Latest Odisha News

BREAKING NEWS

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳୁଛନ୍ତି ଶ୍ରଦ୍ଧାଳୁ । ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା ଯାଅ,ଗୟା ଯାଅ, ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ। ଏମିତି ଡାକରେ ପ୍ରକମ୍ପିତ ହେଲା ବଡଦାଣ୍ଡ  ।

ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି  । ଅପରାହ୍ନ ପରେ ପୟାଶ୍ରାଦ୍ଧ ଏବଂ ଦୀପଦାନ ରହିଛି । ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ଦୀପାବଳି । କାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସାଗର ବିଜେ ନୀତି । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅନ୍ୟପଟେ ଚଳିତବର୍ଷ ବାଣଫୁଟାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି  । ଯେପରିକି ଖୋଲାସ୍ଥାନରେ ଲୋକମାନେ ସବୁଜ ବାଣ ଫୁଟାଇବେ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ରାତି ୧୦ଟା ପରେ କେହି ବାଣ ଫୁଟାଇପାରିବେ ନାହିଁ  । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।  ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସରରେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଅମାନିଆଙ୍କ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନର ସ୍କ୍ୱାଡ୍‌ । କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବାଣଫୁଟା ନେଇ କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.