Latest Odisha News

BREAKING NEWS

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦ ପଇସା ଲିଟର ପିଛା ବଢ଼ିଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୯ ପଇସା ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୮୧ ଟଙ୍କା ୪୨ ପଇସାରେ ବିକ୍ରି ହେଉଛି ।

ସେହିଭଳି ରାଜ୍ୟରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଦର ବଢ଼ିଛି । ଆଜି ରାଜ୍ୟର ୮ଟି ଜିଲ୍ଲାରେ ପେଟ୍ରୋଲ ଦର ୯୪ ଟଙ୍କା ଉପରେ ରହିଛି । ରାଜ୍ୟରେ ମାଲକାନଗିରିରେ ତୈଳଦର ଲିଟର ପିଛା ସର୍ବାଧିକ ୯୬ ଟଙ୍କା ୭୪ ପଇସା ଥିବାବେଳେ କୋରାପୁଟରେ ୯୫ ଟଙ୍କା ୬୪ ପଇସା, ନବରଙ୍ଗପୁରରେ ୯୫ ଟଙ୍କା ୯ ପଇସା, କଳାହାଣ୍ଡିରେ ୯୪ ଟଙ୍କା ୩୬ ପଇସା ରହିଛି ।

ସେହିଭଳି ରାଜ୍ୟର ୧୨ଟି ଜିଲ୍ଲାରେ ଡିଜେଲ ଦର ୯୦ ଉପରେ ରହିଛି । ପେଟ୍ରୋଲ ଭଳି ମାଲକାନଗିରି ଜିଲ୍ଲାରେ ଡିଜେଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ଡିଜେଲ ଲିଟର ପିଛା ୯୩ ଟଙ୍କା ୬୦ ପଇସା ଥିବାବେଳେ କୋରାପୁଟରେ ୯୨ ଟଙ୍କା ୫୪ ପଇସା, ନବରଙ୍ଗପୁରରେ ୯୨ ଟଙ୍କା ୧ ପଇସାରେ ବିକ୍ରି ହେଉଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇ ଚାଲିଛି । ୭ ସପ୍ତାହ ପରେ ଗତ ମଙ୍ଗଳବାର ଅଶୋଧିତ ତୈଳଦର ସବୁଠୁ ଅଧିକ ରହିଥିଲା । ତେବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଅଶୋଧିତ ତୈଳ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ନଥିଲା । ବରଂ ପେଟ୍ରୋଲ୍ ୭୭ ପଇସା ଏବଂ ଡିଜେଲ୍ ୭୪ ପଇସା ଲିଟର ପିଛା ଶସ୍ତା ହୋଇଥିଲା । ଏବେ ଲଗାତାର ତିନିଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ୍ ୬୯ ପଇସା ବୃଦ୍ଧି ପାଇଛି ।

Leave A Reply

Your email address will not be published.