ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା କ୍ରମରେ ଆମେ ମୂଖ୍ୟ ମୂଖ୍ୟ କିଛି ମନ୍ଦିର ବୁଲିଲେ କିନ୍ତୁ ସେହିମଧ୍ୟରେ ଶ୍ରୀ କ୍ଷେତ୍ରେଶ୍ୱରୀଙ୍କ ଦର୍ଶନ ଓ ବର୍ଣ୍ଣନା ବାକି ରହିଥିଲା। କାରଣ ଯେଭଳି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ମହତ୍ୱ ସମସ୍ତ ଦେବାଦେବୀଙ୍କ ଦର୍ଶନ ପରେ ହିଁ ମିଳିଥାଏ। ସେହିଭଳି ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ବିଷୟରେ ବିଷଦଭାବରେ ଜାଣିବା, ଆମମାନଙ୍କ ପାଇଁ ନିତାନ୍ତ ପ୍ରୟୋଜନ ଅଟେ। ମୁଁ ପ୍ରଥମରୁ କହି ଆସିଛି ଜଣେ ପରମ ଶକ୍ତିଙ୍କ ବିନା କୌଣସି ଦୈବୀ କ୍ଷେତ୍ର ସମ୍ପୂର୍ଣ୍ଣ ହୋଇ ନଥାଏ। ଭାରତବର୍ଷର ୫୧ ଟି ମୂଖ୍ୟ ଶକ୍ତି ପୀଠ ମଧ୍ୟରେ ମା ବିମଳାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତନ୍ତ୍ର ଚୂଡ଼ାମଣି ଗ୍ରନ୍ଥ ଅନୁସାରେ ଏହା ଦଶମ ଶକ୍ତି କ୍ଷେତ୍ର ଭାବେ ସୁପରିଚିତ ।
ମତ୍ସ୍ୟ ପୁରାଣ , ଦେବୀ ଭାଗବତ, ପଦ୍ମ ପୁରାଣ, କାଳିକା ପୁରାଣ, କପିଳ ସଂହିତା, ସ୍କନ୍ଦ ପୁରାଣ ଇତ୍ୟାଦି ଗ୍ରନ୍ଥମାନଙ୍କରେ ଶ୍ରୀ ବିମଳା ଦେବୀଙ୍କ ବର୍ଣ୍ଣନା ଦେଖିବାକୁ ମିଳେ। ଉପରୋକ୍ତ ଗ୍ରନ୍ଥମାନଙ୍କ ମଧ୍ୟରୁ ଦେବୀ ଭାଗବତ, ଦେବୀ ପୁରାଣ ଓ କାଳିକା ପୁରାଣରେ ସମୁଦାୟ ୧୦୮ ତନ୍ତ୍ର ପୀଠର ପରିଚୟ ମିଳେ । ଶାକ୍ତ ମତ ଅନୁସାରେ ଶ୍ରୀକ୍ଷେତ୍ରରେ ମା ବିମଳା ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଭୈରବ ଅଟନ୍ତି । “ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରଵଃ ।” ବୋଲି ସମସ୍ତେ ଉଚ୍ଚାରଣ କରିଥାନ୍ତି। ମତ୍ସ୍ୟ ପୁରାଣ କହେ :- “ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମେ “(୩୫ /୨୩୩ )
ଏହି ଭାବରେ ବିଚାର କଲେ ଶ୍ରୀକ୍ଷେତ୍ରେଶ୍ୱରୀ ମା ବିମଳା ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଟା ଓ କୌଳ କୂଳର ଆରାଧ୍ୟା ଅଟନ୍ତି । ଦେବୀ ଭାଗବତର ଓଡ଼ିଆ ଅନୁବାଦରେ ମଧ୍ୟ ୧୦୮ ଶକ୍ତି ପୀଠର ଅବତାରଣା କରିବା ସମୟରେ ସ୍ପଷ୍ଠ ଭାବରେ ଉଲ୍ଲେଖ ହୋଇଛି “ଶ୍ରୀ ପୁରୁଷୋତ୍ତମେ ସେ ବୋଲlନ୍ତି ବିମଳା “(୭ /୩୦ )। ତନ୍ତ୍ର ଚୂଡ଼ାମଣି ଗ୍ରନ୍ଥ ମା ବିମଳାଙ୍କୁ ମହାଦେବୀ ହିସାବରେ ସ୍ୱୀକାର କରେ । “ଉତ୍କଳେ ନାଭିଦେଶେଶ୍ଚ ବିରlଜାକ୍ଷେତ୍ରମୁଚ୍ୟତେ, ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ ।”
ତେବେ ଏହି ଶକ୍ତି ପୀଠର ଐତିହାସିକ ଓ ପୌରାଣିକ ମତ ଗୁଡିକ ଜାଣିବା ଆଗାମୀ ଅଧ୍ୟlୟମାନଙ୍କରେ ଆଜି ସମୟ ଆରାଧନା ଓ ଭାଗବତ ପଠନ। ଆସନ୍ତୁ ତେବେ ।
ଜ୍ଞାନେ ସକଳ ପାପ ନାଶେ
ନିର୍ବାଣ ମୁକତି ପ୍ରକାଶେ ।
ଯେ ଅବା ଅନ୍ନ କ୍ଷୁଧା କାଳେ
ମିଳିବ ପୂର୍ବ କର୍ମ ଫଳେ ।
ଯେ ଶଯ୍ୟା କିବା ବସ୍ତ୍ର ଲାଭ
ଦଇବେ ଯେ ଅବା ଘଟିବ ।
ତାହା ସନ୍ତୋଷେ ଭୋଗ କରି
କର୍ମ ସାଧିବ ଦେହ ଧରି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )