ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦୈନିକ ପୂଜା ବିଧି ମଧ୍ୟରେ ଆମେ ସନ୍ଧ୍ୟା ଆଳତି ବିଷୟରେ ଜାଣି ସାରିଲେ। ବର୍ତ୍ତମାନ ଆଲୋଚନା କରିବା ରାତ୍ର ଭୋଗ ବିଷୟରେ। ଠିକ ମଣିଷଙ୍କ ଭଳି ଶ୍ରୀଜୀଉମାନେ ମଧ୍ୟ ରାତ୍ରରେ ଅନ୍ନ ଭୋଗ ନଖାଇ ସାଧାରଣତଃ ଶୁଖିଲି ଭୋଗ ଅର୍ଥାତ କାକରା, ଆରିସା, ଲଡ଼ୁ ଅବା କଞ୍ଚା ଛେନାରେ ପ୍ରସ୍ତୁତ ନାନା ସୁମିଷ୍ଟ ବ୍ୟଞ୍ଜନ ଗ୍ରହଣ କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଅନ୍ନ ଭୋଗ ମଧ୍ୟ ଲାଗି ହୋଇପାରିବ। ଏଥିପାଇଁ କୌଣସି ବାଧା ନାହିଁ.କେହି କେହି ଏହି ଭୋଗକୁ ସନ୍ଧ୍ୟା ଭୋଗ ମଧ୍ୟ କହିଥାନ୍ତି କାରଣ ସନ୍ଧ୍ୟା ୮ଘଣ୍ଟା ମଧ୍ୟରେ ଏହି ଭୋଗ ସମାପନ ହୋଇଥାଏ। ଏହି ଭୋଗ କରିବା କାର୍ଯ୍ୟରେ ନିୟୋଜିତ ସେବକ, ଅର୍ଚ୍ଚକ ବା ପୂଜକମାନେ ରତ୍ନସିଂହାସନ ସମ୍ମୁଖ ପୋଖରୀଆକୁ ଉତ୍ତମ ରୂପେ ଧୋଇ ପରିଷ୍କାର କରିବେ। ତତ୍ପରେ ବିଧି ମୁତାବକ ମୁରୁଜ କାଟି ତାହା ଉପରେ ଅମୂଣିଆ ଭୋଗ ପଦାର୍ଥ ସଜାଇ ରଖିବେ। ପୂଜାରେ ଲାଗୁଥିବା ସମସ୍ତ ସାଜ ସରଞ୍ଜାମ ମଧ୍ୟ ସଜାଇ ରଖିବେ ତାପରେ ତିନି ଠାକୁରଙ୍କ ଆଗରେ ତିନି ପୂଜକ ଆସନ ଗ୍ରହଣ କରି ସମସ୍ତ ବିଧି ବିଧାନ ସହ ଷୋଡଶ ଉପଚାରରେ ପୂଜା ସମାପନ କରିବେ। ସମୟ ସମୟରେ ମଧ୍ୟ ପଞ୍ଚ ଉପଚାରରେ ଏହି ପୂଜା ହୋଇଥାଏ। ଠିକ ବାଳ ଭୋଗର ବିଧିରେ ଏହି ରାତ୍ର ଭୋଗ ହୋଇଥାଏ। ଏହି ରାତ୍ର ଭୋଗରେ ନୈବେଦ୍ୟ ସ୍ୱରୂପ ମୁଖ୍ୟତଃ ପିଠା ଭୋଗ ହେଉଥିବାରୁ ସମୟ ସମୟରେ ଏହାକୁ ପିଠା ଭୋଗ ମଧ୍ୟ କୁହାଯାଏ । ବିଶେଷ ପିଠା ମଧ୍ୟରେ ଏଣ୍ଡୁରି, କାନ୍ତି, ମାଠପୁଳି, କାକରା, ଆରିସା, ଅମାଲୁ, ଗଜା, କେଳି, ମଗଜଲଡ଼ୁ, ଜଗନ୍ନାଥବଲ୍ଳଭ, ନାଡୀ, ବିରିବଡି ଓ ଛେନା ପିଠା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଏହି ଭୋଗ ପରେ ପରେ ଶ୍ରୀଜୀଉମାନଙ୍କ ସବୁଠାରୁ ଶୋଭନୀୟ, ଆକାର୍ଷଣୀୟ ବେଶ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥାଏ। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାପରେ ଠାକୁରମାନେ ଏହି ବେଶରେ ରାତ୍ର ପହୁଡ଼ କରିଥାନ୍ତି। ଆଗମୀ ଅଧ୍ୟାୟରେ ତାହା ଆଲୋଚନା କରିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ଶୋକ ହରଷ ବେନି ପଥେ
ମିଳନ୍ତି କର୍ମର ଆୟତେ।
ଅଧର୍ମ କୂଟସଭା ଯହିଁ
ପଣ୍ଡିତେ ନ ବସିବ ତହିଁ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )