Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୫ 

ଜୟ ଜଗନ୍ନାଥ,ଓଁ ନମୋ ଭଗବତେ ବାସୁଦେବାୟ ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ (ଅବତାରୀ ପୁରୁଷ )ଙ୍କ ସପ୍ତମ ଅବତାର ପ୍ରଭୂ ଶ୍ରୀରାମଙ୍କୁ ଯଦି କେବଳ ଯୁଗାବତାର ବୋଲି ବିବେଚନା କରିବା, ତେବେ ସେ ତ୍ରେତୟା ଯୁଗର ଅନ୍ତର୍ଭୁକ୍ତ ହେବେ । ଏହି ତ୍ରେତୟା ବା ତ୍ରେତା ର ଆକ୍ଷରିକ ଅର୍ଥ ହେଲା ତିନି ବା ବର୍ଷୀୟlନ। ଏହି ଯୁଗର ବିଶେଷତ୍ୱ ହେଲା ଏହା ତିନୋଟି ଗୁଣର ଅଧିକାରୀ ଯଥା ପ୍ରେମ, ସହଯୋଗ, ନିଃସ୍ଵାର୍ଥପରତା। ଏଠି ସତ୍ୟର ପ୍ରଚଳନ ବିଶେଷ ଭାବରେ ହୋଇଥିବାର ପ୍ରମାଣ ଥିଲେ ମଧ୍ୟ ସତ୍ୟ ଯୁଗ ଭଳି ସମ୍ପୂର୍ଣ୍ଣ ସତ୍ୟର ପ୍ରୟୋଗ ନହୋଇ ସେଥିରେ ଏକ ଗୁଣ ପାପର ପ୍ରଭାବ ଦେଖିବାକୁ ମିଳେ। ଶାସ୍ତ୍ର ମତରେ ସତ୍ୟ ଯୁଗରେ ସମ୍ପୂର୍ଣ୍ଣ ଷୋଳପଣ ଧର୍ମରୁ ତ୍ରେତୟାରେ ଚାରି ପଣ କମି ଯାଇଛି । ଦ୍ୱାପରରେ ଆଉ ଚାରିପଣ କମି ମାତ୍ର ଆଠ ପଣ ଓ ଏହି କଳିରେ କେବଳ ଚାରିପଣ ରହୁଛି। ଏହିଠାରେ ଆଉ ଏକ କଥା ଲକ୍ଷ୍ୟ କରିବା ପ୍ରଭୂ ଶ୍ରୀରାମ ତ୍ରେତାର ଶେଷ ଭାଗରେ ଜନ୍ମ ନେଇଛନ୍ତି। ଦ୍ୱାପରର ପ୍ରାରମ୍ଭ ପୂର୍ବରୁ ଏକ ଦୁଇ ଯୁଗର ସନ୍ଧିକ୍ଷଣ ମଧ୍ୟ ପ୍ରଭୂ ଶ୍ରୀରାମ ଭୋଗ କରିଛନ୍ତି। ଧର୍ମ କମିବା ସହ ପାପର ବୃଦ୍ଧି ଓ ସତ୍ୟ କମିବା ସହ ମିଥ୍ୟlର ବୃଦ୍ଧି ତେଣୁ ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ପ୍ରଥମ ଅବସ୍ଥାରେ ସେ କେବଳ ସତ୍ୟ ଅନୁଗାମୀ ଥିବା ସମୟରେ ଧିରେ ଧିରେ ଗୁଣରେ ପରିବର୍ତ୍ତନ ପରିଲିକ୍ଷିତ ହୁଏ। ତଥାପି ସାମଗ୍ରିକ ଭାବରେ ବିଚାର କଲେ ଶ୍ରୀରାମ ହିଁ କେବଳ ମର୍ଯ୍ୟାଦା ପୁରୁଷ ଭାବରେ ସମସ୍ତ ଗୁଣକୁ ସଠିକ ପରିପ୍ରକାଶ କରିପାରିଛନ୍ତି। ସେଥିପାଇଁ ସ୍ୱୟଂ ବ୍ୟାସଦେବ ତାଙ୍କ ରଚନାରେ ଶ୍ରୀରାମଙ୍କୁ ମହାପୁରୁଷ ଭାବରେ ବର୍ଣ୍ଣନା କରିଛନ୍ତି ଓ ଲେଖିଛନ୍ତି :-

ତ୍ୟକ୍ତୱ ସୁଦୁସ୍ତ୍ୟଜ ସୁରେପସିତ ରାଜ୍ୟ ଲଷ୍ମୀଂ, ଧର୍ମିଷ୍ଠ ଆର୍ଯ୍ୟବଚସା ଯଦଗାଦ ରଣ୍ୟଂ ଭକ୍ତନ୍ୱହଂ ପ୍ରଣତପାଳୋ ଭବାଦବୋଧିପୋତ, ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ ।

ଏହି ଶ୍ଳୋକରେ ଶ୍ରୀରାମଙ୍କୁ ମହାପୁରୁଷ ଭାବରେ ସମ୍ବୋଧନ କରାଯାଇଛି ଏବଂ କୁହାଯାଇଛି ପିତୃ ସତ୍ୟ ପାଳନ କରି ରାଜପଦ ତ୍ୟାଗ ତୁମେ ଅନୁଗତମାନଙ୍କୁ ଓ ମୁନି ଋଷିମାନଙ୍କୁ ରକ୍ଷା କରିବାପାଇଁ ବନବାସକୁ ଶ୍ରେୟ ମନେ କରିଥିବାରୁ ମୁଁ ଆପଣଙ୍କ ଚରଣ ବନ୍ଦନା କରୁଛି ।

ଏଭଳି ପ୍ରଭୁ ଶ୍ରୀରାମ ତାଙ୍କର ପ୍ରାରମ୍ଭିକ ଜୀବନ ଅତ୍ୟନ୍ତ ସରଳ ଓ ସତ୍ୟ ଉପରେ ପ୍ରତିଷ୍ଠିତ କରିଥିଲେ ମଧ୍ୟ ଯୁଗର ସନ୍ଧିକ୍ଷଣରେ ଜୀବନ ନିତ୍ୟାନ୍ତ ଦୁର୍ବିସହ ଓ ସତ୍ୟ ଭ୍ରଷ୍ଟ ହୋଇଥିଲା। ସେଥିପାଇଁ କେହି କେହି ଶ୍ରୀରାମ ଙ୍କୁ ପରଂବ୍ରହ୍ମଙ୍କ ଅଂଶlବତାର ଭାବରେ ଗ୍ରହଣ କରନ୍ତି। ଯେଉଁଠି ଶ୍ରୀକୃଷ୍ଣ ପରଂବ୍ରହ୍ମଙ୍କ ପୂର୍ଣ୍ଣାବତାର ରୂପରେ “କୃଷ୍ଣସ୍ତୁ ଭଗବାନ ସ୍ୱୟଂ “ବୋଲି ବିବେଚିତ ହୁଅନ୍ତି.ତଥାପି ଏତିକି କୁହାଯାଏ ଯେ ପ୍ରଭୁ ଶ୍ରୀରାମଙ୍କ ଚରିତ ନିତ୍ୟାନ୍ତ ଭାବରେ ଶିକ୍ଷଣୀୟ ଓ ଗ୍ରହଣୀୟ। ସେଥିପାଇଁ ସେ ସବୁଯୁଗରେ ସର୍ବୋତ୍ତ ଭାବେ ଆମ ପାଇଁ କେବଳ ମର୍ଯ୍ୟାଦା ପୁରୁଷ ହୋଇ ରହିଛନ୍ତି ଓ ରହିବେ ମଧ୍ୟ। ଏବେ ଆସନ୍ତୁ ତାଙ୍କ ପାଦରେ ପ୍ରଣତି ଜଣାଇ କରିବା ଆରାଧନା ଓ ଭାଗବତ ପଠନ।

ଜୟ ସୀତା ରାମ
କ୍ଷୀର ଜଳଧି ମଧ୍ୟେ ସ୍ଥାନ
ଯାହାର ଶ୍ୱେତଦ୍ବୀପ ନାମ
ସେ ସ୍ଥାନ ମଧ୍ୟେ ମୋର ଧାମ
ନୀଳଜଳଦ ତନୁ ଶ୍ୟାମ
ବିଶୁଦ୍ଧ ଧର୍ମ ମୟ ମୂର୍ତ୍ତି
ଯୋଗ ଧାରଣେ ମୋତେ ଚିନ୍ତି

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.