Latest Odisha News

BREAKING NEWS

ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା, ଖୁବଶୀଘ୍ର ଘୋଷଣା ହେବ ନୂଆ ଟିମ୍

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ  ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ ନେତାଙ୍କୁ କେଉଁ କେଉଁ ପଦ ଦିଆଯିବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି।

ପିସିସି ସଭାପତି ଚୟନ ପୂର୍ବରୁ ଦିଲ୍ଲୀ ଯାଇଥିଲେ ସମସ୍ତ କଂଗ୍ରେସ ବିଧାୟକ ଏବଂ ଅନ୍ୟ ତୁଙ୍ଗ ନେତା। ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି କି ନାହିଁ ସ୍ପଷ୍ଟ ହୋଇନି କିନ୍ତୁ ଦଳ ନବକଳେବର କରିବ ବୋଲି କୁହାଯାଉଛି।

ଅନ୍ୟପଟେ ଶରତ ପଟ୍ଟନାୟକ ନିକଟରେ କରିଥିବା ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ବାହିନୀପତି, ରମେଶ ଜେନା ଏବଂ ମହମ୍ମଦ ମୋକିମ ଯୋଗ ଦେଇନଥିଲେ। ଯଦିଓ ଅସୁସ୍ଥତା ପାଇଁ ବୈଠକରେ ଯୋଗଦେଇନଥିଲେ ବୋଲି ତାରା କହିଥିଲେ କିନ୍ତୁ ସେ ଶରତ ପିସିସି ସଭାପତି ହେବାକୁ ନେଇ ଅସନ୍ତୋଷ ଥିବା  ସୂଚନା ରହିଛି। ସେହିପରି ରମେଶ ଜେନା ରାଜ୍ୟ ବାହାରେ ଥିଲେ ଏବଂ ଅନ୍ୟତମ ବିଧାୟକ ମୋକିମ ପିସିସି ରେସରେ ଥିଲେ ଆଉ ପଦ ନମିଳିବା ପରେ ଅସନ୍ତୁଷ୍ଟ ଥିବା ସୂଚନା ରହିଛି।

ଏବେ ଶରତ ପଟ୍ଟନାୟକ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ଥିବା ସମସ୍ତ କଥାକୁ ଶୀର୍ଷ ନେତୃତ୍ବଙ୍କ ପାଖରେ ରଖିବେ। ଆଉ ନିଜର ଏକ ସଶକ୍ତ ଟିମ୍ ଗଠନ କରି 2024 ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ରହିଛି। ତେବେ ଦିଲ୍ଲୀ ଯିବା ପୂର୍ବରୁ ତାଙ୍କ ନୂଆ ଟିମରେ ଯୁବକଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଶରତ ଇସାରା ଦେଇଛନ୍ତି।

Leave A Reply

Your email address will not be published.