Latest Odisha News

ଦୁଇଟି ଚରିତ୍ର ଓ ଜଣେ ଚର୍ଚ୍ଚିତ ସେନାନାୟକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୪

ଦୁଇଟି ଚରିତ୍ରରୁ ଜଣକର ନାଆଁ ନାହିଁ ଅର୍ଥାତ୍ ସେ ଅନାମ ଆଉ ଆର ଜଣକର ନାଆଁ ହେଉଛି ଫର୍ଚୁନ୍।

ଏମିତିରେ ଦେଖିଲେ ଫର୍ଚୁନ ହେଉଛି ଗୋଟିଏ  ଚରିତ୍ର। ଚରିତ୍ର ହିସାବରେ ସେ ସାଧାରଣ କି ଅସାଧାରଣ ଚରିତ୍ର ତାହା ଉପରେ ପ୍ରଥମରୁ କୌଣସି ଟିପ୍ପଣୀ ଦେବା ଇତିହାସ କି କାହାଣୀର ସ୍ଥାପତ୍ୟ ଦୃଷ୍ଟିରୁ ଠିକ୍ ହେବନାହିଁ ।

ଅତି ସହଜରେ ଘଟଣାକୁ ଆଢୁଆଳ କରିବା ପାଇଁ ଅର୍ଥାତ୍ ଯାହା କହିବା କଥା ତାହାକୁ ସିଧା ସଳଖ ନକହିବାରେ ଯଦି କାହାର ମତି ରହିଥାଏ ତାହାହେଲେ ଏମିତି  କୁହାଯାଇପାରିବ ଯେ, ଫର୍ଚୁନ ବୋଲି ଏହି ଭଳି ଗୋଟିଏ ଚରିତ୍ରକୁ ସରଳ ଭାଷାରେ ଅନୁବାଦ କରି କହିଲେ ତାହା ହେବ ଭାଗ୍ୟ ।

ନାମବାଚକ ଫର୍ଚୁନ ଆଉ ଭାଗ୍ୟବାଚକ ଫର୍ଚୁନ  ଉଭୟ ଅନେକ ସମୟରେ ଏକାଠି ରହିବା ଭଳି ଆମକୁ ପ୍ରତୀୟମାନ ହେଉଥାଏ,ମାତ୍ର ଏଇଭଳି କଥା ଆମର ପସନ୍ଦର କଥା ନୁହଁ ।ଆମେ ଚାହୁଁ ଫର୍ଚୁନ ତାହାର ଯିବାବାଟରେ ସବୁବେଳେ ଯେମିତି ତାହାର ଭବିତବ୍ୟ ଠାରୁ ମୁକ୍ତ ହୋଇ ରହିଥାଉ । ତାହାର ପରିଣତିଟି ଆମକୁ କୌଣସି ସମୟରେ ଯେମିତି ଭାଗ୍ୟ ଅଧ୍ୟୁଷିତ ଭଳି ଦେଖା ନ ଯାଉ। ଯେମିତି ସେ ମାନେ ଫର୍ଚୁନ ଏକ ଚରିତ୍ର ହିସାବରେ  ଏକ କାଳ ବିବର୍ତ୍ତନର ଉପଜ ବୋଲି ଆମକୁ ଦେଖାଯାଉ । ଆମେ ଯେତେବେଳେ ଆମର କାମନାକୁ ଚରିତାର୍ଥ କରିବା ପାଇଁ ଗୋଟିଏ ଚରିତ୍ରକୁ କାହାଣୀ ନିର୍ମାଣ ନିମନ୍ତେ ନିର୍ବାଚନ କରୁ ତାହାପରେ ଆମ ଆଗରେ ଯେଉଁ ସମସ୍ୟାଟି ଆସେ ତାହା ହେଉଛି ଆମେ ଏଇ ଉପସ୍ଥିତ  ଚରିତ୍ରର ଇତିହାସ ଲେଖିବୁ ନା ତାହାର ଗୋଟିଏ  ବିବରଣୀ ଲେଖିବୁ । ଇତିହାସ ଲେଖିବା ତୁଳନାରେ ବିବରଣୀ ଲେଖିବା ସହଜ । ପାରିପାର୍ଶ୍ୱିକକୁ ଦେଖି ମୋଟାମୋଟି ଭାବରେ ଚରିତ୍ରର ଗୋଟିଏ  ବିବରଣୀ ପ୍ରସ୍ତୁତ କରାଯାଇପାରିବ । ମାତ୍ର ସେହି ଚରିତ୍ରର ମାର୍ବଲ ଖଣ୍ଡରୁ କାଳକୁ ଟିକିଏ ଟିକିଏ ଛେଲି ସେଥିରୁ  ଗୋଟିଏ  ପ୍ରତିମା ଗଢିବା ଭଳି ଇତିହାସ ଲେଖନ ପାଇଁ ଆମକୁ ଧୈର୍ଯ୍ୟ ଏବଂ ଏକାଗ୍ରତା ର ସହ କାମ କରିବାକୁ ପଡିବ ।

ପ୍ରଥମରୁ ଏହି ଚରିତ୍ର ସମ୍ପର୍କରେ ମାତ୍ର ଗୋଟିଏ ତଥ୍ୟ ସାର୍ବଜନୀନ କରିବାକୁ ଚାହିଁବି,ଆଉ ଯାହା ହେଉ ପଛକେ ଫର୍ଚୁନ କଥା କହିପାରେ ନାହିଁ।

କାହାଣୀ ଦୃଷ୍ଟିରୁ ଦେଖିଲେ ସବୁ ଚରିତ୍ର ତ ଐତିହାସିକ, ଖାଲି ସ୍ଥାପତ୍ୟରେ ଆଉ ଉପସ୍ଥାପନାରେ ଯଦି କାହାର କଥନ-ଦକ୍ଷତା ରହିଥାଏ ତେବେ ସେ ଯେକୌଣସି ମାଟି ଗୋଡିକୁ ବି ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡ,ଏକ ଘଟଣାର ଅଲୌକିକ ବିସ୍ତାର ଦେଇପାରିବ ।

ଚରିତ୍ର ହିସାବରେ ଫର୍ଚୁନ କୁ କିନ୍ତୁ ଏକ ଇତିହାସ ପ୍ରଦାନ କରିବା ପାଇଁ କାହାକୁ ସେତେ କଷ୍ଟ କରିବାକୁ ପଡିବ ନାହିଁ । ସେ ବସ୍ତୁତଃ ହେଉଛି ଏକ ଐତିହାସିକ ଚରିତ୍ର । ଫର୍ଚୁନ ହେଉଛି ଜାତୀୟତା ଦୃଷ୍ଟିରୁ ଜଣେ ଫରାସୀ ।ତାହାର ସମୟ କାଳ ବି ଯଥେଷ୍ଟ ପୁରୁଣା । ୧୭୮୯ ମସିହାର ପ୍ରଖ୍ୟାତ ଫରାସୀ ବିପ୍ଳବର ସମୟରେ ତାହାର ସ୍ୱଚ୍ଛନ୍ଦ ବିଚରଣ । ସ୍ୱତନ୍ତ୍ରତା,ସମତା ଏବଂ ଭ୍ରାତୃତ୍ୱକୁ ସମଗ୍ର ପୃଥିବୀକୁ ଆନ୍ଦୋଳିତ କରିଥିବା ସେହି ବିପ୍ଳବ ପ୍ରତି ସେ ଉଦାସୀନ ଥିଲା । ସେ ନିଜର ଗତିବିଧି ଚାଲିଚଳଣ ରେ ପୁରା ପୁରି ଗୋଟିଏ ସଂଭ୍ରାନ୍ତ ଥିଲା ଯେଉଁ ଭଳି ସଂଭ୍ରାନ୍ତ ମାନଙ୍କ କବଳରୁ ଫ୍ରାନ୍ସକୁ ଉଦ୍ଧାର କରିବା ପାଇଁ ସେଠିକାର ସାଧାରଣ ଜନତା ବିପ୍ଳବ କରିଥିଲେ । ପୃଥିବୀରେ ଘଟିଥିବା ସବୁ ବିପ୍ଳବର ସମସ୍ୟା ଯାହା ଫରାସୀ ବିପ୍ଳବର ସମସ୍ୟା ଅବିକଳ ସେଇ ଭଳି । ସଂକ୍ଷେପରେ କହିଲେ ସାଧାରଣତଃ ଶୋଷକ କବଳରୁ ନିଜର ମୁକ୍ତି ପାଇଁ ଶୋଷିତ ନିଜର ପ୍ରତିବାଦକୁ ତୀବ୍ର କରେ ମାତ୍ର ବିପ୍ଳବ ର ପରବର୍ତ୍ତି ପର୍ଯ୍ୟାୟରେ ସେହି ବିପ୍ଳବୀ ଶୋଷିତ ପାଖରେ କୌଣସି ବିକଳ୍ପ ଚିନ୍ତା ନଥିବାରୁ ସେ ଯାହା ବିରୁଦ୍ଧରେ ସଂଘର୍ଷ କରୁଥିଲା ଅବିକଳ ସେହି ଭଳି ଗୋଟିଏ ଶାସକ ପାଲଟି ଯାଏ । ସବୁ ବିପ୍ଳବ ଅସଫଳ ହେବା ପଛରେ ଏହାହିଁ ମୌଳିକ କଥା ।

ସେ ଯାହା ହେଉ ଗୋଟିଏ  ଚରିତ୍ର ଆକାରରେ ଫର୍ଚୁନ ଫରାସୀ ବିପ୍ଳବର କାହାଣୀରେ ବେଶ୍ ଭଲଭାବରେ ନିଜର ଉପସ୍ଥିତିକୁ ଇତିହାସ ଭଳି  ସାବ୍ୟସ୍ତ କରିଥିଲା । ଯେଉଁମାନେ ଫର୍ଚୁନ କୁ ଦେଖିପାରୁଥିଲେ ବା ଯେଉଁମାନଙ୍କ ପକ୍ଷରେ ତାହାକୁ ଦେଖିବା ଏକପ୍ରକାର ନିର୍ଦ୍ଧାରିତ ଥିଲା ସେମାନଙ୍କ ପାଇଁ ସେ ଦୃଶ୍ୟବାନ ହେବା ବା ନହେବା ର ପ୍ରଶ୍ନ ସେମିତି ଗୁରୁତ୍ୱପୂର୍ଣ୍ଣ ନହୋଇପାରେ ମାତ୍ର ବାସ୍ତିଲ୍ ଦୁର୍ଗରେ ବନ୍ଦୀ ଆକାରରେ ଥିବା ସେହି ସଂଭ୍ରାନ୍ତ ଦମ୍ପତ୍ତିଙ୍କୁ ଜଣା ଥିଲା ଯେ, ସପ୍ତାହାନ୍ତରେ ଫର୍ଚୁନ ନିଶ୍ଚୟ ସେମାନଙ୍କୁ ଭେଟିବାକୁ ଆସିବ ।

ଫରାସୀ ବିପ୍ଳବର ପରବର୍ତ୍ତି ସେହି ସମୟ,ଅସ୍ଥିରତା ରେ ଭରପୁର,ଯାହାକୁ କୁହାଯାଉଥିଲା ସଂତ୍ରାସର ରାଜୁତି ବା ରେନ୍ ଅଫ୍ ଟେରରର ସମୟ । ରାଜତନ୍ତ୍ରର ସମର୍ଥନରେ ଥିବା ସଂଭ୍ରାନ୍ତମାନଙ୍କୁ ନିର୍ବିଚାରରେ ହତ୍ୟା କରାଯାଉଥିଲା । ସେତେବେଳେ ଫର୍ଚୁନ୍ ନିୟମିତ ଦେଖା କରିବାକୁ ଆସୁଥିଲା ତାହାର ପ୍ରିୟତମ ସଂଭ୍ରାନ୍ତ ମହିଳା ମେରି -ଜୋସେଫ-ରୋଜ୍ ଡି ବିଉହାରନାଇସ୍ ଙ୍କୁ । ତାଙ୍କୁ ଆଲିଙ୍ଗନ କରି ଯଥେଷ୍ଟ ସମବେଦନା ବି ଜଣାଉଥିଲା । କିଛି ଦିନ ଆଗରୁ ତାଙ୍କର ସ୍ୱାମୀ ଭାଇକାଉଣ୍ଟ ଆଲେକଜାନ୍ଦ୍ରେ ବିଉହାରନିସ୍ ଙ୍କୁ ଗିଲୋଟିନ୍ ରେ ହତ୍ୟା କରାଯାଇଛି । ଆଉ କିଛି ଦିନ ପରେ ରୋଜଙ୍କ ପାଳି ପଡିବ । ଏକ ବିଭତ୍ସ ମୃତ୍ୟୁକୁ ଅପେକ୍ଷା କରିଥିବା ସମୟରେ ମେରି-ରୋଜ୍ ନିଜର ଅବ୍ୟକ୍ତ ବେଦନାକୁ ଫର୍ଚୁନ ଆଗରେ ବ୍ୟକ୍ତ କରୁଥିଲେ । ବାସ୍ତିଲ୍ ଦୁର୍ଗର ସେଇ ଏକାନ୍ତ ପ୍ରକୋଷ୍ଟରେ ମେରି- ରୋଜ୍ ଙ୍କ ଦୁଃଖ କାହାଣୀ ଶୁଣିବାବେଳେ ଫର୍ଚୁନ୍ ସେଇ ପ୍ରକୋଷ୍ଠରେ ରହିଥିବା ଆଲେକଜାନ୍ଦ୍ରେଙ୍କ କିଛି ସ୍ମାରକୀ ତଥା ତାଙ୍କର କିଛି ପୋଷାକକୁ ସେଇଠି ଦେଖା ହେବା ପାଇଁ ମିଳିଥିବା ସମୟତକ ଜାବୁଡି ଧରି ବସିଥାଏ ।

ତାହାର ନାଆଁ ଫର୍ଚୁନ୍ । ସରଳ ଭାଷାରେ ଅନୁବାଦ କଲେ ତାହା ହେବ ଭାଗ୍ୟ । କାହାଣୀ ହେଉ କି ଇତିହାସ ହେଉ ସର୍ବତ୍ର ଭାଗ୍ୟ ର ଅଲୌକିକତା ସହ ଆମେ ସଭିଏଁ ପରିଚିତ । ଏଇଠି ବି ଫର୍ଚୁନ୍ ତାହାର ଯାଦୁଖେଳ ଦେଖାଇ ପାରିବାକୁ ସକ୍ଷମ ହୋଇଛି ।

ଗିଲୋଟିନ୍ ରେ ଏକ ଭୟଙ୍କର ମୃତ୍ୟୁକୁ ଅପେକ୍ଷା କରି ବାସ୍ତିଲ୍ ଦୁର୍ଗରେ ବନ୍ଦୀ ଥିବା ସେଇ ସଦ୍ୟ ପତିହରା ସଂଭ୍ରାନ୍ତ ମହିଳା ମେରି ଜୋସେଫ୍ ରୋଜର ବାହାର ପୃଥିବୀ ସହ କୌଣସି ଯୋଗସୂତ୍ର ରଖିବା ପାଇଁ ଏହି ଫର୍ଚୁନ୍ ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା । କେବଳ ଫର୍ଚୁନ୍ କୁ ସପ୍ତାହାନ୍ତରେ ଥରେ ତାହାକୁ ସାକ୍ଷାତ୍ କରିବାକୁ ଅନୁମତି ମିଳିଥିଲା। ଏହା ଛଡା ବାହାରେ ଆଉ କାହା ପାଖକୁ କୌଣସି ପତ୍ରାଚାର କରିବାରେ ତାଙ୍କ ଉପରେ ଦୃଢ ନିଷେଧାଜ୍ଞା ରହିଥିଲା । ଫର୍ଚୁନ୍ ତାଙ୍କ ସହିତ ଦେଖା କରିବାକୁ ଆସିଲା ବେଳେ ବେକରେ ଗୋଟାଏ ବେଶ୍ ମୋଟା ମାଳ ପକାଇ ଆସୁଥିଲା । ଆଉ ସେହି ଫର୍ଚୁନ୍ ପିନ୍ଧିଥିବା ସେହି ମୋଟା ମାଳ ଭିତରେ ଗୋପନରେ ବାହାରେ ଥିବା ପ୍ରିୟ ମିତ୍ରମାନଙ୍କୁ ସେ ପତ୍ରମାନ ପଠାଉଥିଲେ । ବାହାରେ ଯଥାସ୍ଥାନରେ ଫର୍ଚୁନ୍ ସେଇ ପତ୍ରମାନଙ୍କୁ ପହଞ୍ଚାଇବା ଭଳି ଗୁରୁତ୍ୱପୂର୍ଣ୍ଣ ଗୋପନ କାମ ସମ୍ପାଦନ କରୁଥିଲା। ଆଉ ଏଇ ଇତିହାସରେ ,ଏଇ କାହାଣୀରେ, ସେଇ ଗୋପନ ପତ୍ର ମାନ ଅସ୍ୱାଭାବିକ କାର୍ଯ୍ୟ ସମ୍ପାଦନ କରିପାରିଥିଲେ । ଏହା ଫଳରେ ବାହାରେ ଥିବା ବନ୍ଧୁ ମାନଙ୍କର ପ୍ରଭାବ ଫଳରେ ମେରି ଜୋସେଫ୍ ରୋଜ୍ ବାସ୍ତିଲ ଦୁର୍ଗରୁ ମୁକ୍ତ ହେଲେ । ଗିଲୋଟିନ୍ ର ଭୟଙ୍କର ମରଣ ତାଙ୍କୁ ଆଉ ଭୋଗିବାକୁ ପଡିଲା ନାହିଁ ।

ନିଜର ସାତୋ ବା ବଙ୍ଗଳାକୁ ଫେରି ଆସିବା ପରେ ମେରି ଜୋସେଫ ରୋଜଙ୍କର ସବୁଠାରୁ ପ୍ରିୟ ହୋଇ ଉଠିଥିଲା ଏହି ଚରିତ୍ର ଫର୍ଚୁନ୍ । ତାଙ୍କୁ ମରଣ ମୁହଁରୁ କହିବାକୁ ଗଲେ ଫେରାଇଆଣିବାରେ ତାହାର ହିଁ ଭୂମିକା ସାମ୍ନାକୁ ରହିଥିଲା । ତେଣୁ ଫର୍ଚୁନ୍ ଆଉ ମେରି ଜୋସେଫ୍ ରୋଜଙ୍କ ସମ୍ପର୍କର ନିବିଡତାକୁ ସହଜରେ ବୁଝାଯାଇ ପାରିବ । ଏହା କ୍ରମଶଃ ଏଇଭଳି ସ୍ତରରେ ପହଞ୍ଚିଥିଲା ଯେ ମେରି ଜୋସେଫ୍ ରୋଜ୍ ତାହାକୁ ନିଜର ଶୟନାଗାର ପ୍ରକୋଷ୍ଠ ଭିତରେ ଏପରିକି ନିଜର ଶଯ୍ୟାସଙ୍ଗୀ କରିବାକୁ କୁଣ୍ଠିତ ନଥିଲେ ।

ସେଦିନ ଥିଲା ୯ ମାର୍ଚ୍ଚ ୧୭୯୬ ସାଲ।

ଉଭୟ ତାଙ୍କର ଆଉ ଫର୍ଚୁନ୍ ର ସମ୍ପର୍କ ଭିତରେ ଥିବା ଜଟିଳତା ସେଇ ଦିନ ସାମ୍ନାକୁ ଆସିଥିଲା ସେଦିନ ଯେତେବେଳେ ମେରି ଜୋସେଫ ରୋଜ୍ ଙ୍କର ସେ ସମୟର ଜଣେ ଚର୍ଚ୍ଚିତ ସେନାନାୟକ ଙ୍କ ସହ ଦ୍ୱିତୀୟ ବିବାହ ସମ୍ପନ୍ନ ହେଲା । ମଧୁଚନ୍ଦ୍ରିକା ଯାପନ କରିବା ପାଇଁ ଭିତରକୁ ଗଲା ବେଳେ ସେହି ସେନାନାୟକ ଜଣକ ଦେଖିଲେ ଆଗରୁ ସେଇଠେ ଉପସ୍ଥିତ ରହିଛି ଫର୍ଚୁନ। ଏଇ ଭଳି ସ୍ଥାନରେ ଆଉ ଜଣେ ପ୍ରତିଦ୍ୱନ୍ଦୀ କାହାର କାମ୍ୟ ନୁହଁ । ଶୁଣାକଥା, ମେରି ଜୋସେଫ ରୋଜ୍ କହିଥିଲେ ସେତେବେଳେ,ଫର୍ଚୁନ ପାଖରେ ନଥିଲେ ମୁଁ ଏଇ ଶେଜରେ ଶୋଇବି ନାହିଁ ।

ପରବର୍ତ୍ତି କାହାଣୀ ଖୁବ୍ ସଂକ୍ଷିପ୍ତ । ଉଭୟ ସେହି ଚର୍ଚ୍ଚିତ ସେନାନାୟକ ଏବଂ ଫର୍ଚୁନ୍ ମଧ୍ୟରେ ସେହି ବାସର ପ୍ରକୋଷ୍ଠରେ କିଛି ସମୟ ହାତାହାତି ହୋଇଥିଲା ।ଏବଂ ଏହି ସମୟରେ ଫର୍ଚୁନ୍ ସେହି ସେନାନାୟକଙ୍କ ବାଆଁ ହାତକୁ ଖୁବ୍ ଜୋର୍ ରେ କାମୁଡି ଦେଇଥିଲା ଆଉ ଏତେ ଜୋର୍ ରେ କାମୁଡି ଦେଇଥିଲା ଯେ ସେଇଠୁ ଧାରଧାର ରକ୍ତ ବାହାରି ଆସିଥିଲା। ସେହି କାମୁଡା ଦାଗଟିର ଚିହ୍ନ କିନ୍ତୁ ତାଙ୍କ ହାତରେ ଶେଷ ଯାଏଁ ରହିଥିଲା । ଆଉ ଯେତେଦିନ ଯାଏଁ ସେମାନଙ୍କର ବିବାହ ବଳବତ୍ତର ଥିଲା ଉଭୟ ନେପୋଲିଅନ୍ ବୋନାପାର୍ଟ ଆଉ ମେରି ଜୋସେଫ୍ ରୋଜ୍ ରୁ ଜୋସେଫାଇନ୍ ( ଚଉଦ ବର୍ଷର ସେମାନଙ୍କର ବିବାହିତ ଜୀବନ ପରେ ୧ ଏପ୍ରିଲ୍ ୧୮୧୦ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା) ମିଳିତ ହେବାପାଇଁ ଏପରି ଏକ ସମୟ ବାଛୁଥିଲେ ଯେତେବେଳେ ଆଖ ପାଖରେ ଉପସ୍ଥିତ ନଥିବ ଫର୍ଚୁନ୍,ସେଇ ବିଖ୍ୟାତ ଚରିତ୍ର, ସୁନ୍ଦର ଧୂସରରଂଗର “ପଗ୍” ପ୍ରଜାତିର ଏକ କୁକୁର ।

ନେପୋଲିଅନ୍ ବୋନାପାର୍ଟଙ୍କର ସେଦୃଷ୍ଟିରୁ କୁକୁର ମାନଙ୍କ ପ୍ରତି ଥିବା ସହଜାତ ଘୃଣାକୁ ବୁଝିହୁଏ ।

ନେପୋଲିଅନ୍ ଫ୍ରାନ୍ସର ସମ୍ରାଟ୍ ହେଲେ । ସ୍ୱତନ୍ତ୍ରତା,ସମତା ଆଉ ଭ୍ରାତୃତ୍ୱକୁ ଆଧାର କରି ଯେଉଁ ଫରାସୀ ବିପ୍ଳବ ଆରମ୍ଭ ହୋଇଥିଲା ତାହାର ମୂଳ ଗୁଣସୂତ୍ର ଏହାଫଳରେ ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା । ନେପୋଲିଅନ୍ ଅତ୍ୟନ୍ତ ଶକ୍ତିଶାଳୀ ହେଲେ ଆଉ ଫ୍ରାନ୍ସ ସଂପର୍କରେ କୁହାଗଲା ଯେ,ଫ୍ରାନ୍ସକୁ ଯଦି ଛିଙ୍କ ହୁଏ ତେବେ ସମଗ୍ର ଇଉରୋପ୍ କୁ ଜ୍ୱର ଘୋଟିଯିବ । ଶେଷରେ ଇତିହାସର ସ୍ୱଭାବିକ ପ୍ରକ୍ରିୟା ପତନ ଭଳି ନେପୋଲିଅନ୍ ଗ୍ରେଟ ବ୍ରିଟେନ୍,ଋଷିଆ ଆଉ ପ୍ରୁସିଆର ଏକ ସମ୍ମିଳିତ ଶକ୍ତି ହାତରେ ୧୮୧୪ ପରାସ୍ତ ହୋଇ ଏଲବା ନାମକ ଏକ ଭୂମଧ୍ୟସାଗରୀୟ ଦ୍ୱୀପରେ ବନ୍ଦୀ ହୋଇ ରହିଥିଲେ । ଏଲବା ଦ୍ୱୀପରେ ଦଶମାସ ବନ୍ଦୀ ରହିବା ପରେ ସେ ସେଇଠୁ ମୁକୁଳିବା ପାଇଁ ଗୋଟିଏ ଉଦ୍ୟମ କରିଥିଲେ । ନିଜେ ପହଁରି ଜାଣି ନଥିବା ଜଣେ ବ୍ୟକ୍ତି ପକ୍ଷରେ ରାତିର ଗାଢ ଅନ୍ଧାରରେ ଗୋଟିଏ ଛୋଟ ମାଛଧରା ବୋଟରେ ଭୂମଧ୍ୟସାଗରରେ ବେଶ୍ କିଛି ଦୂର ଛଦ୍ମବେଶରେ ଯିବା ଆଉ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଅପେକ୍ଷା କରିଥିବା ଫ୍ରାନ୍ସର ରଣତରୀ “ଇନକନଷ୍ଟାଣ୍ଟ” ରେ ଚଢି ଫ୍ରାନ୍ସର ଉପକୂଳରେ ପହଞ୍ଚିବା ପରିକଳ୍ପନା ଦୃଷ୍ଟିରୁ ଦେଖିଲେ ନେପୋଲିଅନଙ୍କର ଜୀବନର ସବୁଠୁ ବଡ ଦୁଃସାହସିକ ପଦକ୍ଷେପ ଥିଲା । ଏଲବା ଦ୍ୱୀପରୁ ପଳାୟନ କଲାବେଳେ ସେ ସେହି ଛୋଟ ମାଛଧରା ବୋଟ୍ ର ଗୋଟିଏ କୋଣରେ ଏକେଲା ଛିଡା ହୋଇ ଚାରିଆଡକୁ ପର୍ଯ୍ୟବେକ୍ଷଣ କରୁଥାନ୍ତି । ଚାରିଆଡେ ବ୍ୟାପ୍ତ ଭୂମଧ୍ୟସାଗର,ଚାରିଆଡେ ବ୍ୟାପ୍ତ ଗାଢ ଅଂଧକାର । ଏହା ଭିତରେ କେତେବେଳେ ସେ ସେହି ଛୋଟ ମାଛଧରା ବୋଟରୁ କେତେବେଳେ କେମିତି ଭୂମଧ୍ୟସାଗରକୁ ଖସି ପଡିଥିଲେ ,ତାହା ସେଇଠି କାହାରିକୁ ଜଣା ପଡିଲା ନାହିଁ , କେବଳ ଜଣକୁ ଛାଡି । ସେ ହେଉଛି ଏଇ ଇତିହାସରେ,ଏଇ କାହାଣୀର ସେହି ଆର ଗୋଟିକ ଚରିତ୍ର ,ଯାହାର କୌଣସି ନାଆଁ ନଥିଲା , ଯିଏ ଅନାମ ।

ଏହି ଅନାମ ଚରିତ୍ରଟି ହେଉଛି ଗୋଟିଏ ନିଉଫାଉଣ୍ଡଲାଣ୍ଡ ପ୍ରଜାତିର ଲୋମଶ କୁକୁର । ସେ ସେହି ମାଛଧରା ବୋଟରେ ଥାଏ । ସବୁବେଳେ ସମୁଦ୍ରଯାତ୍ରା କରିବାରେ ତାହାର ଭାରି ଆନନ୍ଦ ।

ସେଦିନ ରାତିର ଗାଢ ଅନ୍ଧାରରେ ଭୂମଧ୍ୟସାଗରରୁ ନେପୋଲିଅନଙ୍କୁ ଉଦ୍ଧାର କରାଗଲା ବେଳକୁ ଦେଖାଗଲା ସେ ପ୍ରାଣଭୟରେ ଜାବୁଡି ଧରିଛନ୍ତି ସେଇ ଅନାମ କୁକୁରକୁ ଆଉ ସେ ନେପୋଲିଅନଙ୍କୁ ପିଠିରେ ଧରି ପହଁରି ଆସୁଛି ସେହି ବୋଟ ଆଡକୁ ।
ନେପୋଲିଅନଙ୍କ ସହ ସେହି ଅନାମ ନିଉଫାଉଣ୍ଡଲାଣ୍ଡ ପ୍ରଜାତିର କୁକୁର ଉଭୟଙ୍କୁ ସେହି ମାଛ ଧରା ବୋଟ ଉପରକୁ ସତର୍କତାର ସହ ତାହାପରେ ଉଦ୍ଧାରକରାଯାଇଥିଲା ।
ଏହି ଘଟଣାର କିନ୍ତୁ ଅଳ୍ପକେତେମାସ ପରେ ୧୮ ଜୁନ୍ ୧୮୧୫ ରେ ୱାଟରଲୁ ଯୁଦ୍ଧ ହେଲା ଆଉ ଏଇ ଯୁଦ୍ଧ ନେପୋଲିଅନଙ୍କ ଉଚ୍ଚାଶାର ଦୀର୍ଘ ପୁର୍ଣ୍ଣଚ୍ଛେଦ ।

ସେଦିନର ନେପୋଲିଅନଙ୍କର ସେହି ଉଦ୍ଧାରକର୍ତ୍ତା ଅନାମ ଚରିତ୍ରକୁ ଯଦି ଆମେ ସହଜ ଭାଷାରେ ଗୋଟିଏ ନାଆଁ ଦେବାକୁ ଚାହିଁବୁ ତାହାହେଲେ ସର୍ବପ୍ରଥମେ ଆମମନକୁ ଆସିବ ସେଇ ଗୋଟିକ ନାଆଁ,ଫର୍ଚୁନ ବକଲମରେ ଭାଗ୍ୟ ।

କାହାଣୀ ଫର୍ଚୁନ୍ ଆକାରରେ କାହାକୁ କେତେବେଳେ କ୍ଷତ ଚିହ୍ନ ଦିଏ ,କେତେବେଳେ କାହାକୁ ଭରା ସମୁଦ୍ରରୁ ସାମୟିକ ମହଲତ ଦେବାପାଇଁ ଉଦ୍ଧାର କରିଥାଏ, ତାହା କାହାରି ନିୟନ୍ତ୍ରଣରେ ନଥିବା ପରି ମନେହେଉଥିଲେ ବି ତାହା ଇତିହାସର ଅଧୀନ ।

Leave A Reply

Your email address will not be published.