Latest Odisha News

BREAKING NEWS

ପାଣ୍ଡିଆନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟାଇ ରାଜ୍ୟ ସରକାର ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟ୍ରାନ୍ସଫୋରମେସନ ଏଣ୍ଡ ଇନିସିଏଟିଭସ) ଭାବେ ନିଯୁକ୍ତ କରିଛନ୍ତି ।

ଶ୍ରୀ ପାଣ୍ଡିଆନଙ୍କ ଏହି ନୂଆ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି ।

ରାଜ୍ୟ ସଚିବାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିବା ରାଜେଶ ବର୍ମା କେନ୍ଦ୍ରୀୟ ଡ଼େପୁଟେସନରେ ଯାଉଥିବା ବେଳେ ପ୍ରଶାସନିକସ୍ତରରେ ଏହି ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶ୍ରୀ ବର୍ମା କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ ।

ଶ୍ରୀ ବର୍ମା କେନ୍ଦ୍ରୀୟ ଡ଼େପୁଟେସନରେ ଯିବା ପରେ ଏହି ଖାଲି ପଡ଼ିଥିବା ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ପ୍ରଶାସନିକସ୍ତରରେ ଚର୍ଚ୍ଚା ଜୋର୍ ଧରିଥିଲା, ଯେ ଏହି ପଦରେ କିଏ ରହିବେ । ମାତ୍ର ଶ୍ରୀ ପାଣ୍ଡିଆନଙ୍କୁ ଏହି ଅତିରିକ୍ତ ନୂଆ ନିଯୁକ୍ତି ମିଳିବା ପରେ ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି । ତେବେ ପାଣ୍ଡିଆନଙ୍କୁ ମିଳିଥିବା ଏହି ଅତିରିକ୍ତ ପଦବୀ ସ୍ଥାୟୀ ରହିବ ନା ନବୀନ ଅନ୍ୟ କେହି ଆଇଏଏସ ଅଧିକାରୀଙ୍କୁ ଏହି ପଦବୀ ଲାଗି ସୁଯୋଗ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନବୀନଙ୍କ ଏହି ୧୯ ବର୍ଷର ଦୀର୍ଘ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହା ପ୍ରଥମଥର ଲାଗି କେହି ଏକମାତ୍ର ପ୍ରଶାସନିକ ଅଧିକାରୀ ଯିଏକି ମୁଖ୍ୟମନ୍ତ୍ରୀଙ୍କ ଉଭୟ ବ୍ୟକ୍ତିଗତ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ପରି ୨ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

ନବୀନ ସରକାର ୫ଟି ଟି (ଟିମ୍ ୱର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫୋରମେସନ ଏବଂ ଟାଇମ୍ )ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ । ନବୀନଙ୍କ ଲଗାତର ପଞ୍ଚମଥର ପାଳିରେ ଏହି ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ ଏହି ନୂଆ ଦାୟିତ୍ୱ ସହିତ କାର୍ଯ୍ୟ ଆରମ୍ଭ କରିବେ ।

Leave A Reply

Your email address will not be published.