକପ ଆୟୋଜନ ପୂର୍ବରୁ ଅନ୍ୟ କୌଣସି ଦେଶରେ ଏତେ ସଫଳ ହୋଇପାରିନଥିଲା । ତେଣୁ ଆଗାମୀ ବିଶ୍ୱକପ ହକି ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ଲାଗି ଆଜି ସମଗ୍ର ବିଶ୍ୱ କ୍ରୀଡ଼ାଜଗତରେ ଭାରତ ପ୍ରଶଂସିତ ହୋଇପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ଏଫଆଏଚ ହକି ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ ହେବାପରେ ଏବେ ଭାରତୀୟ ହକି ଜଗତରେ ଓଡ଼ିଶା ନେତୃତ୍ୱ ନେବାରେ ଲାଗିଛି ।

Leave A Reply

Your email address will not be published.