ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା, ତାଙ୍କର ଏହି ପତିତ ଉଦ୍ଧାର କାର୍ଯ୍ୟଟିକୁ ସର୍ବଦା ନିର୍ବାହ କରୁଥାଏ । କିନ୍ତୁ ଆଉ ଏକ ବଡ଼ କଥା ଅନେକ ଦୂର ପର୍ଯ୍ୟନ୍ତ ଦୃଷ୍ଟି ଗୋଚର ହେଉଥିବା, ଓ ନୀଳଚକ୍ର ଉପରେ ଫର ଫର ହୋଇ ଉଡି ପତିତ ଓ ପାତକୀମାନଙ୍କୁ ଡାକୁଥିବା ଏହି ପତିତପାବନ ବାନା କୌଣସି ପରିସ୍ଥିତିରେ ନୀଳଚକ୍ରରୁ ଉଭାନ ହୋଇଗଲେ । ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ହୋଇଯାଏ । ସେଥିପାଇଁ ଏକ ସେବା ପ୍ରଚଳିତ । ଯାହାଙ୍କୁ ‘ଚୂନରା ସେବକ’ ଅବା ଚୂନରା ମହାରଣା ସେବକ କୁହାଯାଏ । ତାଙ୍କର ଦୈନିକ ଏହି ବାନା ବାନ୍ଧିବା କାର୍ଯ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ବିଷଦଭାବରେ ତାହା ସେବକ ଆଲୋଚନାରେ ଜାଣିବା । ଏବେ କବି ଗୌରଚରଣ ଅଧିକାରୀ, ପତିତପାବନ ବାନାର ଯେଉଁ ଗୁଣ ବର୍ଣ୍ଣନା କରିଛନ୍ତି ତାହା ଜାଣିବା । ଯଥା :
“ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା
ପତିତପାବନ ନାମଟି ଯାର ନାଁ
ଆସ ଆସ ବୋଲି ପତକୀ ମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତଧ୍ବଜାବର ଉଡେ ଫର ଫର
ଉଡାଇ ଦେଉଛି ଭବ ଯାତନା ।”
ସୁନ୍ଦର ପରିକଳ୍ପନା କେବଳ ପାପୀ, ପlତକୀ ଅବା ପତିତ ଉଦ୍ଧାର କରୁନି । ଏ ପୃଥିବୀର କଷ୍ଟ, ଯାତନା (ଭବ ଯାତନା )କୁ ମଧ୍ୟ ଦୂରୀଭୂତ କରୁଛି । ସେଥିପାଇଁ ସ୍ୱୟଂ ଗଜପତି ବୀରକିଶୋର ଦେବ ଯବନ ଆକ୍ରମଣରେ ଅତିଷ୍ଠ ହୋଇ ପ୍ରଭୁଙ୍କୁ ଅଭିମାନରେ ପଚାରିଛନ୍ତି । ତୁମ ବାନା କଣ ପାଇଁ ?
“ପତିତପାବନ ବାନା ଆଉ କେତେବେଳକୁ,
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ।”
ସେହି ଭାବକୁ ଅବା ସେହି ମର୍ମରେ ଅନ୍ୟ ଏକ ମାର୍ମିକ ରଚନା ମିଳେ ଆଧୁନିକ ଯୁଗର କବି କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ କାଳଜୟୀ ଜଣାଣ ‘କୋଠ ଭୋଗ ଖିଆ’ରେ, ବେଦନାକୁ ଚାପି ସେ ଲେଖିଲେ :
“ପତିତପାବନ ବାନା ଉଡାଉଛ ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁ ନାହିଁ ।”
ଏଥିରେ ଆଉ ଜଣେ କବିଙ୍କ ଦରଦୀ ରଚନାକୁ ଆଲୋଚନା କଲେ ଜଣାଯାଏ । ନୀଳଚକ୍ରରେ ଉଡୁଥିବା ଏହି ନେତ ନିଶ୍ଚିତ ଭାବରେ ପତିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଟେ । କବି ନିତ୍ୟାନନ୍ଦ ଦାସଙ୍କ ଅମର କୃତି
“ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡାଇଅଛ ପତାକା,
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା,
ମହାପ୍ରଭୁ ହେ ।
ଏହି ପରମ ପାବନ ପତିତପାବନ ପତାକା ବିଷୟରେ ଅନେକ ରୋଚକ ତଥ୍ୟ ଆମେ ଜାଣିବା, ଜାଣିବା ଏହାର ଜନ୍ମ ବୃତ୍ତାନ୍ତ । ଏବେ କିନ୍ତୁ ଆରାଧନା ସମୟ ।
ଶୁଣ ହେ ଭକତ ନିପୁଣ
ଏ ଜୀବ ସ୍ଵଭାବେ ନିର୍ଗୁଣ
ଈଶ୍ୱର ନିରଞ୍ଜନ ଏହି
ମାୟା ଶୟଳେ ଦେହ ବହି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )