ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳୁ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ପବର: ଗତ ତିନି ଦିନ ଧରି ପରୀ ମୃତ୍ୟୁ ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଧାନସଭାରେ ଏ ନେଇ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, ‘ପରୀ ମୃତ୍ୟୁ ଘଟଣା ମତେ ମର୍ମାହତ କରିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାଯିତ୍ବ ନେଇଥିବା ବେଳେ ମୋର ପୂରା ବିଶ୍ୱାସ ରହିଛି ଯେ, ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବେ । ‘

ଏ ଘଟଣାର ରାଜନୀତିକରଣ ନ ହେଉ ବୋଲି ମଧୟ ମନ୍ତ୍ରୀ ଅନୁରୋଧ କରିଛନ୍ତି । ମନ୍ତ୍ରୀ ବିବୃତି ରଖିବାବେଳେ ବିରୋଧୀ ହୋହଲ୍ଲା ଜାରି ରଖିଥିଲେ। ଫଳରେ ଗୃହକୁ ଆସନ୍ତାକାଲି ପୂର୍ବାହ ୧୦ ଟା ୩୦ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ସୂଚନାଯୋଗ୍ୟ ଯେ, ନୟାଗଡ ଯଦୁପୁରର ଅଶୋକ ସାହୁ ତାଙ୍କ ଝିଅ ପରୀ ନିଖୋଜ ଥିବା ନେଇ ଜୁଲାଇ ୧୪ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ସାହାଯ୍ୟରେ ଝିଅକୁ ଖୋଜା ଯାଇଥିଲା। ଏହାକ ସାତ ଦିନ ପରେ ଅର୍ଥାତ ଜୁଲାଇ ୨୩ରେ ଅଶୋକଙ୍କ ଘର ପଛପଟୁ ଏକ ମୃତଦେହ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇଥିଲା । ଏହା ପରେ ମୃତଦେହକୁ କଟକ ଏସସିବି ପଠାଯାଇ ଡିଏନଏ ଟେଷ୍ଟ କରିବା ପରେ ତାହା ପରୀର ବୋଲି ଜଣାପଡିଥିଲା । ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଧାନସଭା ଆଗରେ ପରୀର ବାପାମାଆ ଆତ୍ମାହୂତି ପାଇଁ ଉଦ୍ୟମ କରିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି ପରୀକୁ ନ୍ୟାୟ ଦେବାକୁ ଦାବି ଉଠିଛି ।