ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୩
କଳ୍ପନା ସଂଭୂତ ବିଷୟ
ଯାହାକୁ କରଇ ଅଥୟ
କରି ଅଯଥା ବାକ୍ୟ ବ୍ୟୟ
ଘଟାଏ ମନଶାଂତି କ୍ଷୟ
ନିଜ ଧାରଣା ପ୍ରଚାରକ
ନିଜେ ହିଁ ହୁଏ ଯେଉଁ ଲୋକ
ତାହାର ଲେଖା କିଂବା କଥା
ସହଜେ ଉପୁଜାଏ ବ୍ୟଥା
ନ କରି ଆତ୍ମ ବିଶ୍ଳେଷଣ
ଯେ କରେ ଶବ୍ଦ ଉଚ୍ଚାରଣ
ତାର ମୁଖରୁ ଖସି ବାଣୀ
ପାଲଟେ ନିରର୍ଥକ ଧ୍ବନି
ଯେ ନୁହେ ବଚନ ସାଧକ
ଅପୂର୍ଣ ରହେ ତାର ବାକ୍ୟ
ଭାବ, ଭାଷାରେ ବ୍ୟତିକ୍ରମ
ରହିଲେ ଜାତ ହୁଏ ଭ୍ରମ
ଭ୍ରାଂତି ପ୍ରଚାର କରି କରି
ଯେ ଯାଏ ଥକି କିଂବା ସରି
ଭାଷାକୁ ତାର ଅବଦାନ
ନିଶ୍ଚିତ ରୂପେ ହୁଏ ନ୍ୟୂନ
ମୁହଁରୁ ମୁକୁଳିଲେ ବାଣୀ
ବାୟୁର ଗତିପଥ ଜାଣି
ଅନେକ ଦିଗେ ଯାଏ ଉଡ଼ି
ପ୍ରାଣୀଂକ କାନେ ଥାଏ ପଡ଼ି
କୋଇଲି ଶୁଣି ସେହି କଥା
ବନାଏ ମଧୁର କବିତା
କାଉର କାନେ ପଡ଼ି ତାହା
ହୁଏ କର୍କଶ ‘ କାଆ କାଆ ‘
ପବନେ ଯେତେ କଥା ମିଶେ
ବିଭିନ୍ନ କାନେ ତାହା ପଶେ
ତାତ୍ପର୍ଯ ହୁଏ ଭିନ୍ନ ଭିନ୍ନ
ଯଦିଓ ସମାନ ବଚନ
ବାଣୀର ମୂଲ୍ୟ ବୁଝି ଯିଏ
ମାପି ତଉଲି କଥା କହେ
ତାହାର ଅନନ୍ୟ ପ୍ରଭାବ
ଶୁଣାଳି କରେ ଅନୁଭବ
କଥାକୁ କରିଲେ ଅକ୍ଷର
ଆପେ ତା ହୁଏ ଆୟୁଷ୍କର
ସ୍ଥଳ ଓ କାଳ ଅତିକ୍ରମ
କରିଲେ ହୁଏ ଅନୁପମ
ଶୁଣିବା, ପଢ଼ିବା ଅଭ୍ୟାସ
ଯୋଗୁଁ ହିଁ ବ୍ୟକ୍ତିତ୍ବ ବିକାଶ
ସଂସାରେ ଘଟେ ନିରଂତର
ଏ ସତ୍ୟ କରିବା ସ୍ବୀକାର
Comments are closed, but trackbacks and pingbacks are open.