ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସୁଲୋଚନାଙ୍କର ଆତ୍ମୀୟତାରେ ଛଳ ଛଳ ହୋଇଗଲା ସୀତାଙ୍କର ବେନି ନୟନ। ସେ କରୁଣ କଣ୍ଠରେ କହିଲେ, ” ଛଳନା କରି ଦୁଷ୍ଟ ରାବଣ ମୋତେ ସ୍ୱାମୀଙ୍କ ଅନୁପସ୍ଥିତିରେ ହରଣ କରି ଆଣିଛି। ରଘୁବୀର ସ୍ୱୟଂ ଆସି ତାକୁ ଯୁଦ୍ଧରେ ପରାଜିତ କରି ମୋତେ ନେଇଯିବେ। ଏପରି ଭାବରେ ଲୁଚି ଚାଲିଗଲେ ମୋ ସ୍ୱାମୀଙ୍କର ଅସମ୍ମାନ ହେବ। କୃତଜ୍ଞ ରହିଲି ତୁମ ନିକଟରେ। ”
ନିରାଶ ସୁଲୋଚନା ନୟନରେ ଅଶ୍ରୁ ଭରି ବିଦାୟ ନେବା ସମୟରେ କହିଲେ, ” ମୁଁ ଆସୁଥିବି ତୁମ ନିକଟକୁ। ତୁମର ମନସ୍କାମନା ଈଶ୍ୱର ପୂର୍ଣ୍ଣ କରନ୍ତୁ। ”
ପାପର ଦୁର୍ଗରେ ନିଜକୁ ଅସହଜ ମନେ କରୁଥିଲେ ସୁଲୋଚନା। ସ୍ୱାମୀଙ୍କର କଲ୍ୟାଣ ମନାସିବା ପତିବ୍ରତା ନାରୀଙ୍କର ଧର୍ମ। ମନେ ମନେ ପ୍ରାର୍ଥନା କଲେ, ” ହେ କରୁଣା ସାଗର ! ହେ ସଂସାର ପାଳନ କର୍ତ୍ତା ଶ୍ରୀହରି ବିଷ୍ଣୁ ! ମୋ ସ୍ୱାମୀଙ୍କର ସହାୟ ହୁଅ। ତାଙ୍କର ସୁମତି ହେଉ। ”
କେତେ ଭାବରେ ବୁଝେଇଲେ ମଧ୍ୟ ମେଘନାଦଙ୍କ ମନରେ ତିଳେ ହେଲେ ପ୍ରଭାବ ପକାଇ ପାରୁନାହାଁନ୍ତି ସୁଲୋଚନା। ସେ ଅଟଳ ମେରୁ। ପିତୃଭକ୍ତି ଓ ମାତୃଭୂମି ପ୍ରତି ତାଙ୍କର ଦୃଢ଼ କର୍ତ୍ତବ୍ୟବୋଧତା , ସୁଲୋଚନାଙ୍କୁ ସମୟ ସମୟରେ ବିଚଳିତ ବୋଧ କରାଏ। ଶ୍ରୀହରିଙ୍କ ପ୍ରତି ବୈରୀ ଭାବନା ଦେଖି ଭବିଷ୍ୟତ ବିପଦର ଆଶଙ୍କାରେ ଶଙ୍କି ଯାଆନ୍ତି ସେ।
ରାଜମାତା ମନ୍ଦୋଦରୀଙ୍କର ମରମ ବେଦନା ଜଣେ ନାରୀ ହୋଇ ସୁଲୋଚନା ଖୁବ ଅନୁଭବ କରନ୍ତି। ତାଙ୍କର ଅସହାୟ ନୟନରେ ଅଶେଷ ପୀଡ଼ା। ରାବଣର ମହଲରେ ସୁନ୍ଦରୀ ନାରୀମାନଙ୍କର ଅଭାବ ନାହିଁ। ତଥାପି ସୀତାଙ୍କ ପ୍ରତି ଏପରି ଦୁର୍ବଳତା !! ସପତଣୀ ଭାବ ତାଙ୍କୁ ଅସୁରକ୍ଷିତ କେବେ କରିପାରେ ନାହିଁ। ସୀତା ଯେ ସତୀ ଶିରୋମଣି !! ଭାବି ଭାବି ଅନିଷ୍ଟର ଆଶଙ୍କାରେ ସେ ଚିନ୍ତିତା ହୁଅନ୍ତି। ସୁଲୋଚନା ତାଙ୍କୁ କିଛି କହି ପାରନ୍ତି ନାହିଁ। କି ସାନ୍ତ୍ବନା ବା ଦେବେ ? ନିରବ ରହି ଯାଆନ୍ତି।
କ୍ରମଶଃ….