Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା, ବିଭବର ନୁହଁନ୍ତି। ସେହିପରି ତାଙ୍କୁ ପାଇହୁଏ ଭକ୍ତିରେ, ଶକ୍ତି ଦ୍ୱାରା ନୁହେଁ। ସାଂସାରିକ କ୍ଷେତ୍ରରେ ଦୁଇଟି ବଡ଼ ସମ୍ପଦ, ବିଭବ (ଧନ ସମ୍ପତି )ଓ ଶକ୍ତି (ଶାରୀରିକ ବଳ, ବା ସାମର୍ଥ୍ୟ ) ।

ଶ୍ରୀଜଗନ୍ନାଥ ଙ୍କୁ ଉପଲବ୍ଧି କରିବାର ମୁଖ୍ୟ ଉପାଦାନ ନୁହେଁ। ମୁଖ୍ୟ ଉପାଦାନ ହେଲା ଭାବ ଓ ଭକ୍ତି। ସାଧାରଣତଃ ମଣିଷମାନେ ମାୟାରେ ଆବିଷ୍ଟ ହୋଇ ନିଜର ବିଭବ ଓ ଶକ୍ତି ଦ୍ୱାରା ଭଗବତ ଶକ୍ତିର ଆକଳନ କରନ୍ତି। କିନ୍ତୁ ଏହା ଭୁଲ ପଥ ଅନୁସରଣର ବିଷୟ ହୋଇଥାଏ ଯଥା –“ନାହଂ ପ୍ରକାଶଃ ସର୍ବସ୍ୟ ଯୋଗ ମାୟା ସମlବୃତଃ, ମୁଢ଼ୋଅୟଂ ନାଭିଜାନlତି ଲୋକୋ ମାମଜମବ୍ୟୟମ। “(ଗୀତା ୭ /୨୫ )

ଏଥିରୁ ସ୍ପଷ୍ଟ ହେଲାଯେ ସାଂସାରିକ ମାୟାରେ ବାନ୍ଧି ହୋଇ ଓ ନାନା ବିଭ୍ରାନ୍ତିକର ତତ୍ତ୍ୱ (ଧର୍ମ, ଧାରଣା ) ଦ୍ୱାରା ଆକ୍ରାନ୍ତ ହୋଇ ମଣିଷ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକୃତ ସ୍ୱରୂପକୁ ଜାଣି ପାରନ୍ତିନି. କେବଳ ଆତ୍ମଜ୍ଞାନୀ ମାନେ ଶ୍ରୀଜଗନ୍ନାଥଙ୍କୁ ନିଜ ହୃଦୟରେ ଆତ୍ମା ସ୍ୱରୂପରେ ଧାରଣ କରିଥିବାରୁ ତାଙ୍କର ପ୍ରକୃତ ସ୍ୱରୂପକୁ ଦର୍ଶନ କରନ୍ତି ଓ ମୋକ୍ଷ ପାଆନ୍ତି। ସେ ସ୍ୱରୂପ ନିରାକାର ବି ଓ ସାକାର ବି ହୋଇଥାନ୍ତି। ତେଣୁ ଶୂନ୍ୟବାଦୀମାନେ ନିରାକାର ବ୍ରହ୍ମଙ୍କ ଉପାସକ ହୋଇ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉପାସନା କରିଥାନ୍ତି।

ଏହି ପ୍ରସଙ୍ଗରେ ଆମେ ସନ୍ଥ ଭୀମ ଭୋଇଙ୍କ ବିଷୟ ଆଲୋଚନା କରିଥିଲେ। ଆଜି ଆଲୋଚନା କରିବା ଆଉ ଜଣେ ପରମ ସାଧକ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧ ପୁରୁଷ “ଅଚ୍ୟୁତାନନ୍ଦ “ଙ୍କ ବିଷୟରେ। ମାଳିକା, ଶୂନ୍ୟ ସଂହିତା, ସାତ ଖଣ୍ଡିଆ ହରିବଂଶ, ମଣିବରଣ ଗୀତା, ଚନ୍ଦ୍ରକଳ୍ପ ବ୍ରହ୍ମଶାଙ୍କୁଳି ଇତ୍ୟାଦି ଅନେକ ଉପାଦେୟ ଓ ଗୂଢ଼ ଶାସ୍ତ୍ର ଗ୍ରନ୍ଥ ରଚନା କରିଥିବା ଅଚ୍ୟୁତାନନ୍ଦ ପ୍ରଚଣ୍ଡ ଶୂନ୍ୟବାଦୀ ଥିଲେ। ନିରାକାର ବ୍ରହ୍ମର ଉପାସକ ସାଜି ଯେତେବେଳେ ସେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ସେତେବେଳେ ତାଙ୍କର ମୋହ ମାୟା କଟି ଯାଇଥିଲା ଓ ସେ ଶ୍ରୀଜଗନ୍ନାଥଙ୍କୁ ନିଜର ଆରାଧ୍ୟ କରିନେଲେ। ନିୟମିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଶାସ୍ତ୍ର ଆଲୋଚନା କଲେ ଓ ନିତି କଳ୍ପ ବଟ ମୂଳରେ ବସି କିଛି କିଛି ତତ୍ତ୍ୱ ପ୍ରକାଶିଲେ।

ଏହିଠାରେ ହିଁ ତାଙ୍କ କବିତ୍ୱର ବିକାଶ ହେଲା। ଏକଥା ସେ ତାଙ୍କ ଗ୍ରନ୍ଥରେ କହିଛନ୍ତି :“ଅଚ୍ୟୁତ ଦାସର ବଟ ମୂଳରେ ବାସ, ବଟ ପୁଟିଆକୁ ନିତ୍ୟେ କରିଥାଏ ଆଶ।”(ଶୂନ୍ୟ ସଂହିତା )।

ଅଚ୍ୟୁତାନନ୍ଦଙ୍କ ଶାସ୍ତ୍ର ଆଲୋଚନା ଓ କବିତ୍ଵ ଦେଖି ସେକାଳର ସର୍ବ ଶକ୍ତିମାନ ବ୍ରlହ୍ମଣ ମାନେ ରାଜାଙ୍କ ଆଗରେ ଗୁହାରି କଲେ ଯେ “ଅଚ୍ୟୁତାନନ୍ଦ ଜାତିରେ ଶୁଦ୍ର ହୋଇ ମଧ୍ୟ ବିକୃତ ଶାସ୍ତ୍ର ଆଲୋଚନା କରୁଛି। ଶ୍ରୀଜଗନ୍ନାଥଙ୍କ ପୀଠରେ ବସି ଶୂନ୍ୟ ନିରାକାର କଥା କହୁଛି। ତେଣୁ ତାକୁ ଦଣ୍ଡ ବିଧାନ ହେଉ। ଏହା ଶୁଣି ରାଜା ଅଚ୍ୟୁତାନନ୍ଦଙ୍କ ଶାସ୍ତ୍ରର ପରୀକ୍ଷା ନେଲେ। ପୁରୀ ସମୁଦ୍ର କୂଳରେ ବାଙ୍କୀ ମୁହାଣ ନିକଟରେ ଥିବା ଶୂନ୍ୟ ଗୁମ୍ଫାକୁ ପରୀକ୍ଷା କ୍ଷେତ୍ର କରାଗଲା। ସେଠାରେ ପ୍ରବଳ ଯୋଗ ସାଧନ କରି ଅଚ୍ୟୁତାନନ୍ଦ ଉଭୟ ନିରାକାର ଓ ସାକାର ରୂପରେ ଯେ ଶ୍ରୀଜଗନ୍ନାଥ ବିଦ୍ୟମାନ ତାହାର ପ୍ରମାଣ ଦେଲେ।

ତତ୍କାଳୀନ ବ୍ରlହ୍ମଣମାନେ ଭୟରେ ଚୁପ ରହିଲେ। ରାଜା ପରମ ସନ୍ତୋଷରେ ଅଚ୍ୟୁତାନନ୍ଦଙ୍କୁ ସେହିଠାରେ ରହି ଶ୍ରୀଜଗନ୍ନାଥଙ୍କ ଆରାଧନା ପୂର୍ବ ପରି କରିବାର ଅନୁମତି ଦେଲେ। ତଥାପି ଅଚ୍ୟୁତାନନ୍ଦ ଶୂନ୍ୟ ପୁରୁଷଙ୍କ ଉପାସନାକୁ ପ୍ରାଧlନ୍ୟ ଦେଇ ଲେଖିଲେ :
“କାମ ଆଶ୍ରିତ ମୂଢ଼ ନର, ପୂଜନ୍ତି ଭୂତ ପ୍ରେତ ସୁର
ଯେତେ ତୀର୍ଥ ବ୍ରତ ତପ, କ୍ରିୟା ସମ୍ଭବ ମନ୍ତ୍ର ଜପ
ଏସବୁ ଧର୍ମ ନୋହେ କିଛି, ସଂସାର ହିତେ ବେଦ ଗଛି।”(ଚନ୍ଦ୍ରକଳ୍ପ ବ୍ରହ୍ମଶାଙ୍କୁଳି )

ଏଠାରେ ଅଚ୍ୟୁତାନନ୍ଦ ବେଦ ବର୍ଣ୍ଣିତ ପଥ ବା ବେଦ ଧର୍ମ ଆଚରଣ, ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ମନ୍ତ୍ର ତାହାକୁ ଅଗ୍ରାଧିକାର ଦେଇଛନ୍ତି । ଆସନ୍ତୁ ତେବେ ସେହି ପରମ ପୁରୁଷ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପାର୍ଥନା କରିବା
“ଜୟ ଜୟ ଜଗନ୍ନାଥ ଦାରୁ ରୂପ ଧାରୀ, ନୀଳ ଗିରିଶ ଗିରିଶ ବନ୍ଦନୀୟ ହରି । (ଉପେନ୍ଦ୍ର ଭଞ୍ଜ )
( ଦ. ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Comments are closed, but trackbacks and pingbacks are open.