Latest Odisha News

BREAKING NEWS

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି, କୋର୍ଟରେ ଦାଖଲ କଲେ ସତ୍ୟପାଠ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସର୍ତ୍ତମୂଳକ ଭାବେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ । ଏଥିସହ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛି । ଅବମାନନା ନୋଟିସର ଜବାବ ନ ଦେଇଥିବାରୁ ଉଭୟ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଏପ୍ରିଲ ୨ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ମାନ୍ୟବର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି ।

ସୂଚନା ଅନୁସାରେ, ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକ୍ରିଷ୍ଣାଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ଉତ୍ତର କମ୍ପାନି ତରଫରୁ ଦିଆଯାଇନଥିଲା । ଯେଉଁଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ଗତ ମାର୍ଚ୍ଚ ୧୯ ତାରିଖରେ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ଏପ୍ରିଲ ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କମ୍ପାନୀ ଓ ବାଲକ୍ରିଷ୍ଣା ଅଦାଲତଙ୍କ ଦ୍ବାରା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍‌ର ଜବାବ ଦାଖଲ କରିବାରେ ବିଫଳ ହେବାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଥିଲେ। ଖଣ୍ଡପୀଠ ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ କାହିଁକି ଆରମ୍ଭ ନ କରାଯିବ ସେନେଇ ରାମଦେବଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

 

Leave A Reply

Your email address will not be published.