ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର ଅନୁରାଗ ନାହିଁ ଯେ। ଆମେ ସମସ୍ତେ ତାଙ୍କୁ ଭଲପାଉ, ପ୍ରେମ କରୁ। ଏହା ମୁଁ ସ୍ୱୀକାର କରୁଛି। କିନ୍ତୁ କେବେ ମାପିଛନ୍ତି ସେ ପ୍ରେମର ଗଭୀରତା କେତେ। ତେବେ ଦେବଦୃଲଭ ଦାସଙ୍କ ଉକ୍ତି ଦେଖନ୍ତୁ :-
“ଚାରି ଭକ୍ତି ମଧ୍ୟେ ପ୍ରେମ ଭକ୍ତି ଅଟେ ସାର, ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ଗୋ
ଗୋପୀଙ୍କି ଭାଜିଲା ଲୋକ ପ୍ରେମ ଭକ୍ତି ପାଇ, ବିନା ପ୍ରେମ ଭକ୍ତି ରେ ଦର୍ଶନ ମୋତେ ନାହିଁ ଗୋ। (ରହସ୍ୟ ମଞ୍ଜରୀ)
ଏହାକୁ ହିଁ କୁହାଯାଏ ଗୋପୀ ଭାବ। ସେହି ଗୋପୀ ଭାବକୁ ସୁନ୍ଦର ଭାବରେ ବୁଝାଇବା ପାଇଁ କବି ତଥା ସାଧକ ଯଶୋବନ୍ତ ଦାସ ଲେଖିଲେ :
“ଗୋପୀ ମୋହର ନିଜ ଦେହୀ, ଯେ ତାକୁ ଭକତି କରଇ
ମୋତେ ମିଶାଇ ସ୍ତୁତି କରେ, ଅନ୍ତେ ପଶଇ ଗୋଲକରେ,
ପ୍ରେମ ଭକ୍ତିରୁ ଭକ୍ତି ନାହିଁ, ପ୍ରେମ ନିକଟେ ଥାଏ ମୁହିଁ ।(ପ୍ରେମଭକ୍ତି ବ୍ରହ୍ମଗୀତା )
ଏଠାରେ ଗୋପୀ ଭାବର ପ୍ରକୃତ ଉପଲବ୍ଧି ସୂଚିତ ହୋଇଛି। ଏହି ଭାବରେ ରହିଲେ ଜୀବର ଦେହଭାବ ରହେନି। ସେ ଆତ୍ମାଟିଏ ହୋଇ ପରମାତ୍ମାଙ୍କ ସହ ନିତ୍ୟରାସରେ ମାତିଥାଏ। ସେଥିପାଇଁ ପ୍ରଭୁ କହିଲେ : “ଗୋପୀ ମୋହର ନିଜ ଦେହୀ “ତାର ଏକ ସ୍ୱତନ୍ତ୍ର ଶରୀର ବୋଧ ନଥାଏ। ଏହାକୁ ବ୍ରହ୍ମ ଜ୍ଞାନ କୁହାଯାଏ, ଶାସ୍ତ୍ର କହେ :
“ଜ୍ଞାନ ଭେଦିଲେ ଭକ୍ତି ପାଇ,
ଭକ୍ତି ଭେଦିଲେ ଜ୍ଞାନ ପାଇ
ପକ୍ଷୀ ଯେସନେ ଦୁଇ ମତ,
ଦୁଇ ଡେଣାରେ ଉଡେ ସତ,
ଜ୍ଞାନ ଭକତି ଏକ ଡେଣା
ସଗୁଣ ଭକତି ଏକ ଜଣା ।(ଗୁରୁଭକ୍ତି ଗୀତା )
ଏହି ଭକ୍ତିର ସ୍ୱରୂପ ଯେତେ ଖୋଜିବା, ସେତେ ରହସ୍ୟ ସାମନାକୁ ଆସିବ। ତେଣୁ କେବଳ ଏତିକି କରନ୍ତୁ ।
“ଅନନ୍ୟ ମମତା ବିଷ୍ଣୁ ମମତା ପ୍ରେମ ସଙ୍ଗତl. ଭକ୍ତିରିତ୍ୟୁଚ୍ୟତେ ଭୀଷ୍ମ ପ୍ରହ୍ଲାଦୋଦ୍ଧବନାରଦୈ ।” ଅର୍ଥାତ ଭୀଷ୍ମ, ପ୍ରହ୍ଲାଦ, ଉଦ୍ଧବ, ଓ ନାରଦ ପ୍ରଭୃତି ଏହି ମତବାଦରେ ବିଶ୍ୱାସ ରଖି ପରମାତ୍ମା ଉପାସନା ବା ସେବା ବ୍ୟତୀତ ଅନ୍ୟ କୌଣସି ଅଭିଳାଷ ରଖନ୍ତି ନାହିଁ। ଏପରକି ସାଲୋକ୍ୟ, ସାମିପ୍ୟ, ସାରୁପ୍ୟ, ସାଯୁଜ୍ୟ ଭଳି ମୁକ୍ତି ମଧ୍ୟ୍ୟ କାମନା କରନ୍ତି ନାହିଁ। ଏହା ହିଁ ନିଷ୍କାମ ଭକ୍ତିର ସମ୍ପୂର୍ଣ୍ଣ ଉଦାହରଣ। ପୁଣି ଆଲୋଚନା ଜାରି ରଖିବା। ଏବେ କିନ୍ତୁ ଆରାଧନାର ସମୟ।
“ଜଗବନ୍ଧୁ ହେ ନେତ୍ର ସରୋଜ
ଜବେ ଘେନ ମୋର ଅରଜ
ଜଗତରେ ତୋ ନାମ ପହିଜ
ଯମଦଣ୍ଡ ରୁ କର ଖାରଜ ।” (କବି ବଙ୍କା ଦାଶ )
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )