Latest Odisha News

ଆରମ୍ଭ ହେବ ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ପାର୍ଶ୍ୱ ପରିବର୍ତ୍ତନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା ପରିଧାନ ଓ ଚନ୍ଦନ ଲାଗି କରାଯିବ । ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବେ । ସେଠାରେ ସ୍ୱତନ୍ତ୍ର ନୀତି ପରିଚର୍ଯ୍ୟା ପରେ ବେଢା ପରିକ୍ରମଣ କରିବେ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନଅରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।

ଶ୍ରୀଜଗନ୍ନାଥ ମନ୍ଦିର ରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ । ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି ।

ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି। ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଦଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି। ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ। ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଏହାପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।

 

 

Leave A Reply

Your email address will not be published.