Latest Odisha News

BREAKING NEWS

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗତ ୭ ଦିନ ଧରି ପରିବାର ଲୋକ ପଞ୍ଚାୟତ ଅଫିସ୍ ଆଗରେ ଗଣଧାରଣା ଦେଇଥିଲେ ।

ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ପରିବାର ଲୋକ ଓ ଗ୍ରାମବାସୀ ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ମୃତ୍ୟୁକୁ ମାସେ ପରେ ବିତିଥିବା ବେଳେ ଅକ୍ଷୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ସମିତି ଗଠନ କରି ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ । ପୋଲିସ ତଦନ୍ତ କରୁଥିବା ବେଳେ ମୃତ୍ୟୁକୁ ହାଲକା ଭାବେ ପୋଲିସ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏପରିକି ପୋଲିସ ମୃତ୍ୟୁର ପ୍ରକୃତ ତଦନ୍ତ ନ କରି ଓଲଟା ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରୁଥିବା ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରି ଭୟଭୀତ କରୁଥିବା ଅଭିଯୋଗ ହୋଇଛି । ତେଣୁ ପୋଲିସ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.