Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ଉପାସନା ଧାରାକୁ ବିଭିନ୍ନ ଅବସ୍ଥାରେ ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରଭୁଙ୍କର ପ୍ରେମ ଓ ଭକ୍ତିରେ ବାନ୍ଧି ହୋଇ ଯାଇଥିଲେ । ଏମାନଙ୍କ ମଧ୍ୟରେ ପ୍ରାତଃ ସ୍ମରଣୀୟ ଓ ନମସ୍ୟ ହେଲେ ଜଗଦଗୁରୁ ଆଦି ଶଙ୍କରଚାର୍ଯ୍ୟ, ଶ୍ରୀ ରାମାନୁଜଚାର୍ଯ୍ୟ, ଶ୍ରୀ ନିମ୍ବକଚାର୍ଯ୍ୟ, ଶ୍ରୀ ମଧ୍ଵଚାର୍ଯ୍ୟ, ଶ୍ରୀ ବଳଭଚାର୍ଯ୍ୟ, ଶ୍ରୀ ରମାନନ୍ଦଚାର୍ଯ୍ୟ, ଶ୍ରୀ ବିଷ୍ଣୁସ୍ୱାମୀ ଓ ଶ୍ରୀଲ ସନାତନ ଗୋସ୍ୱାମୀ ପ୍ରମୁଖ ।

ଏହି ମନୀଷୀମାନଙ୍କ ଦର୍ଶନ ଓ ବଳିଷ୍ଠ ତତ୍ତ୍ୱଭିତିକ ପ୍ରମାଣ ଜଗନ୍ନାଥ ଚେତନାକୁ ସାରା ଜଗତରେ ପ୍ରତିପାଦିତ କରିଥିଲା । ସର୍ବୋପରି ଶ୍ରୀ ଚୈତନ୍ୟଙ୍କ ପ୍ରେମ ଭକ୍ତି ଧାରା ଶ୍ରୀଜଗନ୍ନାଥ ଚେତନାକୁ ଲୋକ ଚେତନାରେ ପରିଣତ କରିଥିଲା । ଉତ୍କଳର ଶ୍ରୀ ଜୟଦେବ, ଶ୍ରୀଧର ସ୍ୱାମୀ, ସାରଳାଦାସ, ଅତିବଡ଼ି ଜଗନ୍ନାଥଦାସ, ଅଚ୍ୟୁତ, ଯଶୋବନ୍ତ, ଅନନ୍ତ, ବଳାରାମଦାସ, ତଥା ଭକ୍ତ ସାଲବେଗ ପ୍ରଭୃତି ନିଜର ସାଧନା ଓ ସିଦ୍ଧିକୁ ବିନିଯୋଗ କରି କୋଟି ଓଡ଼ିଆଙ୍କ ମନପ୍ରାଣରେ ଶ୍ରୀଜଗନ୍ନାଥଙ୍କ ପ୍ରେମଭକ୍ତିର ଧାରକୁ ସଞ୍ଚାର କରି ତାହାକୁ ଦୃଢ଼ୀଭୂତ କରିଥିଲେ ।

ସେଥିପାଇଁ ଶ୍ରୀଲ ସନାତନ ଗୋସ୍ୱାମୀ ଗାଇଲେ

” ଶ୍ରୀଜଗନ୍ନାଥ ନୀଳାଦ୍ରି ଶିରୋମଣି ମୁକୁଟ ରତ୍ନ ହେ,
ଦାରୁବ୍ରହ୍ମନ ଘନଶ୍ୟାମ ପ୍ରସିଦ୍ଧ ପୁରୁଷୋତ୍ତମ । ”

ଏଭଳି ଭାବରେ ଉତ୍କଳରୁ ପ୍ରସାରିତ ହୋଇଛି ଶ୍ରୀଜଗନ୍ନାଥ ଚେତନାର ଧାରା ସମଗ୍ର ପୃଥିବୀକୁ । ପ୍ରେମ ଭକ୍ତିର ଏହିଧାରାଟି ଥିଲା ଅଛି ଓ ଅନନ୍ତ କାଳ ପର୍ଯ୍ୟନ୍ତ ରହିବ । ସେଥିପାଇଁ ତ ଏ ପାବନ ପ୍ରୟାସ ଆସନ୍ତୁ ଗାଇବା ଆଦିକବି ସାରଳାଦାସଙ୍କ ପ୍ରେମଭକ୍ତିର ପଦଟିଏ

“ମୁଁ ତୁମ ପଦ କିଙ୍କର ହେ ନୀଳାଦ୍ରିନାଥ,
ତୁମ୍ଭ ବିନୁ ଆଶ୍ରା କେହି ନାହିଁ ହେ ମୁଁ ଅରକ୍ଷିତ। ”

ଜୟ ଜଗନ୍ନାଥ.

Leave A Reply

Your email address will not be published.