Latest Odisha News

BREAKING NEWS

ସୋମବାର ଲୋକସଭାର ୪ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଆସିବ ସୀମା ପୁନଃନିର୍ଦ୍ଧାରଣ ବିଲ୍‌

ନୂଆଦିଲ୍ଲୀ: କାଲିଠୁ ଲୋକସଭାର ୪ଦିନିଆ ସ୍ୱତନ୍ତ୍ର ଅଧିବେଶନ । ନଭେମ୍ବର ୩୦ରୁ ଡିସେମ୍ବର ୩ ତାରିଖ ଯାଏ ବସିବ ଲୋକସଭାର ଏହି ସ୍ୱତନ୍ତ୍ର ଅଧିବେଶନ । ଯେଉଁଥିରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଗତ ହେବ । ଏଥିରେ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ଦୁ ବିରୋଧ କରିବାକୁ ତୟାର । ଇଣ୍ଡି ମେଂଟ ବିରୋଧ ପାଇଁ ଅଂଟା ଭିଡିଥିବା ବେଳେ କଂଗ୍ରେସ ଓ ଏନସିପି ପକ୍ଷରୁ ହ୍ୱିପ୍ ଜାରି ହୋଇଛି । ଏହା ପୂର୍ବରୁ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସମ୍ବିଧାନର ଧାରା ୧୧୭ ଅନୁସାରେ ସୀମା ନିର୍ଦ୍ଧାରଣ ଦ୍ୱିତୀୟ ବିଲ୍ ୨୦୨୬ ଉପରେ ବିଚାର କରିବାକୁ ଲୋକସଭାକୁ ସୁପାରିସ କରିଛନ୍ତି । ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଦ୍ୱାରା ବିଲ୍ ଅନୁମୋଦିତ ହୋଇଛି । ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଥିବା ବିଲରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଲୋକସଭା ଓ ବିଧାନସଭା ଆସନରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଅନ୍ୟପଟେ ସମ୍ବିଧାନର ୧୩୨ତମ ବିଲ୍ ଅନୁସାରେ ୨୦୫୧ ଯାଏ ଲୋକସଭାରେ ପ୍ରତ୍ୟେକ ରାଜ୍ୟର ଆସନ ଅଂଶ ସମାନ ରହିବ । ସୋମବାରଠାରୁ ୪ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଥିବା ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଭୟ ବିଲ୍ ଉପସ୍ଥାପନ କରିବେ । ସୀମା ନିର୍ଦ୍ଧାରଣ ଉପରେ ଲୋକସଭାର ମୋଟ୍ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇବ । ଯେଉଁଥିରେ ରାଜ୍ୟ ଗୁଡିକରୁ ୮୧୫ ଏବଂ କେନ୍ଦ୍ରଶାସିତ ଅଂଚଳରୁ ୩୫ଟି ଆସନ ରହିବ ।

ସୂଚନା ଅନୁସାରେ ସମ୍ବିଧାନର ଧାରା ୧୧୭ ଅର୍ଥ ବିଲ୍ ସମ୍ବନ୍ଧୀୟ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଜଡିତ । ଧାରା ୧୧୭ (୩) ଏପରି ବିଲ୍ ସହ ସମ୍ପୃକ୍ତ, ଯାହା ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲେ ଭାରତର ସମନ୍ୱିତ ପାଣ୍ଠିରୁ ଖର୍ଚ୍ଚ ହେବାର ସମ୍ଭାବନା ଥାଏ । ରାଷ୍ଟ୍ରପତିଙ୍କ ସୁପାରିସ ବିନା ଏଭଳି ବିଲ୍ ସଂସଦର କୌଣସି ଗୃହରେ ପାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି । ୧୯୭୬ ମସିହାରୁ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ଅଂଶ ୧୯୭୧ ଜନଗଣନା ଉପରେ ଆଧାରିତ ହୋଇଆସିଛି । ଏବଂ ନୂଆ ବିଲ୍ ଅଧୀନରେ ରାଜ୍ୟର ଲୋକସଭା ଆସନ ଅଂଶ ୫୦ ପ୍ରତିଶତ ବୃଦ୍ଧି ପାଇବା ଦ୍ୱାରା ୧୯୭୧ର ମୂଳ ଆଧାର ଅପରିବର୍ତ୍ତିତ ରହିବ । ସଂଶୋଧନ କାର୍ଯ୍ୟକାରୀ ହେବା ସମୟରେ ଉପଲବ୍ଧ ସର୍ବଶେଷ ଜନଗଣନା ତଥ୍ୟ ବ୍ୟବହାର କରି ପ୍ରତ୍ୟେକ ରାଜ୍ୟ ପାଇଁ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରାଯିବ । ଏବେକାର ନିର୍ବାଚନମଣ୍ଡଳୀର ସୀମା ୨୦୦୧ ଜନଗଣନା ଉପରେ ଆଧାରିତ ରହିଛି । ୨୦୨୭ ଜନଗଣନା ଏବେବି ଚାଲିଥିବାରୁ ସଂଶୋଧନ ଲାଗୁ ହୋଇ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେଲେ ୨୦୧୧ ଜନଗଣନା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ପୁଣି ନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.