Latest Odisha News

BREAKING NEWS

ଅର୍ପିତାଙ୍କ ଦେଢ କୋଟିର ଏଲଆଇସି ପ୍ରିମିୟମ ଦେଉଥିଲେ ପାର୍ଥ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଆଉ ଏହି ଚାର୍ଜଶିଟରେ ତଦନ୍ତକାରୀ ସଂସ୍ଥା ଯେଉଁ ତଥ୍ୟ ଉପସ୍ଥାପନ କରିଛି ଯଦି ତାହା ସତ ବୋଲି କୋର୍ଟରେ ପ୍ରମାଣିତ ହେବ ତାହେଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସମ୍ପର୍କ କେତେ ନିବିଡ ତାହା ସ୍ପଷ୍ଚ ହୋଇଯିବ।

ପାର୍ଥ ଚାଟାର୍ଜୀ ଗିରଫ ହେବାର ୫୮ ଦିନ ପରେ ଇଡି ଚାର୍ଜସିଟ ଉପସ୍ଥାପନ କରିଛି। ସୋମବାର ଏହି ଚାର୍ଜସିଟ୍ ଦାଖଲ ହୋଇଛି କୋର୍ଟରେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଇଡି ଚାର୍ଜସିଟରେ ଦାବି କରିଛି ଯେ ଅର୍ପିତା ମୁଖାର୍ଜୀଙ୍କ ୩୧ଟି ଏଲଆଇସି ବା ଜୀବନ ବୀମା ପଲିସି ରହିଛି। ଏହି ୩୧ଟି ଜୀବନ ବୀମାର ପ୍ରିମିୟମ ହେଉଛି ୧.୫ କୋଟି ଟଙ୍କା। ଯାହା ପାର୍ଥ ଚାଟାର୍ଜୀ ଦେଉଥିଲେ। ୩୧ ଟି ବୀମା ପ୍ରିମିୟମ ମଧ୍ୟରୁ ଅଧିକାଂଶ ହେଉଛି ୫୦ ହଜାର ଟଙ୍କା ଏବଂ କିଛି ବୀମା ପ୍ରିମିୟମର ଦାମ ରହିଛି ୪୫ ହଜାର ଟଙ୍କା। ପାର୍ଥ ଚାଟାର୍ଜୀଙ୍କ ମୋବାଇଲ୍ ଫୋନର ଫୋରେନସିକ୍ ତଦନ୍ତର ରିପୋର୍ଟ ଆଧାରରେ ଇଡି ଏହି ଦାବି କରିଥିବା ସୂଚନା ରହିଛି।

ଇଡି ଦାବି କରିଛି ଯେ ବ୍ୟାଙ୍କରୁ ଇଡି ଗ୍ରହଣ କରିଥିବା ଡକ୍ୟୁମେଣ୍ଟ ସହିତ ବୀମା ପ୍ରିମିୟମ ସୂଚନା ମଧ୍ୟ ମେଳ ଖାଉଛି। ଏହାପୂର୍ବରୁ ଇଡି କୋର୍ଟଙ୍କୁ କହିଥିଲେ ଯେ ପାର୍ଥ ଚାଟାର୍ଜୀ ଏହି ୩୧ ଟି ପ୍ରିମିୟମ ପାଇଁ ବ୍ୟାଙ୍କରେ ଟଙ୍କା ଜମା କରୁଥିଲେ। ଏଥିପାଇଁ ବ୍ୟାଙ୍କରେ ମୋଟ ୧.୫ କୋଟି ଟଙ୍କା ଜମା କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି।

ପଶ୍ଚିମବଙ୍ଗ ମିଡିଆର ରିପୋର୍ଟ ଅନୁଯାୟୀ ପାର୍ଥ ଚାଟାର୍ଜୀଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା ଇଡି। ଏହା ପରେ ଫରେନସିକ ଲ୍ୟାବକୁ ମୋବାଇଲଟିକୁ ପଠାଯାଇଥିଲା । ଏହାପରେ ମୋବାଇଲରୁ ଡିଲିଟ୍ ହୋଇଥିବା ତଥ୍ୟ ସଂଗ୍ରହ କରାଯାଇଥିଲା। ଆଉ ଡିଲିଟ୍ ହୋଇଥିବା ମେସେଜକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଅର୍ପିତାଙ୍କ ପାଇଁ ପାର୍ଥ ଚାଟାର୍ଜୀ ପଇସା ଦେଉଥିଲେ। ଆଉ ଏହି ଏଲଆଇସି ପଲିସି ୨୦୧୫ରୁ ଆରମ୍ଭ ହୋଇଛି।

ସୋମବାର ଇଡି ଦାଖଲ କରିଥିବା ଚାର୍ଜସିଟରେ କୁହାଯାଇଛି ଯେ ମୋଟ୍ ୧୦୩ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଇଡି ସୂତ୍ର ଅନୁଯାୟୀ, ୪୦.୩୩ କୋଟି ଟଙ୍କା ମୂଲ୍ୟର ୪୦ଟି ଅସ୍ଥାବର ସମ୍ପତ୍ତି ସଂଲଗ୍ନ କରାଯାଇଛି, ମୋଟ ୪୮.୨୨ କୋଟି ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ବାକି ୩୫ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତି ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ନାମରେ ରହିଛି। ଏହା ବ୍ୟତୀତ ଅନେକ ସମ୍ପତ୍ତି ସେଲ କମ୍ପାନୀ ନାମରେ ମଧ୍ୟ ଅଛି ଢ

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୭ ଏବଂ ୨୮ରେ ଅର୍ପିତା ମୁଖାର୍ଜୀଙ୍କ ଅନେକ ଫ୍ଲାଟରେ ଇଡି ରେଡ୍ କରିବା ପରେ ମୋଟ ୪୯.୮୦ କୋଟି ଟଙ୍କା ଏବଂ ୫.୦୮ କୋଟି ଟଙ୍କା ମୂଲ୍ୟର ସୁନା ଓ ଅଳଙ୍କାର ଜବତ କରିଛି। ଏହି ମାମଲାରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.