Latest Odisha News

BREAKING NEWS

ଅଢ଼େଇ ଟଙ୍କା କମିଲା ପେଟ୍ରୋଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିିଲ୍ଲୀ: ଲଗାତର ତୈଳଦର ବୃଦ୍ଧି ନେଇ ଅତିଷ୍ଠ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।

ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଓ ଡିଜେଲରେ ୧ ଟଙ୍କା ୫୦ ପଇସା ଲେଖାଏଁ ଉତ୍ପାଦ ଶୁଳ୍କ ହ୍ରାସ କରିବା ନିଷ୍ପତ୍ତି ନେଇଛନ୍ତି । ସେହିପରି ତୈଳ କମ୍ପାନିଗୁଡ଼ିକ ଲିଟର ପିଛା ୧ ଟଙ୍କା ଲେଖାଏଁ ଦର କମାଇବେ ବୋଲି ଜେଟଲି ସୂଚନା ଦେଇଛନ୍ତି । ରାଜ୍ୟଗୁଡ଼ିକ ମଧ୍ୟ କେନ୍ଦ୍ରର ପଦକ୍ଷେପ ଅନୁସରଣ କରିବା ଉପରେ ଅର୍ଥମନ୍ତ୍ରୀ ଜୋର୍ ଦେଇଛନ୍ତି ।

ସେ କହିଛନ୍ତି ଯେ, “ରାଜ୍ୟଗୁଡ଼ିକ କେନ୍ଦ୍ର ଭଳି ୨ ଟଙ୍କା ୫୦ ପଇସା ହିସାବରେ ପେଟ୍ରୋଲ ଓ ଡିଜେଲ ଉପରୁ ବିକ୍ରିକର ତଥା ମୂଲ୍ୟଯୁକ୍ତ ଟିକସ କମାଇପାରିବେ । ଏଭଳି ହେଲେ ଖାଉଟିଙ୍କ ବୋଝ ଆହୁରି କମିବ । ଉତ୍ପାଦ ଶୁଳ୍କ କମାଇବା ଫଳରେ କେନ୍ଦ୍ର ସରକାର ୧୦ ହଜାର ୫ ଶହ କୋଟି ଟଙ୍କାର ଟିକସ କ୍ଷତି ସହିବେ । ସେହିପରି ତୈଳଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି,” ବୋଲି ଜେଟଲି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଏବେ ତୈଳଦର ବ୍ୟାରେଲ୍ ପିଛା ୮୬ ଆମେରିକୀୟ ଡଲାର ରହିଛି । ଏହାର ପ୍ରଭାବ ବଜାର ଉପରେ ପଡ଼ିଛି ।

ତେବେ କେନ୍ଦ୍ର ସରକାର ଏହାରି ଉପରେ ସତର୍କ ନଜର ରଖିଥିବା ଜେଟଲି କହିଛନ୍ତି । ତୈଶଦର ବୃଦ୍ଧି ଗଲା କିଛି ମାସ ହେଲା ଖାଉଟିଙ୍କୁ ଚିନ୍ତାରେ ପକାଇଦେଇଛି ।

ଓଡ଼ିଶାରେ ଲିଟର ପିଛା ପେଟ୍ରୋଲ ଦର ୮୨ ଟଙ୍କା ପହଞ୍ଚିଥିବା ବେଳେ ମୁମ୍ବାଇରେ ୯୦ ଟଙ୍କା ଛୁଇଁଛି ।

Leave A Reply

Your email address will not be published.